Unknown

 

 

 

 

 

 

 

 

 

ଦୁଇ ନାରୀ

ଓଡ଼ିଆ ରଚନା

ଶ୍ରୀ ଯୋଗୀନ୍ଦ୍ର ପଟ୍ଟନାୟକ

 

 

 

 

 

ଦୁଇ ନାରୀ

 

ମୂଳ ରଚନା : LACIOCIARA by Alberto Moravia

ଲେଖକ : ଆଲବର୍ଟ ମୋରାଭିୟା

 

ଓଡ଼ିଆ ରଚନା

ଶ୍ରୀ ଯୋଗୀନ୍ଦ୍ର ପଟ୍ଟନାୟକ

 

ଏ ଉପନ୍ୟାସ ସମ୍ପର୍କରେ–

 

Alberto Moraviaଙ୍କର ଦ୍ଵିତୀୟ ମହାଯୁଦ୍ଧ କାଳୀନ ଏହି ଅମର ଉପନ୍ୟାସଟି ସୂଚନା ଦିଏ ଯେ ଯୁଦ୍ଧ କ’ଣ ? ଯୁଦ୍ଧରେ ଗ୍ରାମ ସହରର ଅବସ୍ଥା କ’ଣ ହୋଇଥାଏ ? ସେ ଯେଉଁ ଇଟାଲୀୟ ଜୀବନ କଥା ଉଲ୍ଲେଖ କରିଛନ୍ତି ତାହା ସବୁ ଦେଶର, ସବୁ ଯୁଗର ଯୁଦ୍ଧକାଳୀନ ଅବସ୍ଥା-। ମାନସିକ ଅବ୍ୟବସ୍ଥା ।

 

ଦିଓଟି ନାରୀ—ମା’ ଓ ଝିଅ ଆଶ୍ରୟହୀନା ହୋଇ ବାହାରିପଡ଼ନ୍ତି; କିନ୍ତୁ ଯୁଦ୍ଧ ନାରୀକୁ ସମ୍ମାନ ଦିଏନା ।

 

ଏହି ଦିଓଟି ଜୀବନର ମର୍ମନ୍ତୁଦ ଘଟଣା କେତେ ଜୀବନ୍ତ ! କେତେ ପ୍ରାଣବନ୍ତ !!

 

ମନେହେବ ଯେପରି ଏହିପରି ଏକ ଅବସ୍ଥାରେ ପଡ଼ି ନାରୀ ସତୀତ୍ଵ ହରାଏ—ମୂକ ପାଲଟିଯାଏ । ତା’ପରେ.........

 

ଏହା ଅନୁବାଦ ନୁହେଁ ।

★★★

 

ଏକ

 

ସତରେ ଯେଉଁଦିନ କନିଆଁ ସାଜି ଗାଁ ଛାଡ଼ି ରୋମକୁ ଆସିଥିଲି ସେଦିନଟି କେତେ ସୁନ୍ଦର ଥିଲା । ମୁଁ ମୋର ସ୍ୱାମୀକୁ ଫୁଲର ହାର ଏବଂ ଜୋଡ଼ାଏ ଚଟି ଉପହାର ଦେଲି । ମୁଁ ବଡ଼ ଖୁସି ହୋଇଥିଲି ସେ ଦିନ । ମୋର ମୁହଁଟି ଥିଲା ଲାଲ୍ ଏବଂ ଆଖି ଦିଓଟି ଥିଲା କଳା ଓ ବଡ଼ ବଡ଼-। ମୋର ଘନ କେଶ ବନ୍ଧାଥିଲା ଦିଓଟି ବେଣୀରେ । ମୋର ଦେହରେ ଥିଲା ଖୁବ୍ ବଳ । ମୁଣ୍ଡରେ ବୋହି ନେଉଥିଲି ପଚାଶ ପାଉଣ୍ଡ ଜିନିଷ । ଯଦିବା ମୋର ବାପା-ମା କୃଷକ ଥିଲେ, ତଥାପି ତିରିଶଟିକରି ପ୍ରତ୍ୟେକ ଜିନିଷ ଦେଇଥିଲେ । ପ୍ରତ୍ୟେକଟି ଜିନିଷ ଥିଲା ସୌଖିନ ଓ ହାତକଟା ସୂତାରେ ତିଆରି । ମୋର ଗୋଟିଏ ସେଟ ଶାମୁକା ଗହଣା ଓ ସୁନାଗହଣା ଥିଲା ଏବଂ ଛାତିରେ ଆଣ୍ଟିବା ପାଇଁ ସୁନା ଉପରେ ଶାମୁକା ବସା ହୋଇଥିବା ଗୋଟିଏ ସେଫ୍ଟିପିନ ମଧ୍ୟ ଦେଇଥିଲେ-

 

ଟ୍ରାଷ୍ଟିଭେର ଜିଲାର ଭିନ୍ଲୋ ଭେଲଚିଙ୍ଗ୍ ରାସ୍ତା ଉପରେ ମୋ ସ୍ୱାମୀର ଗୋଟିଏ ତେଜରାତି ଦୋକାନ ଥିଲା । ଦୋକାନ ଉପରେ ଥିଲା ଆମର ରହିବାଘର । ରହିବା ଘରର ଦି’ଟା ଝରକା ଥିଲା ବାହାରକୁ ଓ ଅନ୍ୟ ଦିଓଟି ଥିଲା ଭିତରକୁ । ମୁଁ ଶୋଇବା ଘରଟିକୁ ସୁନ୍ଦର ଭାବରେ ସଜାଇଥିଲି । ମୋର ସ୍ଵାମୀ ଦୋକାନକୁ ଗଲେ ମୁଁ ଘରଟିକୁ ପରିଷ୍କାର କରୁଥିଲି । ସଜଡ଼ାସଜଡ଼ି କଲାପରେ ପୋଷାକ ପିନ୍ଧି କେଶ ବିନ୍ୟାସ କରି ବୋଝଟି ଧରି ବଜାରକୁ ବାହାରିଯାଏଁ । ବଜାରଟି ଥିଲା ପାଖରେ । ସବୁ ଜିନିଷ ତ ଥିଲା ଆମ ଦୋକାନରେ; ତେଣୁ କେବଳ ବୁଲିବା ବାହାନାରେ ମୁଁ ବାହାରି ଯାଇଥିଲି । କେଉଁ କେଉଁ ଦୋକାନଦାର ବିନା ଦାମରେ ମୋତେ ଜିନିଷପତ୍ର ଦେବାକୁ ରାଜି ହୋଇଯାଇ ତାଙ୍କର ମନର ପ୍ରସ୍ତାବ ମୋ ଆଗରେ ବାଢ଼ିଲେ ମୁଁ ଏପରି ଜବାବ ଦେଉଥିଲି ଯେ ସେଇଥିରେ ସେମାନେ ବୁଝି ପାରୁଥିଲେ ମୁଁ ସେ ଧରଣର ଝିଅ ନୁହେଁ । ବଜାରରେ ଗୋଟିଏ ଦୋକାନଦାର ମୋତେ ଖୁବ୍ ହଇରାଣ କରୁଥିଲା । ସେ ପ୍ରାୟ ମୋ ନିକଟରେ ନାନା ପ୍ରକାର କଦର୍ଯ୍ୟ ପ୍ରସ୍ତାବ ବାଢ଼ି ଜିନିଷ ଦେବାକୁ ନେହୁରା ହେଉଥିଲା । ଦିନେ ମୁଁ ଗୋଟାଏ ହ୍ୟାଟପିନ ନେଇ ତା’ ପଛରେ ମାରିବାକୁ ଦଉଡ଼ିଲି । ଭାଗ୍ୟକୁ ଗୋଟାଏ ପୁଲିସ ବାଧା ଦେଲା, ନ ହେଲେ ତା’ ପିଠିଟା ଫୋଡ଼ି ପକାଇଥାନ୍ତି ।

 

ବଜାରରୁ ଆସି ଚୁଲିରେ ଗରମ ପାଣିରେ ହାଡ଼ମାଂସ ବସାଇ ଦୋକାନକୁ ଯାଉଥିଲି । ସେଠାରେ ବେଶ୍ ଭଲ ଲାଗୁଥିଲା । କାଉଣ୍ଟାର ପଛରେ ମୁଁ ରାଣୀପରି ଠିଆ ହୋଇଥାଏଁ ଏବଂ ଜିନିଷସବୁ ବାନ୍ଧିଦେଇ ଖରିଦ୍‍ଦାରକୁ ଚଟ୍‍ପଟ ଦେଇ ଦେଉଥାଏ ।

 

ମୁଁ ବିବାହ ହେଲାବେଳକୁ ମୋର ସ୍ଵାମୀ ପ୍ରାୟ ବୁଢ଼ା ହୋଇ ଯାଇଥିଲେ । କେହି କେହି କହିବାର ଶୁଣିଛ ଯେ ମୁଁ କୁଆଡ଼େ ତା’ ଟଙ୍କା ପାଇଁ ତାଙ୍କୁ ବାହା ହୋଇଥିଲି । ମୁଁ ଅବଶ୍ୟ ତାଙ୍କୁ କେବେ ଭଲପାଇ ପାରିନାହିଁ ଏବଂ ତାଙ୍କୁ କେବେ ବିଶ୍ୱାସଘାତକତା କରିନାହିଁ–ପରପୁରୁଷକୁ ଅନାଇ ନାହିଁ । ସେ ଥିଲା କିନ୍ତୁ ଅନ୍ୟପ୍ରକାର–ସେ ଭାବୁଥିଲା ଯେ, ସେ କୁଆଡ଼େ ଝିଅମାନଙ୍କୁ ଖୁବ୍ ପଟେଇ ପାରୁଥିଲା । କଥାଟା ମିଛ । କାରଣ ସେ ଥିଲା ମୋଟା–ବିଶେଷ ସ୍ୱାସ୍ଥ୍ୟବାନ ନଥିଲା । ଆଖିଦିଓଟି ରକ୍ତବର୍ଣ୍ଣର ଏବଂ ମୁହଁରେ ଥିଲା ହଳଦିଆ ରଙ୍ଗର ଛାପ । ତା’ର ମିଜାଜ ଥିଲା ବଡ଼ ରୁକ୍ଷ ଓ ଚୁପ୍‍ଚାପ୍‍ । ସେ ପ୍ରାୟ ଦୋକାନରେ ନଥିଲେ ମୁଁ ଜାଣିପାରେ ଯେ ସେତେବେଳେ କେଉଁ ମାଇକିନିଆ ପାଖକୁ ଯାଇଥିଲା ଏବଂ ଟଙ୍କା ପଇସା ନ ଦେଲେ ଯେ କେଉଁ ମାଇକିନିଆ ତା’ ମୁହଁ ଆଡ଼କୁ ଛେପ ପକାଇବ ନାହିଁ ତା’ ବି ସତ । ସମସ୍ତେ ଜାଣନ୍ତି, ଟଙ୍କା ଦେଲେ ସବୁ ମିଳିବ–ଟଙ୍କା ଦେଲେ ନୂଆ କନିଆ ବି ତା’ର ଗାଉନ୍ ଉଠାଇବ । କେଉଁଠି ଟିକିଏ ସେ ଏପରି ସୁଯୋଗ ପାଇଲେ ତା’ ମନଟା ବେଶ୍‍ ଭଲ ଥାଏ । ସେ ମୋତେ ପିଟାପିଟି ମଧ୍ୟ କରୁଥିଲା । ମୁଁ ତାକୁ ଦିନେ ଧୀକାର କରି—ତୁ ଯେତେ ପାରୁ ମାଇକିନିଆ ପାଖକୁ ଯା, କିନ୍ତୁ ମୋ ଦେହରେ ହାତ ଦେଲେ ଏ ଘର ଛାଡ଼ି ପଳାଇବି ।

 

ମୁଁ କେତେ ପ୍ରଣୟୀର ପ୍ରୟୋଜନ ବୋଧ କରିନାହିଁ ଯଦିବା ଅନେକ ମୋର ଦେହପାଇଁ ଘୂରି ବୁଲନ୍ତି । ମୋର ସମସ୍ତ କାମନା ବାସନା ଘେରି ରହିଥିଲା ଘର, ଦୋକାନ ଓ ଶିଶୁସନ୍ତାନ ନେଇ । ମୋ ନିକଟରେ ପ୍ରଣୟ, ଦେହ ସମ୍ଭୋଗ ଥିଲା ଅର୍ଥହୀନ । ପ୍ରଣୟ ଚିନ୍ତା ଥିଲା ମୋ ନିକଟରେ ବିଷ । ମୁଁ କେବଳ ସବୁବେଳେ ଏକା ରହିବା ପାଇଁ ଏବଂ ମୋର ପ୍ରୟୋଜନ ଯେପରି କିଛି ନ ରହେ ।

 

ସ୍ଵାମୀ ଯେତେବେଳେ ପଇସାପତ୍ର ଦେଇ ମଧ୍ୟ କୌଣସି ସ୍ତ୍ରୀଲୋକର ସମ୍ଭୋଗ ପାଇଲା ନାହିଁ, ତା’ର ସେତେବେଳେ ମୋ ପ୍ରତି ଆକର୍ଷଣ ବଢ଼ିଲା । ମୋର ତ ଏ ସମ୍ଭୋଗ ବହୁଦିନରୁ ନଥିଲା । ତା’ଛଡ଼ା ମୁଁ ତ ତା’ଠାରୁ ସ୍ତ୍ରୀ ବା ବେଶ୍ୟା ହିସାବରେ ସମ୍ଭୋଗ ଚାହୁଁନଥିଲି । ସେ ମୋତେ ପିଟି ନାକଦଣ୍ଡାରୁ ଲହୁ ବାହାର କରିଦେଲା । ମୁଁ କିନ୍ତୁ ଦୃଢ଼ ଭାବରେ ଦେହ ଦେଇନଥିଲି; କାରଣ ମୋ ଭିତରେ ଥିଲା ତା’ ପ୍ରତି ଅସୀମ ଘୃଣା । ସେ ମୋତେ ଘୃଣା ଓ କଷ୍ଟ ଦେବାକୁ ଲାଗିଥିଲା । ମୁଁ ଖୁବ୍ ଧୈର୍ଯ୍ୟ ଧରି ସବୁ ସହିଗଲି ଏବଂ ସବୁ କାର୍ଯ୍ୟକୁ ମ୍ୟାଡୋନା ଉପରେ ଛାଡ଼ି ଦେଲି ।

 

ଘରକାମ କରିବା ପାଇଁ ବ୍ରାଇସ୍ ନାମରେ ଝିଅଟିଏ ରଖିଲି । ତା’ର ବୟସ ମାତ୍ର ପନ୍ଦର-। ମୋ ସ୍ଵାମୀ ତାକୁ ନାନାଭାବରେ ପ୍ରଲୋଭନ ଦେଖାଇବାକୁ ଲାଗିଲା । ମୁଁ ଯେତେବେଳେ ଦୋକାନରେ ଖରିଦଦାର ନେଇ ବ୍ୟସ୍ତ ରହେ, ସେ ଗୋଟାଏ ଡିଆଁରେ ଚାରିଚାରିଟା ସିଡ଼ିର ପାହାଚ ଡେଇଁ ଉପରକୁ ଯାଇ ବାଘ ପରି ବ୍ରାଇସ ଉପରେ ଝାମ୍ପି ପଡ଼େ । ତାକୁ ବାରମ୍ବାର ମନାକରେ ଯେ, ବ୍ରାଇସ ଉପରେ ସେ ଯେପରି କୌଣସି ଆକ୍ରମଣ କରିବ ନାହିଁ—ସେ କିନ୍ତୁ କରେ-

 

ଶେଷରେ ମୁଁ ବ୍ରାଇସକୁ କାମରୁ ଛଡ଼ାଇ ଦିଏ । ସ୍ୱାମୀର ମୋ ଉପରେ ରାଗ ବଢ଼ିଯାଏ, କହେ ବୋକାଟା ।

 

ତା’ପରେ ରୋଗରେ ପଡ଼େ ଏବଂ ମୁଁ ପ୍ରତ୍ୟେକ ସ୍ତ୍ରୀ ପରି ତା’ର ସେବା ଶୁଶ୍ରୂଷା କରେ । ଦୋକାନ ଛାଡ଼ି ତା’ ପାଖରେ ସର୍ବଦା ଜଗିରହେ । ଶେଷରେ ସେ ମରିଯାଏ ଏବଂ ମୁଁ ଏ ଜ୍ଵାଳାରୁ ମୁକ୍ତ ହୁଏ । ମୋର ରହିଲା ଦୋକାନ, ଘର ଓ ଛୋଟ ଝିଅଟି ।

 

ଦେଶରେ ଯୁଦ୍ଧ ଆରମ୍ଭ ହୋଇଛି । ଖବର କାଗଜ ମୁଁ ଭଲଭାବରେ ପଢ଼ିପାରୁ ନଥିଲି-। କିନ୍ତୁ ଦୋକାନର ହିସାବ ଓ ଲାଭ କ୍ଷତି ବେଶ୍ ବୁଝିପାରୁଥିଲି । କେତେବେଳେ ଝିଅ ରୋସେଟାକୁ ପଢ଼ିବାକୁ କହୁଥିଲି । ମୋ ନିକଟରେ ଜର୍ମାନ ଇଂରେଜ ଆମେରିକାନ, ରଷିଆନ ସମସ୍ତେ ଥିଲେ ଏକ । ସୈନିକମାନେ ମୋ ଦୋକାନକୁ ଆସି ଯେତେବେଳେ କହୁଥାନ୍ତି ଯେ ଯୁଦ୍ଧରେ ଜିତିବୁ, ଆମେ ସେଠାକୁ ଯିବୁ । ଆମେ ଅମୁକ ହେବୁ, ଆମେ ଏହା କରିବୁ, ମୁଁ ସେମାନଙ୍କୁ କହୁଥିଲି ଦେଖ ମୋ ଦୋକାନଟି ଯଦି ଇମିତି ଭଲଭାବରେ ଚଳିବ ତେବେ ମୋ ପକ୍ଷରେ ସବୁ ଠିକ୍ ।

 

ଦୋକାନଟି ବେଶ୍ ଭଲ ଚାଲିଥିଲା—ରେସନକାର୍ଡ଼ ଚାଲୁଥିଲା । ଦୋକାନରେ ବେଶ୍‍ ଲାଭ ମଧ୍ୟ ହେଉଥିଲା । କାରଣ ମୁଁ ବେଶ୍ ଚଲାକି କରି ଓଜନରେ କମ୍ କରି ଦେଉଥିଲି ଏବଂ ରେସନ ଥିବା ହେତୁ କିଛିଟା କଳାବଜାର ବ୍ୟବସାୟ ମଧ୍ୟ ଚାଲିଥିଲା । ଆମେ ପ୍ରାୟ ଦୋକାନ ବନ୍ଦକରି ମୁଁ ଓ ରୋସେଟା ନିଜ ଗାଁକୁ ବା ଅନ୍ୟ ଗାଁକୁ ଯାଇ ଆମର ପଠାଇବାର ସୁଟକେଶରେ ମଇଦା, ଘୁଷୁରି ମାଂସ, ଅଣ୍ଡା, ଆଳୁ ଭର୍ତ୍ତି କରି ନେଇ ଆସୁଥିଲୁ । ଖାଦ୍ୟ ନିୟନ୍ତ୍ରଣକାରୀ ପୁଲିସମାନଙ୍କ ସାଙ୍ଗରେ ଗୋଟାଏ ବନ୍ଦୋବସ୍ତ କରି ପକାଇଛି । ତେଣୁ ବାହାରେ ଯେତେ ଜିନିଷ ବିକୁନଥିଲି, ଭିତରେ ଲୁଚାଇ ସେତେ ବିକୁଥିଲି ।

 

ଗୋଟିଏ ପୁଲିସ ଆସି କହିଲା ଯେ, ମୁଁ ଯଦି ତା’ ସାଙ୍ଗରେ ଶୋଇବାକୁ ରାଜି ନହୁଏ, ତେବେ ସେ ମୋ ନାମରେ ରିପୋର୍ଟ କରିବ । ମୁଁ ତାକୁ ଶାନ୍ତ ଭାବରେ ପରେ ଘରକୁ ଆସିବାକୁ କହିଲି । ତା’ ମୁହଁଟି ଲାଲ ହୋଇଯାଏ ଏବଂ ବାହାରିଯାଏ । ନିର୍ଦ୍ଦିଷ୍ଟ ସମୟରେ ପୁଣି ଉପସ୍ଥିତ ହୁଏ-। ତାକୁ ମୁଁ ରନ୍ଧାଘରକୁ ନେଇଯାଏଁ ଏବଂ ଡୟାର ଖୋଲି ଗୋଟାଏ ଛୁରି ତା’ ବେକ ପାଖରେ ଧରି କହେ–ଯା ମୋ ନାମରେ ରିପୋର୍ଟ କରିବୁ ଯା, ମୁଁ କିନ୍ତୁ ତା’ ପୂର୍ବରୁ ଗଳାଟି କାଟି ଦେବି । ସେ ଡରରେ କୁହେ ଯେ ମୁଁ ଗୋଟାଏ ପାଗଳ ଏବଂ “ଥଟ୍ଟା ଛଳରେ କଥାଟି କହିଲି !’’

 

ସେ ରାଗିଯାଇ କହେ–ତମେ କ’ଣ ଅନ୍ୟ ଟୋକୀଙ୍କ ପରି ଅନ୍ୟପୁରୁଷମାନଙ୍କୁ ଇଚ୍ଛା କରିନା ?

 

ମୁଁ କହେ—ତମେ ଫେରିଯାଅ । ଅନ୍ୟ କେଉଁ ଟୋକୀକୁ ଦେଖ । ମୋର ଦୋକାନ ଅଛି ମୋ ଦୋକାନ ଥିବ । ଅନ୍ୟ କିଛି ଚିନ୍ତା କରିବାକୁ ଚାହେଁନା । ମନେରଖ, ମୋ ମନରେ ଦେହରେ ପ୍ରଣୟ ସମ୍ଭୋଗ ବୋଲି କିଛି ନାହିଁ । ତେଣୁ ସେଇଆ ଭାବି କାମ କର ।

 

ସତରେ ରୋସେଟା ଜନ୍ମ ହେବା ପରେ ମୋର ପ୍ରଣୟ ସମ୍ଭୋଗରେ କୌଣସି ସ୍ପୃହା ନ ଥିଲା । କେହି ମୋର ଦିହରେ ହାତ ଦେଲେ ମୁଁ ସହ୍ୟକରି ପାରୁନଥିଲି । ମୋର ଚେହେରାଟି ଥିଲା କିନ୍ତୁ ଛଳନାମୟୀ—ପୁରୁଷମାନେ ଆକୃଷ୍ଟ ହେଉଥିଲେ । ମୁହଁଟିଥିଲା ଚିକ୍କଣ, ଆଖି ଦିଓଟି କଳା ଓ ଦାନ୍ତଗୁଡ଼ିକ ଥିଲା ସଫେଦ । ଏ ସମୟଟି ଥିଲା ବେଶ୍ ଭୟ । କାରଣ ମୋତେ ବିବାହ କରିବାକୁ ଆଗେଇ ଆସୁଥିଲେ ଅନେକ । ମୁଁ କିନ୍ତୁ ଜାଣିଥିଲି ଯେ ମୋର ଦୋକାନ ଓ ଘରଥିଲା ପ୍ରଧାନ ଆକର୍ଷଣ । ଅନେକ ସେମାନଙ୍କ ଭିତରୁ ଥିଲେ ଅପ୍ରତିଷ୍ଠିତ । ତେଣୁ ସେମାନେ ଭାବୁଥିଲେ ବିବାହରେ ତିନୋଟି ଲାଭ ତ ହେବ ନିଶ୍ଚୟ ।

 

ଯୁଦ୍ଧ ସେତେବେଳେ ଲାଗିଥାଏ—ମୁଁ କିନ୍ତୁ ସେଥିପ୍ରତି ନଜର ଦେଇ ନଥିଲି । ରେଡ଼ିଓରେ ଯୁଦ୍ଧ କଥା ପଡ଼ିଲେ ରୋସେଟାକୁ ରେଡ଼ିଓ ବନ୍ଦ କରିବାକୁ କହୁଥିଲି । ଘୁଷୁରି ଛୁଆଗୁଡ଼ାକ ନିଜନିଜର ବେକ କଟାକଟି କରି ମରନ୍ତୁ–ସେ ଖବର ଶୁଣିବାକୁ ଚାହେଁନା । ସେମାନଙ୍କର ଯୁଦ୍ଧରେ ଆମର ଲାଭ କ’ଣ ? ଗରିବ ଲୋକଙ୍କର ମତାମତ ନନେଇ ସେମାନେ ଯୁଦ୍ଧ ଆରମ୍ଭ କରିଛନ୍ତି । ଅଥଚ ଗରିବମାନେ ଯୁଦ୍ଧରେ ବେଶୀ ଜଡ଼ିତ ହୋଇ ପଡ଼ୁଛନ୍ତି । ଆମପରି ଗରିବମାନଙ୍କର ଏ ଯୁଦ୍ଧର ବ୍ୟାଘାତରେ ମୁଣ୍ଡ ନୁଆଁଇବା ଉଚିତ ।

 

ତେବେ ଯୁଦ୍ଧରେ ମୋର ଉପକାର ହୋଇଥିଲା । ଖୁବ୍ ଚଢ଼ା ଦରରେ କଳାବଜାରରେ ମୁଁ ବେଶ୍‍ ମାଲ ବିକୁଥିଲି ଏବଂ ସରକାରୀ ଦରରେ ଦୋକାନରେ କମ୍ ମାଲ ବିକୁଥିଲି ।

 

ନେପ୍ଲେସ ଓ ଅନ୍ୟାନ୍ୟ ସହଜରେ ବିମାନ ଆକ୍ରମଣ ଚାଲିଥିଲାବେଳେ ଲୋକେ କହୁଥାନ୍ତି—ରକ୍ଷା ନାହିଁ ଚାଲ ପଳାଇବା ।

 

ମୁଁ କହୁଥିଲି–ନା ରୋଗ ଆକ୍ରମଣ ହେବ ନାହିଁ । ପୋପ୍ ଏଠାରେ ଥାନ୍ତି—ମୁଁ ପଳେଇଲେ ଦୋକାନଟି ଦେଖିବ କିଏ ? ମୋ ବାପା ମା ଗାଁରୁ ଚିଠି ଲେଖନ୍ତି, ଗାଁକୁ ତାଙ୍କ ପାଖକୁ ଯିବାକୁ । ମୁଁ କିନ୍ତୁ ମନା କରି ପଠାଇଲି ।

 

ଗାଁମାନଙ୍କରେ ପ୍ରଚୁର ଜିନିଷ । ସରକାର ଉଚିତ ଦରରେ କିଣୁଥିବାରୁ ସେମାନେ ଦେବାକୁ ମନାକରି ଆମକୁ ଦେଉଥିଲେ । ଆମେ ଦେଉଥିଲୁ ଭଲ ଦାମ୍ । ତେଣୁ ସେମାନେ ଆମକୁ ଅପେକ୍ଷା କରୁଥିଲେ । ଆମେ ଥରେ ସୁଟକେଶ ଭର୍ତ୍ତି କରି ଦେଖିଲୁ ଯେ ଆହୁରି ଅନେକ ଜିନିଷ ବଳି ଯାଇଛି । କେଇ ପାଉଣ୍ଡ ଜିନିଷ ମୋର ସ୍କାର୍ଟ ତଳେ ଅଣ୍ଟାରେ ଭିଡ଼ି ନେଇଆସେ । ଦୂରରେ ଦିଶେ ଯେପରି ମୁଁ ଗର୍ଭଅବସ୍ଥା । ରୋସେଟା ତା’ର ସ୍ତନ ଦିଓଟି ମଝିରେ ଅଣ୍ଡା ପୂରାଇ ଆଣୁଥିଲା । ଯେତେବେଳେ ସେଗୁଡ଼ିକ ବଡ଼ିସ୍‍ତଳରୁ ବାହାର କରୁଥିଲା ବେଶ୍ ଗରମ ମନେହେଉଥିଲା । ପଥଟା ଖୁବ୍ ବିପଜ୍ଜନକ ଥିଲା । କାରଣ ବେଳେବେଳେ ଟ୍ରେନ ଉପରେ ମେସିନ୍‍ଗନ୍ ଗର୍ଜି ଉଠୁଥିଲା ଏବଂ ଆମେ ତଳେ ଶୋଇପଡ଼ି ଆତ୍ମରକ୍ଷା କରୁଥିଲୁ । ରୋସେଟା ପ୍ରଥମେ ଭୟ କରୁଥିଲା । କିନ୍ତୁ ପରେ ସାହସୀ ହେଲା । ସେ କିଛି କହେନା । ତା’ର ସ୍ଵଭାବଟି ଥିଲା ଖୁବ୍ କୋମଳ–ସତରେ ପରୀଟିଏ ସେ । ମୁଁ ପ୍ରାୟ ରୋସେଟାକୁ କୁହେଁ–ଭଗବାନଙ୍କୁ ପ୍ରାର୍ଥନା କର, ଯୁଦ୍ଧଟା ଆଉ କେଇଟା ବର୍ଷ ଚାଲିବ ଯେପରି । ତା’ହେଲେ ତମର ଉତ୍କୃଷ୍ଟ ବିବାହ ପୋଷାକ ବରପଣି ପାଇଁ କିଛି ଜମା ହେବ । ତା’ଛଡ଼ା ତୁ ଧନୀ ହୋଇ ଉଠିବୁ । ସେ କିଛି କହେନା—ଦୀର୍ଘନିଃଶ୍ୱାସ ପକାଏ । ତା’ର ପ୍ରଣୟୀ ଯୁଦ୍ଧକୁ ଯାଇଛି–କାଳେ ଯୁଦ୍ଧରେ ପ୍ରେମିକ ମରିଯିବ, ଏଥିପାଇଁ ସେ ଭୟକରେ । ଦି’ଜଣ ଦି’ଜଣକୁ ଚିଠିପତ୍ର ଦିଅନ୍ତି । ପିଲାଟି ଭଲ । ମୁଁ ରୋସେଟାକୁ ସମର୍ଥନ କରେ । ସେ ମୋର କଣ୍ଠ ଜଡ଼ାଇ ଧରେ ।

 

ମୁଁ ଦଶଟି ଘୁଷୁରିମାଂସ ସାର ମୋନେଟାରୁ ରୋମକୁ ଆଣେ ଗୋଟିଏ ଲରିରେ । ଲରି ଡ୍ରାଇଭର ସିମେଣ୍ଟ ବେଗ୍ ତଳରେ ଲୁଚାଇ ଆଣେ । ସେତେବେଳେ ଏ ଗୁଡ଼ିକର ଚାହିଦା ଖୁବ୍ ବେଶୀ । ମୁଁ ଖୁବ୍ ପଇସା ଉଠାଇଲି । ସେତେବେଳେ ପାଟିତୁଣ୍ଡ ହେଲାଯେ ମୁସୋଲିନି ପଳାଇଛି, ତେଣୁ ଯୁଦ୍ଧ ଥମିଯିବ । ମୋ ନିକଟରେ ମୁସୋଲିନିର ମୂଲ୍ୟ ନାହିଁ, କାରଣ ମୋର ବ୍ୟବସାୟଟି ଥିଲା ଅସଲ । ମୁଁ ଭାବୁଥିଲି ଯେ ପେଟ୍ରସି ଘରର ଝିଅକୁ ଯେତେବେଳେ ଭଲ ପାଇ ବସିଲା ତା’ର ଅଧପତନ ଆରମ୍ଭ ହୋଇଛି । ସମସ୍ତେ ଜାଣନ୍ତି ପ୍ରେମଟି ବୁଢ଼ାମାନଙ୍କର ମୁଣ୍ଡ ଖରାପ କରିଦିଏ ।

 

ଲୋକମାନେ ମାଟିତଳରେ ପ୍ରଚୁର ଖାଦ୍ୟ ସାମଗ୍ରୀ ଲୁଚାଇ ରଖନ୍ତି । ମୁଁ ଜଣେ ଗୃହସ୍ଥ ଘରକୁ ମାଂସ ନେଇ ଯାଇ ଦେଖେ ତ ବସ୍ତା ବସ୍ତା ମଇଦା ଜମା ହୋଇଛି । କ’ଣ ଜିନିଷ ନାହିଁ !

 

ମୁଁ କିନ୍ତୁ ଟଙ୍କାକୁ ବଡ଼ ବୋଲି ଦେଖୁଥିଲି । ତେଣୁ ମୋ’ପାଇଁ କିଛି ଜିନିଷ ରଖୁନଥିଲି । ଟଙ୍କା ତ ଖାଇ ହେବନି !! ଦୋକାନଟି ଫାଙ୍କା ହୋଇଯାଏ । ଯାହା ଟଙ୍କା ପଇସା ପାଉଥିଲି ସବୁତକ ପାଖରେ ରଖୁଥିଲି କାରଣ ଶୁଣୁଥିଲି ଯେ ସରକାର ବେଙ୍କରେ ଜମାଇଥିବା ଅର୍ଥ ବାଜ୍ୟାପ୍ତ କରିବେ । ଫାସିଷ୍ଟମାନେ ପୁଣି ଆସିଲେ । ତାଙ୍କର କଳାପତକା ପୁଣି ଉଡ଼ିବାକୁ ଲାଗେ ।

 

ମୁଁ ରୋସେଟାକୁ କହିଲି–ଏଠାରୁ ଶୀଘ୍ର ଚାଲିଯିବା ଦରକାର । ନଚେତ୍ ନଖାଇ ମରିବାକୁ ହେବ । ରୋସେଟା କାନ୍ଦି କାନ୍ଦିକା କହିଲା ଯେ–ତାକୁ ଖୁବ୍ ଡରମାଡ଼ୁଛି । ସେ କହେ–ବୋମା ପକାଇ ଆମକୁ କୁଆଡ଼େ ମାରିଦେବେ । ମୁଁ ତାକୁ କୁଣ୍ଢେଇ ଧରି ପ୍ରବୋଧ ଦିଏଁ; କହେ–ଇଂରେଜମାନେ ଦିନେ ଦି’ଦିନ ଭିତରେ ଆସିଯିବେବୋଲି ଶୁଣୁଛି । ଖାଦ୍ୟପେୟର ଅସୁବିଧା ହେବ ନାହିଁ । ଆମେ ତୋର ଅଜାପାଖକୁ ଚାଲିଯିବା ଏବଂ ଯୁଦ୍ଧ ଶେଷ ହେବାପରେ ପୁଣି ଫେରି ଆସିବା-। ସେ ପଚାରେ–ଏ ଘର କ’ଣ ହେବ ? ମୁଁ କହେ–ଏଇଟି ଦୟୋଭିନ୍‍କୁ ଦେଇଯିବା । ଦୋକାନଟି କିନ୍ତୁ ବନ୍ଦକରି ଦେବାକୁ ପଡ଼ିବ । କିଛି ଜିନିଷ ଯେ ମିଳୁନାହିଁ ।

 

ଦୟୋଭିନ୍‍ ଥିଲା ମୋର ସ୍ୱାମୀର ବନ୍ଧୁ । ସେ କାଠ ଓ କୋଇଲାର ବ୍ୟବସାୟ କରୁଥିଲା । ସେ ବେଶ୍ ଲମ୍ବା ଓ ଚନ୍ଦାମୁଣ୍ଡ, ମୁହଁରେ ସର୍ବଦା ଲାଗି ରହିଥାଏ ଚୁରୁଟ । ସର୍ବଦା ଗୋଟାଏ ନୋଟ୍‍ ବୁକ୍ ଓ ପେନସିଲ ଧରିଥାଏ । ସେ ସବୁବେଳେ ହିସାବ କରୁଥିଲା ଓ ଯାହା ଦେଖୁଥିଲା ଲେଖି ରଖୁଥିଲା । ଥରେ ସେ ସ୍ଵାମୀ ବଞ୍ଚିଥିଲାବେଳେ ମୋ ପାଖକୁ ଆସିଥିଲା ।

 

ସେ କହିଥିଲା—ଆଚ୍ଛା ସେସିରା ତମ ସ୍ୱାମୀତ ବୁଢ଼ା । ତା’ଛଡ଼ା ବହୁ ବାଜେ ସ୍ତ୍ରୀଲୋକ ପାଖକୁ ଯାଏ । ତମେ କେମିତି ତା’ ସାଙ୍ଗରେ ରହିଛ ?

 

ମୁଁ କହିଲି—ମୁଁ ପ୍ରୟୋଜନ ଅନୁସାରେ ବ୍ୟବହାର ଦେଖାଇ ଆସୁଛି । ରାତିରେ ଫେରି ସେ ଯେତେବେଳେ ବିଛଣାକୁ ଯାଏ, ମୁଁ ମୁହଁ ଫେରାଇ ଶୁଏ ।

 

ସେ କହେ—ତମରତ ଏବେବି ବୟସ ଅଛି । ତମର ପୁରୁଷ ସଙ୍ଗାତ ନିହାତି ପ୍ରୟୋଜନ ।

 

କହିଲି—ଏଥିରେ ତମର ଲାଭ କ’ଣ ? ମୋର ପୁରୁଷ ଲୋଡ଼ାନାହିଁ—ଇୟେବି ତମର ଜାଣିବା ଉଚିତ କି ?

 

ତା’ପରେ ସେ ମୋର ଚିବୁକଟି ଧରି କହିଥିଲା—ତମଭଳି ଝିଅମାନଙ୍କ ସଙ୍ଗରେ ସବୁକଥା ସ୍ପଷ୍ଟକରି କହିବା ଦରକାର । ଆଚ୍ଛା ମୋ କଥା କ’ଣ ତମେ ଭାବ କେବେ ?

 

ସେ ମୋତେ ତା’ ସାଙ୍ଗରେ ଶୋଇବାକୁ ନିମନ୍ତ୍ରଣ କରିବାରେ ମୁଁ କହିଉଠିଥିଲି—ତମକୁ କ’ଣ ଲାଜ ମାଡ଼ୁନି ? ଭିନସେନଜୋ ତମର ବନ୍ଧୁ ଘର ।

 

ତା’ପରେ ସେ ଟଙ୍କାଥଳିଟି ନେଇ ଶୋଇବା ଘରକୁ ନିମନ୍ତ୍ରଣ କରି କହେଯେ—ଆହୁରି ଦେବି, ଆସ ।

 

ମୁଁ ନ ରାଗି ତାକୁ ଫେରିଯିବାକୁ କହେ । ସେ ନୋଟ୍‍ଗୁଡ଼ିକ ନେଇ ଚାଲିଯାଏ । ପରେ ଦେଖା ହୋଇଛି । ତା’ର ଭାବଥିଲା ସରଳ, ସ୍ନେହପ୍ରବଣ ଓ ସଭ୍ୟ ।

 

ସେ ଯା’ହେଉ, ଯିବାର ଠିକ୍‍ ହେବାରୁ ମୁଁ ଅନେକ ଦିନ ପରେ ତାକୁ ଦେଖା କରିବାକୁ ଗଲି । ତାକୁ କାଠ ଓ କୋଇଲା ଗୋଦାମ ଘରେ ଦେଖିଲି । ତାକୁ ମୁଁ ସବୁକଥା କହିଗଲି । ସେ ଚୁପ୍ କରି ଶୁଣିଗଲା । କହିଲା ବେଶ୍ ଠିକ୍ ଅଛି । ତମେ ଯେତେଦିନ ନଥିବ ମୁଁ ତମର ଦୋକାନ ଓ ଘରଟି ଦେଖାଶୁଣା କରିବି । ଅବଶ୍ୟ ଏଥିପାଇଁ ଦୁର୍ଯୋଗ ଆସିବ । ତେବେ ସହ୍ୟକରି ନେବାକୁ ହେବ ମୋର ପୁରୁଣା ବନ୍ଧୁପାଇଁ । ମୁଁ କହିଲି, ମୋର ବିଶ୍ୱାସ ମୋ ପାଇଁ କିଛି କରିବ । ମୁଁ ଜାଣେନା କାହିଁକି ମୁଁ ଏକଥା କହିଲି । ସେ ମୋ ଆଡ଼କୁ ମୁହୂର୍ତ୍ତକପାଇଁ ଅନାଇ ତା’ପରେ ମୁହଁଟି ତଳକୁକରି ଟେବୁଲର ଗୋଟିଏ ଧାରରେ ଚୁରୁଟଟି ରଖିଲା ।

 

ସିଡ଼ିର କେଇଟା ପାହୁଚ ଉଠିଯାଇ କବାଟଟି ବନ୍ଦ କରି ଦେଇ ଖିଲଟା ଲଗାଇ ଦେଲା-। ଏହା ଫଳରେ ଅନ୍ଧକାର ବିରାଜ ହେଲା । ମୁଁ ବୁଝିପାରିଲି, ନିଃଶ୍ଵାସ ବନ୍ଦକରି ଅପେକ୍ଷା କରିଥିଲି ଏବଂ ମୋର ହୃଦୟଟି ସ୍ପନ୍ଦିତ ହେବାକୁ ଲାଗିଲା ଦୃଢ଼ ବେଗରେ । ଅବଶ୍ୟ ଖୁବ୍ ଖରାପ ଲାଗୁନଥିଲା, ଉତ୍ତେଜନାରେ ଥରି ଉଠୁଥିଲି ।

 

ଯା’ହେଉ ମୋ ଜୀବନରେ ତାହା ପ୍ରଥମ–ସେ ଅନ୍ଧକାରରେ ମୋ ଆଡ଼କୁ ଆଗେଇ ଆସିଲା । ମୋର ସମସ୍ତ ଦିହଟି ଅଲଗା ହୋଇଯାଏ ଏବଂ ନିଜକୁ ଅଞ୍ଜଳି ଦେବାକୁ ଆଗ୍ରହୀ ହୋଇ ଉଠେ । ଅନ୍ଧକାରରେ ଆସି ସେ ଯେତେବେଳେ ଜଡ଼ାଇ ଧରେ, ମୋର ଇଚ୍ଛା ହେଲା, ମୋ ମୁଖଟି ତା’ ମୁଖରେ ଜୋଡ଼ି ଚାପି ଦେବାକୁ । ସେ ମୋତେ ଠେଲି କାଠ କୋଇଲାର ନରମ ଥଳିଗୁଡ଼ିକ ଉପରେ ଶୁଆଇ ଦିଏ ଏବଂ ନିଜକୁ ଆହୁତି ଦେଇ ମୁଁ ଅନୁଭବ କରେଁ ଯେ ସେହି ପ୍ରଥମ ଜଣେ ପୁରୁଷ ନିକଟରେ ନିଜକୁ ନିବେଦନ କଲି । ଥଳିଗୁଡ଼ିକ ଖସଖସିଆ ଏବଂ ସେ ବେଶ୍ ଭାରୀ ହେବା ସତ୍ତ୍ଵେ ମୁଁ ବେଶ୍‍ ହାଲୁକା ଓ ନିଶ୍ଚିନ୍ତ ହୁଏ । ସମ୍ଭୋଗ ପରେ ସେ ଉଠିଯାଏ ଏବଂ ମୁଁ ଅନେକ ସମୟ ଧରି ସେଠାରେ ଆଶ୍ଚର୍ଯ୍ୟ ଆନନ୍ଦର ମନୋଭାବ ନେଇ ଶୋଇରହେଁ । ମୋର ମନହେଲା ମୁଁ ଅନ୍ଧକାରରେ ତା’ର କଣ୍ଠସ୍ୱର ଶୁଣେ ଯେ ମୁଁ ପ୍ରସ୍ତୁତ କି ନା ।

 

ମୁଁ ଉଠିପଡ଼ି ଠିଆହୁଏଁ । ସେ ଗୋଟିଏ ଉଜ୍ଜ୍ୱଳ ହଳଦିଆ ବତି ଜଳାଏ ଏବଂ ମୁଁ ଦେଖେ ସେ ପୂର୍ବପରି ଟେବୁଲ ଆଗରେ ବସିଛି । ମୁହଁରେ ଚୁରୁଟ ଏବଂ ନରମ ଆଖି ଦିଓଟି ଅର୍ଦ୍ଧମୁଦ୍ରିତ ।

 

ମୁଁ ତା’ ପାଖକୁ ଆଗେଇଯାଇ କହେ—ମୋତେ କଥାଦିଅ । ଆଜି ଯାହା ଘଟିଲା ତାହା କାହା ପାଖରେ କେବେ କହିବ ନାହିଁ—କଥା ଦିଅ !

 

ସେ ଟିକିଏ ହସି କହେ—ମୁଁ ପୁଣି କ’ଣ କହିବି । ତମେ କ’ଣ କହୁଛ ବୁଝିପାରୁନି । ତମେ ତମର ଦୋକାନ ଓ ଘର କଥା କହିବାକୁ ଆସିନଥିଲ ତ ?

 

ମୁଁ ଭାବୁଥିଲି ଯେପରି ସ୍ୱପ୍ନ ଦେଖୁଛି । ମୋର ପୋଷାକରେ ଯଦି କୁଞ୍ଚି ପଡ଼ିନଥାନ୍ତି ଏବଂ କାଠ କୋଇଲା ଉପରେ ଏପଟ ସେପଟ କରିବାରେ ମୋ ଦିହରେ ଯଦି କଳା କଳା ଦାଗ ନ ଲାଗନ୍ତା ତା’ହେଲେ ହୁଏତ ସତରେ ମୁଁ ଭାବି ନ ଥାନ୍ତି ଯେ କିଛି ଘଟି ନାହିଁ ।

 

ମୁଁ କହିଲି—ହଁ, ତମେ ଠିକ୍ କହିଛ । ମୁଁ ଘର ଓ ଦୋକାନ କଥା କହିବାକୁ ଆସିଛି ।

 

ତା’ପରେ ସେ ଗୋଟାଏ କାଗଜରେ ଲେଖେ ଯେ ମୁଁ ଦୋକାନ ଓ ଘରଟି ବର୍ଷକ ପାଇଁ ଲିଜ୍ ଦେଇଛି । ତା’ପରେ ମୁଁ ଦସ୍ତଖତ କରେ । ଡ୍ରୟାର ଭିତରେ କାଗଜଟି ରଖିଦେଇ କବାଟଟି ଖୋଲି କହିଲି—ତା’ହେଲେ ମୁଁ ତମର ଦୋକାନ ଓ ଘରଟି ନେବି ଏବଂ ତମକୁ ଷ୍ଟେସନରେ ପହଁଞ୍ଚାଇ ଦେବି ।

 

ସେ କବାଟ ପାଖରେ ଠିଆ ହୁଏ । ତା’ ଆଗରେ ଯିବାବେଳେ ମୋ ପଛରେ ଏକ ଚାପୁଡ଼ା ଦିଏ ସ୍ନେହରେ, କହେ—ଆଉ ସବୁ ତେବେ ରହିଲା ।

 

ମନେମନେ ଭାବେ ଯେପରି ମୋର ପ୍ରତିବାଦ କରିବାର କୌଣସି ଅଧିକାର ନାହିଁ । ମୁଁ ତ ଆଉ ସତୀ ନାହିଁ—ଏଥିପାଇଁ ଯୁଦ୍ଧ ଓ ଖାଦ୍ୟ ହିଁ ଦାୟୀ ।

 

ମୁଁ ଘରକୁ ଫେରିଯାଇ ଚାଲିଯିବାର ଯୋଗାଡ଼ କରିବାକୁ ଲାଗିଲି । କୋଡ଼ିଏ ବର୍ଷଧରି ଏ ଘରେ ମୋର ସମ୍ପର୍କ ମନ ଭିତରେ ଯେପରି ଧାରଣା ହୁଏ ଯେ ଆମକୁ ଆହୁରି ବର୍ଷେ ଦୁଃଖ ସହିବାକୁ ପଡ଼ିବ । ରାଜନୀତି ସମ୍ପର୍କରେ ମୋର ଧାରଣା ନାହିଁ । କିନ୍ତୁ ସେତେବେଳେ ଯେଉଁ ଅବସ୍ଥା ସେଥିରେ ମୋ’ଭଳି ଗରିବଙ୍କର କେଉଁଥିରେ ଭଲ ନ ଲାଗିବାର କଥା ।

 

ଶୀଘ୍ର ଫେରିବାର ଆଶାରଖି ଆମେ ଦୁଇଟା ଭଲ ସୁଟକେଶରେ ହାଲୁକା ପୋଷାକ—ଦି’ଟା ସୁଇଟର ପୂରାଇ ଦେଲୁ । ନିଜର ଘରଦ୍ଵାର ଛାଡ଼ି ଚାଲିଯିବାର ବେଦନାକୁ ଚାପିବା ପାଇଁ ମୁଁ ରୋସେଟାକୁ ସାନ୍ତ୍ୱନା ଦେଲି । ରୋସେଟା କିନ୍ତୁ ତା’ର ପ୍ରଣୟୀର ଚିନ୍ତା କଲା । ମୁଁ ତାକୁ ଆଲିଙ୍ଗନ କରି ଚୁମ୍ଵନ ଦେଇ କହିଲି—ତୁ କିଛି ଭାବନା, ମ୍ୟାଡୋନା ସବୁ କିଛି ଦେଖୁଛନ୍ତି । ତୋର ପ୍ରଣୟୀର କୌଣସି କ୍ଷତି ହେବ ନାହିଁ । ଜୀବନଟି କେଇଟା ଅଭ୍ୟାସର ସମଷ୍ଟିମାତ୍ର । ସଭ୍ୟତା ମଧ୍ୟ ଗୋଟିଏ ଅଭ୍ୟାସ । ଥରେ ଅଭ୍ୟାସର ପରିବର୍ତ୍ତନ ହେଲେ ଜୀବନଟି ପାଲଟିଯାଏ ନରକ ଏବଂ ଆମେ ହୋଇପଡ଼ୁ ନରକର ଏକ କୀଟ—ନିଜ ବା ଅନ୍ୟପ୍ରତି ରହେନା ସମ୍ମାନ ବୋଧ ।

 

ମୁଁ ଅନୁଭବ କଲି ନରକ ଯନ୍ତ୍ରଣା । ଛି ରାସ୍ତାର ବାରବନିତା ପରି ପୋଷାକ ପିନ୍ଧି, କୋଇଲା ଗଦା ଉପରେ ନିଜକୁ ସମର୍ପଣ କରିବାରେ ଦୟୋଭାନି ମୋ ସମ୍ପର୍କରେ ସତରେ କ’ଣ ଭାବୁଛି—ରାଗରେ ଆଙ୍ଗୁଳିଟା କାମୁଡ଼ିବାକୁ ଇଚ୍ଛାକଲି । କୋଡ଼ିଏ ବର୍ଷ ଧରି ଯେଉଁ ଘରେ ରହିଛି ତାକୁ ଛାଡ଼ିବାକୁ ହେବ । ରନ୍ଧାଘରେ ନିଆଁ ଲିଭିଗଲାଣି । ଯେଉଁ ଡବଲବେଡରେ ମୁଁ ରୋସେଟା ସହିତ ଶୋଉଥିଲି ତାହାର ଚଦରଟି ମଧ୍ୟ ବିଶୃଙ୍ଖଳ ଭାବରେ ଓଲଟି ଯାଇଛି; କାରଣ ଯେଉଁ ବିଛଣାରେ ମୁଁ ଶୋଇବି ନାହିଁ ତାକୁ ପରିଷ୍କାର କରି ଲାଭ ଅବା କଅଣ ?

 

ଟେବୁଲରେ ବସି ପାଉଁରୁଟିରେ ସାର୍ଡିନମାଛ ଲଗାଇ ଖାଇଲୁ । ମୁଁ ରୋସେଟା ଆଡ଼କୁ ଅନାଇଲି । ମୁଖଟି ତା’ର ବିଷଣ୍ଣ—ଖାଇପାରିଲି ନାହିଁ । ଦି’ଟାବେଳେ ସେହି ଅସଜଡ଼ା ବିଛଣାରେ ଶୋଇ ଆମେ କିଛି ସମୟ ଶୋଇ ରହୁ । ସେ ଶୋଇପଡ଼େ । ମୋର କିନ୍ତୁ ଦୟୋଭାନି କଥା ମନେପଡେ଼ ।

 

ଶେଷରେ କବାଟରେ କଲିଂ ବେଲ ବାଜି ଉଠେ । ମୁଁ ଘୁମନ୍ତ ରୋସେଟାର ଜଡ଼ାଇଥିବା ହାତଦିଓଟି ଘୁଞ୍ଚାଇ ତଳକୁ ଓହ୍ଲାଇଯାଏ ।

 

ଦୟୋଭାନି ହସ ହସ ମୁହଁରେ ଚୁରୁଟ୍ ଲଗାଇ ଠିଆ ହୋଇଯାଏ । ମୁଁ ତାକୁ କିଛି କହିବା ପୂର୍ବରୁ କହିଲି ରାଗରେ—ଯାହା ହେବାର ହୋଇଛି । ମୁଁ ଅନେକ ତଳକୁ ଚାଲିଯାଇଛି । ତମେ ମୋତେ ଚାପଡ଼ ମାରି ଭଲ କରିଛ । ତେବେ ପୁଣି ଯଦି ମାରିବ ତେବେ ତମକୁ ଖୁନ୍ କରିଦେବି—ଜେଲ ଯିବାର ହେଲେ ଯିବି । ଏ ଦିନରେ ଜେଲଟା ବରଂ ଭଲ ।

 

ସେ ଆଶ୍ଚର୍ଯ୍ୟ ହୋଇ ଭ୍ରୂ ଦି’ଟା ଉଠାଇ କିଛି କହେନା । ତା’ପରେ ହଲଘରେ ପଶୁ ପଶୁ ଧୀର ଗଳାରେ କହେ—ଠିକ୍ ଅଛି । ତମ ଘରର ଜିନିଷପତ୍ର ସବୁ ବୁଝାଇ ଦିଅ ।

 

ଲିଷ୍ଟଟି ନେଇ ଆସିଲା ଏବଂ ଜିନିଷପତ୍ର ସବୁ ଦୟୋଭାନିକୁ ଜିମାଦେବା ପୂର୍ବରୁ କହିଲି–ମନେରଖ, ଏହି ଜିନିଷଗୁଡ଼ିକ ମୁଁ ଓ ମୋର ସ୍ଵାମୀ ବହୁକଷ୍ଟରେ ବିଗତ କୋଡ଼ିଏ ବର୍ଷ ଧରି ଖଟି ଖଟି କରିଛୁଁ । ମୁଁ ଯେପରି ଏଗୁଡ଼ିକ ଫେରି ଆସି ପାଇ ପାରିବି । ଗୋଟିଏ କଣ୍ଟା ଯେପରି ନ ହଜେ ।

 

ସେ ହସି କହେ—ଭାବନା, ତମେ ଫେରି ଆସି ତମର ସବୁ ପୁରୁଣା କଣ୍ଟାଗୁଡ଼ିକ ପର୍ଯ୍ୟନ୍ତ ଫେରି ପାଇବ ।

 

ଦୁଇଟା ଲିଷ୍ଟ ହୁଏ—ଜିନିଷପତ୍ର ଦେଖାଇବା କାମ ଚାଲେ । ତାକୁ ସବୁକିଛି ଜିନିଷପତ୍ର ଦେଖାଇ ଆମେ ତଳ ଦୋକାନକୁ ଓହ୍ଲାଇ ଆସୁଁ । ଦୋକାନରେ ଲିଷ୍ଟ ଶେଷ ହେବାପରେ ଆମେ ନିଜେ ଉପରକୁ ଉଠିଯାଉଁ । ମୁଁ ହତାଶାରେ କହେଁ—ମୋର ମନେହେଉଛି ଯେ, ମୁଁ ହୁଏତ ଆଉ ଫେରିବି ନାହିଁ—ଏସବୁ ଜିନିଷର ତାଲିକାରେ ଲାଭ କ’ଣ ?

 

ସିଗାରେଟ ଖାଉଁ ଖାଉଁ ଦୟୋଭାନି କହିଲା—ପନ୍ଦର ଦିନ ଭିତରେ ଇଂରେଜମାନେ ଆସିବେ—ଫାସିଷ୍ଟମାନେ କହୁଛନ୍ତି । ତମେ ପନ୍ଦରଦିନ ପରେ ଫେରି ଆସିଲେ ଫେର୍‍ ଭୋଜିହେବ । ଦୟୋଭାନି ମୋର ଗାଲରେ ଟିକିଏ ଆଦର କଲା । ମୁଁ ଆନନ୍ଦ ପାଇଲି ।

 

ଜିନିଷପତ୍ର ସଜଡ଼ା ସଜଡ଼ି ସରିଗଲା । ସେଇ ପୁରୁଣା ଗାଁ ଯେଉଁଠି ମୁଁ ମଣିଷ ହୋଇଛି, ମୋର ବାପା ମା’ ଅଛନ୍ତି, ସେଇ ଗାଁକୁ ଫେରିଯିବି । ବେଶ୍ ଭଲ ।

 

ରାତିରେ ରନ୍ଧାରନ୍ଧି କରି ଆମେ ଖାଇବାକୁ ବସିଛୁ । ବିମାନ ଆକ୍ରମଣର ସାଇରନ ବାଜିଉଠିଲା । ରୋସେଟା ଆତଙ୍କରେ ଥରି ଉଠିଲା । ଆମେ ମାଟିତଳଘରକୁ ଚାଲିଗଲୁ । ଅନ୍ୟାନ୍ୟମାନଙ୍କ ସାଙ୍ଗରେ ପ୍ରାୟ ପଇଁଚାଳିଶ ମିନିଟ ସେ ଅନ୍ଧକାରରେ ବସି ରହିଲୁ । ଏତିକିବେଳେ ଯାହାକୁ ମୁଁ ଦି’ ଆଖିରେ ଦେଖିପାରେନା ରୁଟିବାଲା କହିଲା—ଏ ଯେଉଁ ଯୁଦ୍ଧ—ସୈନ୍ୟମାନେ ତମ ଦିହରେ ହାତ ଦେବେ ନାହିଁ ସିନା ତମ ଝିଅ ଦେହରେ ? ମୁଁ କହିଲି—ମୋର ବୟସ ମାତ୍ର ପାଇଁତିରିଶ ଏବେବି ଅନେକ ମୋ ପଛରେ ବାହାହେବା ପାଇଁ ବୁଲନ୍ତି । ସେ ଉତ୍ତରଦେଲା–ଅଙ୍ଗୁରକୋଳି ସବୁ ଖଟା । ମୁଁ କହିଲି—ମୋକଥା କ’ଣ ତମ ସ୍ତ୍ରୀ କଥା ଭାବ । ତୋତେ ବୋକା ବାନେଇଲାଣି ସେ । ଦୁର୍ଭାଗ୍ୟକୁ ତା’ ସ୍ତ୍ରୀ ସେଇଠି ଥିଲା । ମୁଁ ତା’କଥା ଜାଣିଛି । ଅନ୍ଧକାରରେ ସେ ରୋସେଟାର କେଶର ମୁଠାଧରି ତାକୁ ମାରୁଛି ଏବଂ ରୋସେଟା ଆର୍ତ୍ତନାଦ କରୁଛି । ସେତିକିବେଳେ ମୁଁ ତା’ଉପରେ ଝାମ୍ପି ପଡ଼ିଲି ଏବଂ ତଳେ ଦି’ଜଣ ଗଡ଼ିବାକୁ ଲାଗିଲୁ । ଦି’ଜଣ ଦି’ଜଣଙ୍କର କେଶଧରି ପରସ୍ପର ମାରିବାକୁ ଲାଗିଲୁ । ରୋସେଟା କାନ୍ଦିଉଠି ଅନ୍ୟର ସାହାଯ୍ୟ ଲୋଡ଼ିବାକୁ ଲାଗିଲା । ଶେଷରେ କେଇଜଣ ଆମକୁ ଗଡ଼ାଇ ଦେଲେ । ତା’ପରେ ଆଲୋକଟି ଜଳିଉଠିବାରେ ଆମେ ଦେଖୁ ଯେ ଅଲଗା ବେଶରେ ପରସ୍ପର ମୁହାଁମୁହିଁ ହୋଇ ଠିଆହୋଇଛୁ । ଗୋଟିଏ କୋଣରେ ରୋସେଟା କାନ୍ଦୁଥିଲା ।

 

ସେଦିନ ରାତିରେ ଆମେ ଚଞ୍ଚଳ ଶୋଇପଡ଼ିଲୁ । ରୋସେଟା ପଚାରିଲା—ମା’ ଜର୍ମାନୀଗୁଡ଼ାକ ଖରାପ ଲୋକ ? ମୁଁ କହିଲି—ସେମାନେ ଏ ଦେଶକୁ ଆସି ଜଳେଇଲେଣି । ତେଣୁ ଲୋକେ ଘୃଣା କରୁଛନ୍ତି ।

 

ଏ ଜଗତରେ ଏ ଦୁର୍ଯୋଗରେ ଦିଓଟି ମାତ୍ର ନାରୀ ଯାହାର କୌଣସି ପୁରୁଷ ଆତ୍ମୀୟ ବା ଅଭିଭାବକ ନାହାନ୍ତି—ଅନ୍ଧ ଲୋକ ପରି ନଦେଖି ନବୁଝି ଆଗେଇ ଚାଲୁଛନ୍ତି ଆଶ୍ରୟ ଆଶାରେ–ଶାନ୍ତି ଆଶାରେ ।

 

ଗୁଳିର ଶବ୍ଦ ହୁଏ—ତା’ପରେ ଟ୍ରାକ୍ଟର ଏକ ବିରାଟ ବନପ୍ରାୟ ପାଖଦେଇ ଯାଏ । ମୁଁ ରୋସେଟାର ମୁଖାଟି ବୁକୁରେ ଚାପି ଧରିଲି । ମନେପଡ଼ିଗଲା, ତା’ର ଶିଶୁ ଅବସ୍ଥାରେ ଯେତେବେଳେ ମୋର ବୁକୁରୁ କ୍ଷୀର ଖୁଆଉଥିଲା—ମୋର ସ୍ତନ ଦିଓଟିରେ ଦୁଧ ଭରି ରହୁଥିଲା ।

 

ପାଖ ଫ୍ଲାଟରେ ଗୋଟାଏ କୁକୁଡ଼ା ଡାକି ଉଠିଲା । ମୁଁ ଶୋଇବାକୁ ଚେଷ୍ଟା କଲି । ମନରେ ଅଜସ୍ର ଉନ୍ମାଦ ଭାବନା—ଅସଂଗତ ଚିନ୍ତା—ମନରେ ଗଭୀର ବେଦନା ।

 

କବାଟରେ ଶବ୍ଦ ଶୁଣି ମୁଁ ଉଠି ପଡ଼ିଲି, ଅନ୍ଧକାର ଭିତରେ କବାଟଟି ଖୋଲିଦେଇ ଦେଖେଁ ଯେ ଦୟୋଭାନି ଠିଆ ହୋଇଛି । ସେ ପଶି ଆସି କହିଲା—କେତେ ଶୋଇଛମ ଘଣ୍ଟାଏ ଧରି ମୁଁ ବେଲ୍ ଟିପୁଛି ।

ମୋ ଦେହରେ କେବଳ ସେମିଜ୍‍ଟି ଥାଏ । ମୋର ସ୍ତନ ଦିଓଟି ସେତେବେଳେ ଏତେ ସୁଦୃଢ଼ ଥିଲା ଯେ ସେ ବଡ଼ିସ୍ ନପିନ୍ଧି ମଧ୍ୟ ଠିଆ ରହୁଥିଲା । ସେ ସମୟରେ ସ୍ତନ ଦିଓଟର ଭୁଣ୍ଡି ଦିଓଟି ସାମାନ୍ୟ ଊର୍ଦ୍ଧ୍ଵମୁଖୀ ରହିବାରେ ଦୃଷ୍ଟି ଆକର୍ଷଣ କରିଥିଲା ଅନେକ । ମୁଁ ଲକ୍ଷ୍ୟ କଲି ଯେ ଦୟୋଭାନିର ଦୃଷ୍ଟି ତା’ରି ଉପରେ ପଡ଼ିଛି । ତା’ର ଆଖି ଦିଓଟି ଜଳିଉଠିଲା, ମୁଁ ବୁଝିପାରିଲି, ମୋର ସ୍ତନ ଦିଓଟିକୁ ସେ ଧରିବାକୁ ଆସୁଛି । ମୁଁ ପଛେଇ ଆସି କହିଲି—ନା, ଦୟୋଭାନି ନା । ମୋ ନିକଟରେ ତମେ ମୃତ । ଯାହା ଘଟି ଯାଇଛି ତାହା ଭୁଲି ଯାଅ । ତମେ ଯଦି ବିବାହିତ ହୋଇନଥାନ୍ତ, ମୁଁ ତୁମକୁ ବିବାହ କରିଥାନ୍ତି; ତେଣୁ ଆଉ କିଛି ହେବା ଅନୁଚିତ ।

ସେ ନିଜକୁ ସଂଯତ କରିବାକୁ ଯାଇ କହିଲା—ତମେ ଠିକ୍ କହିଛ । ଆଶାକରେ ବୋମା ପଡ଼ି ମୋର ସ୍ତ୍ରୀର ଯେପରି ମୃତ୍ୟୁ ହୁଏ । ତମେ ଫେରି ଆସି ଦେଖିବ ମୁଁ ବିପତ୍ନୀକ ଏବଂ ଆମେ ପୁଣି ବିବାହ କରିପାରିବା ନିଶ୍ଚୟ ।

ମୁଁ କିଛି କୁହେନା । ଦୟୋଭାନି ଯାଇ ରୋସେଟା ସାଙ୍ଗରେ ଥଟ୍ଟା କରେ—ମୁଁ ଜାଣେ ତମେ ସବୁ ଖୁବ୍ ଅଣ୍ଡା ଓ ମାଂସ ଖାଇ ମୋଟା ହୋଇ ଫେରିଆସିବ ।

ଏ ଭିତରେ ଆମେ ପ୍ରସ୍ତୁତ ହୋଇ ଯାଉ । ମୁଁ କବାଟ ପାଖକୁ ସୁଟକେଶ ତିନୋଟି ଓ ବେଗ୍‍ଟି ନେଇଯାଏ । ତଳକୁ ଓହ୍ଲାଇ ଯାଉଁ । ମୁଁ ଘରଟି ଚାବିଦେବାକୁ ରହିଯାଏ । ସେମାନେ ଅଦୃଶ୍ୟ ହେବା ପରେ ଶୋଇବା ଘରେ ପଶି ତଳୁ ଲୁଚାଇଥିବା ଟଙ୍କାଟି ବାହାର କରିନିଏଁ––ଅନେକ ଟଙ୍କା—ହଜାର ହଜାର ଟଙ୍କାର ନୋଟ୍‍ । ରୋସେଟା ଆଗରେ ବି ଟଙ୍କାଟା ବାହାର କରିବାକୁ ମୁଁ ରାଜି ହୋଇନଥିଲି । କାରଣ ଟଙ୍କା ବ୍ୟାପାରରେ ଆତ୍ମୀୟ ମଧ୍ୟ ଚଞ୍ଚଳତା କରେ । ଟଙ୍କା ବ୍ୟାପାରରେ କାହାକୁ ବିଶ୍ୱାସ କରିବାର ନୁହେଁ । ହଲ ଘରେ ମୋର ଅନ୍ତବାସ ଭିତରେ ଟଙ୍କାଗୁଡ଼ାକ ଗୁଞ୍ଜି ପକାଏ ଏବଂ ରାସ୍ତାରେ ସେମାନଙ୍କ ସହିତ ଦେଖା କରେ । ଗାଡ଼ିଟି ଅପେକ୍ଷା କରିଥାଏ । ଆମେ ସେଥିରେ ଚଢ଼ିଯାଉ । ମୁଁ ଦୋକାନ ଓ ଘର ଆଡ଼କୁ ଅନାଇ ରହିଥାଏ । ମୁଁ ଭାବୁଥାଏ ହୁଏତ ଏଗୁଡ଼ିକ ମୋର ଜୀବନରେ କେବେ ଦେଖିପାରିବି ନାହିଁ । ଦିନର ଆଲୋକ ସେତେବେଳେ ସ୍ପଷ୍ଟ ହୋଇ ଉଠି ନାହିଁ । କ୍ରମେ ଅନ୍ଧକାର କଟିଗଲା । ପିରୋଜା କୋଲୋନ୍ନାରେ କିଛି ଦିନ ପୂର୍ବରୁ ମୁସୋଲିନିର କଳା ପତାକା ଉଡ଼ୁଛି—କବାଟ ଦି’ପାଖରେ କଳା ପୋଷାକ ପିନ୍ଧିଥିବା ଦି’ଜଣ ଫାସିଷ୍ଟ ।

ପଚାରିଲି—ମୁସୋଲିନି କ’ଣ ଫେରିଲେଣି ?

ଦୟୋଭାନି—ହଁ ସେ ଫେରିଛନ୍ତି ଦୀର୍ଘଜୀବୀ ହୁଅନ୍ତୁ । ତା’ ମୁହଁରୁ ଏକଥା ଶୁଣି ଆଶ୍ଚର୍ଯ୍ୟ ହେଲି କାରଣ ମୁଁ ଜାଣିଥିଲି ଯେ ସେ ମୁସୋଲିନିକୁ ପସନ୍ଦ କରେନା । ତା’ପରେ ସେ କହୁଣିରେ ଢିଅ ମାରି ମୋତେ ଆଖିଟିପି ଡ୍ରାଇଭରକୁ ଦେଖାଇ ଦେଲା । ଡ୍ରାଇଭରଟି ବୁଢ଼ା ହେଲେ କ’ଣ ହେବ, ଗୁପ୍ତଚର କାମ କରୁଛି । ଯା’ହେଉ ମୁଁ ଆଉ କିଛି କହିଲି ନାହିଁ ।

ଷ୍ଟେସନରେ ପହୁଞ୍ଚିଗଲୁ । ଲୋକ ଭର୍ତ୍ତି, ଅଧିକାଂଶ ଆମପରି ସାଧାରଣ; କିନ୍ତୁ ଅସ୍ତ୍ରଶସ୍ତ୍ର ନେଇ ଅନେକ ଜର୍ମାନୀ ସୈନ୍ୟ ମଧ୍ୟ ଅଛନ୍ତି । ଦୟୋଭାନି ଟିକଟ କାଟିବାକୁ ଗଲା । ଟ୍ରେନଟିଏ ପହୁଞ୍ଚିଲା ।

ଟିକଟଗୁଡ଼ିକ ହାତରେ ନେଇ ଦୟୋଭାନି ଆମକୁ ନେବାକୁ ଆସିଲା ଏବଂ କହିଲା ଯେ, ଏହି ଟିକଟଗୁଡ଼ିକରେ ଆମେ ଫାଣ୍ଡି ପର୍ଯ୍ୟନ୍ତ ଯାଇପାରିବୁ ଏବଂ ତା’ପରେ ପାହାଡ଼ଗୁଡ଼ିକ ପାରିହୋଇ ଗାଁରେ ପହଞ୍ଚିଯିବୁ । ରେଳଗାଡ଼ିରେ ଲୋକ ଦେଖିବାକୁ ମିଳେନା । ଜର୍ମାନ ସୈନ୍ୟରେ ଭର୍ତ୍ତି । ଗୋଟାଏ ତୃତୀୟ ଶ୍ରେଣୀ କମରାରେ ଆମେ ଇତାଲୀୟାନମାନଙ୍କୁ ଦେଖିବାକୁ ପାଇଲୁ । ପଶୁମାନଙ୍କୁ ଙ୍କସେଇଖାନାକୁ ନେଲାଭଳି ମଣିଷଗୁଡ଼ାକ ପଶିଥାନ୍ତି । ମୁଁ ରୋସେଟାକୁ କହିଲି—କ’ଣ ଦେଖୁଛୁ, ଆମକୁ ସାରାରାସ୍ତା ଠିଆ ହୋଇ ଯିବାକୁ ପଡ଼ିବ ।

ପାଇଖାନା ପାଖରେ ଆମେ ସୁଟକେଶଗୁଡ଼ିକ ରଖି ତା’ଉପରେ ଆମେ ବସିପଡ଼ିଲୁ । ଦୟୋଭାନି କହିଲା—ମୁଁ ଯାଉଛି, ଗାଡ଼ିତ ଏବେ ଛାଡ଼ିବ । ଆଗରେ ଜଣେ ଲୋକ ବସିଥିଲା—ଆମେ ଯେଇମିତି ତିନିଘଣ୍ଟା ହେଲା ବସିଲୁଣି ।

ଯା’ହେଉ ଦୟୋଭାନି ରୋସେଟାର ଦି’ ଗାଲରେ ଏବଂ ମୋ ଓଠରେ ଚୁମ୍ବନ କରି ବିଦାୟ ନେଲା । ମୁଁ ବସିଥାଏ ଉପରେ ଏବଂ ରୋସେଟା ତଳେ ବସି ମୋ ଆଣ୍ଠୁ ଦି’ଟା ଉପରେ ତା’ର ମଥାଟି ରଖିଥାଏ । ବେଳ ଗଡ଼ିଗଲା । ଜର୍ମାନମାନେ ମଧ୍ୟ ଚୁପ୍ ରହିଥାନ୍ତି ।

ବହୁସମୟ ପରେ ଟ୍ରେନଟି ଯିବାକୁ ଆରମ୍ଭକଲା । ମୁଁ ନିଜକୁ ଓ ରୋସେଟାକୁ ମ୍ୟାଡୋନା ହାତରେ ସମର୍ପଣ କଲି, ଆମକୁ ବିପଦରୁ ରକ୍ଷା କରିବା ପାଇଁ । ମୁଁ ଶୋଇପଡ଼ିଲି ।

 

ଦୁଇ

 

ଘଣ୍ଟାଏ ପରେ ଯେତେବେଳେ ନିଦ ଭାଙ୍ଗିଲା ଦେଖେ ଯେ ଟ୍ରେନଟି ଠିଆ ହୋଇଛି । ଲୋକମାନେ ଝରକାରେ ମୁଣ୍ଡ ଗଳେଇ କ’ଣ ଦେଖୁଛନ୍ତି । ରୋସେଟା ଓ ମୁଁ ଦେଖିଲୁ—ଗୋଟାଏ ଘର ଜଳିଉଠି କଳାଧୂଆଁ ଆକାଶକୁ ଉଠୁଛି । ଶୁଣିଲୁ ଉଡ଼ାଜାହାଜଟିଏ ଗୋଳା ପକାଇ ଚାଲିଯାଇଛି-। ଟିକିଏ ପରେ ଟ୍ରେନଟି ପୁଣି ଯିବାକୁ ଲାଗିଲା । ଟ୍ରେନଟି ଘଣ୍ଟାଏ ଅଧଘଣ୍ଟାଏ ପଡ଼ିଆ ଭିତରେ ଠିଆହୋଇ ପଡ଼ିଥିଲା । ଆମକୁ ଫଣ୍ଡିରେ ଓହ୍ଲାଇବାକୁ ପଡ଼ିବ । ମୋର ବାପ ମା’ ଥାନ୍ତି ପାହାଡ଼ ଉପର ଭାଲୋ କୋରସର ଗୋଟିଏ ଗାଁରେ । ଫଣ୍ଡିରୁ ଘଣ୍ଟାଏ ଲାଗେ ।

 

ମଣ୍ଟି ସାନରିୟସିଓରେ ଯେତେବେଳେ ଟ୍ରେନଟି ପହୁଞ୍ଚିଲା, ମୁଁ ଦେଖିଲି ଯେ ସମସ୍ତେ ଗାଡ଼ିରୁ ଓହ୍ଲାଇ ପଡ଼ିଛନ୍ତି । ଆମେ କେବଳ ଦି’ଜଣ ବସିଛୁ । ଗାଁ ସ୍ୱପ୍ନରେ ମନଟା ଆକୁଳ ହୋଇପଡ଼ୁଥାଏ । ଭୋକ ଲାଗିଲା । ମୁଁ ସୁଟକେଶରୁ ପାଉଁରୁଟି ଓ ସାଲେମ ନେଇ ସାଣ୍ଡଉଇଚି ତିଆରି କଲି । ଗୋଟିଏ ଛୋଟ ବୋତଲରେ ମଦ ଥିଲା । ମୁଁ ଓ ରୋସେଟା ତାହା ପାନ କଲୁ । ସେହି ଗରମ ଓ ନିସ୍ତବ୍ଧତାରେ ଆମେ ଖାଇବାକୁ ଲାଗିଲୁ ।

 

ଏତିକିବେଳେ ଗୋଟାଏ ରେଳ କର୍ମଚାରୀ ବେଶ୍‍ କ୍ରୋଧରେ କହିଲା—ଏଇଠି ତମକୁ ଓହ୍ଲାଇବାକୁ ପଡ଼ିବ । ମୁଁ ଟିକଟ ଦେଖାଇ କହିଲି—ଆମେ ଫଣ୍ଡି ଯିବୁ । ସେ କହିଲା—ଟ୍ରେନଟି ଆଗକୁ ଯିବ ନାହିଁ ।

 

—ଏଇଟା ତେବେ ଫଣ୍ଡି ଯିବନାହିଁ ?

 

—ନା, ଲାଇନ ଭାଙ୍ଗିଯାଇଛି । ତମେ ଚାଲି ଚାଲି ଅଧଘଣ୍ଟା ଭିତରେ ଫଣ୍ଡି ଯାଇପାରିବ । ଏ ଟ୍ରେନଟି ପୁଣି ରୋମ ଫେରିଯିବ ।

 

ଆମେ ଟ୍ରେନରୁ ଓହ୍ଲାଇ ପଡ଼ିଲୁ । ପ୍ଲାଟଫର୍ମଟି ଜନଶୂନ୍ୟ । ଓଟିଂରୁମ ମଧ୍ୟ ଖାଲି ।

 

ରୋସେଟା ପଚାରିଲା—ଆମେ ଏବେ କ’ଣ କରିବା ?

 

କହିଲି—କ’ଣ ଆଉ କରିବା । ପାଦରେ ଯିବା ।

 

ସୁଟକେଶଗୁଡ଼ିକ ?

 

—ବୋହି ନେବା ।

 

ରୋସେଟା ଓ ମୁଁ ସୁଟକେଶରୁ ଦି’ଟା ଚଦର ବାହାରକରି ମୁଣ୍ଡରେ ମୁଚୁଳା ତିଆରି କଲୁ-। ମୋ ଉପରେ ଦିଓଟି ଏବଂ ରୋସେଟା ଉପରେ ଗୋଟିଏ ସୁଟକେଶ ଲଦିଦେଲି । ତା’ପରେ ଚାଲିଲୁ ।

 

ସହର ଭିତରକୁ ଯାଇ ଦେଖିଲୁ ଏହା ପରିତ୍ୟକ୍ତ । ଗୋଟାଏ ମଣିଷତ ଦୂରକଥା, କୁକୁର ବିଲେଇ ମଧ୍ୟ ନାହାନ୍ତି । କ୍ଷେତସବୁ ଉଜୁଡ଼ା ହୋଇଛି । ପାଇଲି ସତରେ ଏହାହିଁ ଶୁଦ୍ଧ । ସବୁ ସ୍ଵଭାବିକ ଭାବରେ ଚାଲିଛି କିନ୍ତୁ ମଣିଷ ନାହାନ୍ତି ମଣିଷ କୁଆଡ଼େ ?

 

ଫଣ୍ଡିରେ ପହଞ୍ଚିଲୁ । ସହରଟି ପରିତ୍ୟକ୍ତ । ଏଠାରେ ବି କେହି ନାହାନ୍ତି । ରୋମଠାରୁ ଅବସ୍ଥା ଆହୁରି ଖରାପ । ଆଶ୍ରୟ ଆଶାରେ ପୁଣି ବାହାରି ପଡ଼ିଲୁ ।

 

ଆଗେ କିଛି ଦୂର ଯାଇ ଗୋଟିଏ କୁଟୀର ଦେଖିଲୁ । ମନେହେଲା ଚାଷୀଘରଟିଏ । ଘରର ମାଲିକ ଜଣେ ବୁଢ଼ା ରୋଗା ବାହାରି ଆସି କହିଲା—ଆପଣମାନେ କିଏ ? କ’ଣ ଚାହାଁନ୍ତି-?

 

ମୁଁ କହିଲି ଯେ ଆମେ ଲେନୋଲାରୁ ଆସୁଛୁ, ଆମେ କ୍ଳାନ୍ତ । ଯଦି ଗୋଟିଏ ଘର ଦିଅନ୍ତେ, ରହିବାକୁ ଭଲ ହୁଅନ୍ତା । ଟଙ୍କା ଦେବୁ—ଆମରତ ଘର ନାହିଁ, ତେବେ ତମେ କେତେ ଟଙ୍କା ଦେବ ? ଏତିକିବେଳେ ତା’ ସ୍ତ୍ରୀ ଆସି ପହୁଞ୍ଚିଲା । ସେ ମୋର ବେକଟି କୁଣ୍ଢାଇ କହି ଉଠିଲା––ନିଶ୍ଚୟ ଘର ପାଇବେ । ଆମ ସାଙ୍ଗରେ ଖାଇପାରିବେ—ଆସନ୍ତୁ ଆସନ୍ତୁ ଘରଟି ଦେଖାଇ ଦେଉଛି-। ଆମକୁ ସିଡ଼ିରେ ଦୋତାଲାକୁ ନେଇଗଲେ । ସ୍ତ୍ରୀଟିର ନାମ କନସେଟର, ରୋଜାରିଓ ଓ ଗୁଇସେପ ନାମରେ ଦିଓଟି ପୁଅ ଅଛନ୍ତି । ସେମାନେ କିନ୍ତୁ ଘରେ ନରହି କମଳାଲେମ୍ବୁ ବଗିଚାରେ ଲୁଚି ରହନ୍ତି । କାରଣ ଜର୍ମାନୀ ସୈନ୍ୟ ଦଳରୁ ଲୁଚି ପଳାଇ ଆସିଛନ୍ତି । କମଳାଲେମ୍ବୁ ବଗିଚା ଭିତରେ ଗୋଟିଏ ସବୁଜ ସେଡ୍‍ । ଏହି ସେଡରେ ଏମାନେ ଚୋରା ଜିନିଷପତ୍ର ଆଣି କାରବାର କରନ୍ତି । ପରିତ୍ୟକ୍ତ ବାସଗୃହଗୁଡ଼ିକରୁ ମାଲପତ୍ର ବୋହି ଆଣି ଚଢ଼ାଦରରେ ଅନ୍ୟତ୍ର ବିକ୍ରି କରି ଦି’ପଇସା ପାଆନ୍ତି । ମୁଁ ଭାବିଲି ଯେ ଆଚ୍ଛା ଚୋର ଦଳ ହାବୁଡ଼ରେ ପଡ଼ିଲୁ ଦି’ଜଣ । କନସେଟା କହିଲା—ଦେଖ ଏ ଜିନିଷଗୁଡ଼ିକର କେହି ମାଲିକ ନାହାନ୍ତି-। ଆମେ ପ୍ରକୃତରେ ଭଲଲୋକ-। ଏହା କହି ରନ୍ଧାଘର କାନ୍ଥଟିକୁ ଆଘାତ କଲା । ଏଇଟି ଫମ୍ପା ବୋଲି ଅନୁମାନ ହେଲା । ପଚାରିଲି ୟା ଭିତରେ କ’ଣ ଅଛି ? ସେ କହିଲା—ଏଥିରେ ଫେସ୍ତାର ଜିନିଷପତ୍ର ରହିଛି । ମୁଁ ଆଶ୍ଚର୍ଯ୍ୟ ହୋଇଉଠିଲି, ବନ୍ଧୁତ୍ଵ ଖାତିରରେ ଏପରି ଭାବରେ ସେ ମୂଲ୍ୟବାନ ଜିନିଷଗୁଡ଼ିକ ବନ୍ଧୁ ହାତରେ ରଖି ଯାଇଛି ।

 

ଚୋରୀକଥା ମନେକରି ମୁଁ ଏଠାରୁ ପଳାଇ ଯିବାକୁ ଇଚ୍ଛାକଲି । ସ୍କାର୍ଟ ତଳେ ଟଙ୍କାଗୁଡ଼ିକ ମୁଁ ଲୁଚେଇ ରଖିଛି, ଅନେକ ଟଙ୍କା ଅଥଚ ଦିଓଟି ନିରାଶ୍ରୟା ସ୍ତ୍ରୀଲୋକ । ଏବେତ ଆଇନ ନାହିଁକି ପୁଲିସ ନାହିଁ । ମୁଁ କନସେଟାକୁ ଟଙ୍କା ଦେବାକୁ କହିଛି । ତେଣୁ ସେ ନିଶ୍ଚୟ ଚୋରୀ କରିବାର ଫନ୍ଦି କରିଛି । ଆମକୁ ମାରିଦେବା ବିଚିତ୍ର ନୁହେଁ । ମୁଁ ଶୋଇବାବେଳେ ରୋସେଟାକୁ କହେ—ସାବଧାନ ଏଇଟା ବଦମାସମାନଙ୍କର ଆଡ୍‍ଡା ଜାଗା । ଖୁନ୍‍କରି କମଳାଲେମ୍ବୁ ବଗିଚାରେ ପୋତିଦେଲେ କିଏ କ’ଣ କରିବ ?

 

କନସେଟା ଆମକୁ ତା’ର ଶୋଇବା ଘରଟି ଛାଡ଼ିଦେଇଛି । ମନରେ ଘୋର ଅଶାନ୍ତିର ଉତ୍ତେଜନା । ରାତିରେ ନିଦ ହେବାର ଉପାୟ ନାହିଁ । କଦର୍ଯ୍ୟ—ଅପରିଚ୍ଛନ୍ନ । ଶେଷରେ ମୁଁ ଉଠିପଡ଼ି ବତିଟି ଜଳାଇ ଦେଖେ ଯେ ଧାଡ଼ି ଧାଡ଼ି ଲମ୍ବିଯାଇଛି ଓଡ଼ଶ । ଏତେ ଓଡ଼ଶ ମୁଁ କେବେ ଦେଖି ନାହିଁ । ତା’ ଆରଦିନ ସକାଳେ ମୁଁ ଓ ରୋସେଟା ନିଦରୁ ଉଠି ଦେଖୁଁ ତ ଚାଦର ଓ ଆମ ଦିହ ରକ୍ତରେ ଲାଲହୋଇ ଉଠିଛି । ଯେମିତି ଆମର ଚମରୋଗ ହୋଇଛି । ମୁଁ କନସେଟାକୁ ଡକାଇ ଦେଖାଇଲି, ସେ ସ୍ଵୀକାର କଲେ ଏବଂ ଥଟାକରି କହିଲେ ଓଡ଼ଶ ବି ଈଶ୍ଵରଙ୍କ ସୃଷ୍ଟି—ତାଙ୍କଦ୍ଵାରା କିଛିନା କିଛି ଉପକାର ହୁଏ । ତା’ପରେ ଆମେ ଆଡ୍‍ଡା ଘରେ ଶୋଇବାକୁ ପ୍ରସ୍ତାବ କଲୁ ।

 

ଏ ଘରଟିରେ ଖାଇବା ଶୋଇବା ଉଭୟେ ଥିଲା ଅସ୍ୱସ୍ତିକର । କମଳାଲେମ୍ବୁ ବିକ୍ରି ପାଇଁ ସଡ଼କ ଉପରେ ବଜାର ବସୁଥିଲା । ମାଛ, ଅଣ୍ଡା, ମାଂସ ବିକ୍ରି ହେବାକୁ ଆସୁଥିଲା । ଚାଷୀମାନେ ବିକ୍ରି କରିବାକୁ ଆସୁଥିଲେ । ସେମାନଙ୍କ ସହିତ ଦର କଲେ ସେମାନେ କହୁଥିଲେ—ଆପଣ ଆପଣଙ୍କର ଟଙ୍କା ଖା’ନ୍ତୁ ଆମେ ଆମର ଅଣ୍ଡା ଖାଉଛୁ ।

ମୁଁ ପ୍ରତିଦିନ କିଛି ନା କିଛି କିଣୁଥିଲି ଏବଂ ସମସ୍ତେ ତାହା ଉପଭୋଗ କରୁଥିଲେ ।

ଆମେ ପଳାଇବାକୁ ସ୍ଥିର କଲୁଁ । କିନ୍ତୁ ଯିବୁ କୁଆଡ଼େ ? ମୁଁ ଦିନେ ମୋ ବାପାଙ୍କ ଗାଁକୁ ଯିବାକୁ ପ୍ରସ୍ତାବ କଲି । କନସେଟା ମତଦେଲା ଏବଂ କହିଲା, ବଡ଼ ନେଇଯିବ । ଏ କଥାରେ ରୋଜାରିଓ ଏପରି ଦୁସମ୍ବାଦ ଆଣିଲା ଯେଉଁଥିରେ ରକ୍ତ ହିମ ହେବାର କଥା । ବାଜେ ଖବର ବକିବାର ଦେଖିଲେ ମୁଁ କହୁଥିଲି—ଦୟାକରି ଚୁପ୍ କର । ଜଣେ ଅବିବାହିତ ଝିଅ ଆଗରେ ଏ ଭାବରେ କେହି କଥାବାର୍ତ୍ତା କରେନା । ମା’ କନସେଟା କହୁଥିଲା—ତମ ଝିଅ ପ୍ରତି କୌଣସି ଖରାପ ଆଚରଣ କେହି ଦେଖାଇବେ ନାହିଁ ତମେ ନିଶ୍ଚିନ୍ତ ଥାଅ । ଅବଶ୍ୟ ସେ ଯଦି ମୋ ଝିଅ ଉପରେ ବଳାତ୍କାର କରେ, ତେବେ ମୁଁ ତା’ର ବେକଟି କାଟିବାକୁ ପଛେଇ ଯିବିନି ।

ଥରେ ବନ୍ଧୁକ ଧରି ଓ କଳା ସାର୍ଟ ପିନ୍ଧି ଦି’ଜଣ ଲୋକ ପଶିଆସିଲେ । ମୁଁ ରୋସେଟାକୁ କହିଲି—ଏଗୁଡ଼ାକ ଫାସିଷ୍ଟ—ବଦମାସ—ଯେତେ ବେକାର ଏହି ଦଳରେ ।

କନସେଟା ପଚାରିଲା—ଏପଫେସ୍ କ’ଣ ଖୋଜୁଛ ?

ରାଇଫେଲ ହଲାଇ ଲୋକଟି କହିଲା—ତମେ ତ ଜାଣିଛ କାହାକୁ ଖୋଜୁଛୁ ?

—ତମେ ମଦ ଚାହଁତ ଦେବି, ରୋଟି ନାହିଁ ।

—ତମେ ଖୁବ୍ ଚାଲାକ୍, ସ୍ଵାମୀ ଦୁଇପୁଅ ବେଶ୍ ।

—ଅନେକ ଦିନହେଲା ପୁଅମାନଙ୍କୁ ଦେଖିନି ।

—ତମ ପୁଅ ଦି’ଜଣ ଅଛନ୍ତି ଏଇଠି ଏବଂ ସେମାନେ କଳା ବଜାର କରିବାରେ ଦେଖାଯାଇଛି ।

—ବେଶ୍ ମଦଖାଅ, ତାଙ୍କ କଥା କିମିତି କହିବି ?

—ଠିକ୍ ଅଛି ମଦ ଦିଅ ।

ଦି’ଜଣ ବସି ମଦ ଖାଇଲେ । ଜଣେ କହିଲା—ଜାଣିଛ ତ ଘୋଷଣାପତ୍ର କ’ଣ କହୁଛି ପଳାତକମାନଙ୍କ ପାଇଁ—ସେମାନଙ୍କୁ ଗୁଳି କରି ମାରିବାର ଆମର ଅଧିକାର ରହିଛି ।

—ମୋ ପୁଅମାନେ ତ ପଳାତକ ନୁହନ୍ତି । ସେମାନେ ସୈନିକ । ମୁସୋଲିନି ପାଇଁ ଯୁଦ୍ଧ କରୁଛନ୍ତି ।

—ବ୍ଲାକ ମାର୍କେଟରେ ଯୁଦ୍ଧ କରୁଛନ୍ତି ତା’ହେଲେ ? ରୋସେଟା ଉପରେ ନଜର ପଡ଼ିବା ମାତ୍ରକେ ସେ ପଚାରିଲା—ଏମାନେ କିଏ ? ମୁଁ କହିଉଠିଲି—ମୁଁ କନସେଟରର ଭଉଣୀ–ଭାଲେନେରସାରୁ ଆସୁଛି । କନସେଟର ମଧ୍ୟ ହଁ ଭରିଲା—ସେସିରା ମୋର କକାଝିଅ ଭଉଣୀ ଏଠାକୁ କେତେଦିନ ପାଇଁ ଆସିଛି ।

ସେ ରୋସେଟାର ସ୍ତନଗୁଡ଼ିକୁ ଲକ୍ଷ୍ୟକରି କହୁଥିଲା, ଏ ସୁନ୍ଦରୀ ଝିଅଟିର ନାମ କ’ଣ ?

କହିଲି—ରୋସେଟା ବୋଲି ଡକାଯାଏ ।

ମଦଗ୍ଲାସଟି ଶେଷକରି ଆମ ପାଖକୁ ଆସି କହିଲା—ରୋସେଟା ମତେ ଖୁବ୍ ଭଲ ଲାଗିଛି । ଆମର ପ୍ରଧାନ କାର୍ଯ୍ୟାଳୟରେ ରନ୍ଧାରନ୍ଧି ଓ ବିଛଣା କରିବା ପାଇଁ ଝିଅଟିଏ ଦରକାର । ତୁମେ ଯୋଗ ଦେବ ?

ସେ ରୋସେଟାର ଓଠକୁ ହାତ ବଢ଼ାଇବା ମାତ୍ରକେ ତା’ ହାତଟାରେ ଚାପୁଡ଼ାଏ ମାରି କହିଲି—ହାତଟି ଫେରାଇ ନିଅ ।

ଆଖି ବଡ଼ ବଡ଼ କରି କହିଲା—ହୁଁ ।

ମୁଁ କହିଲି—ମୁଁ ଚାହେଁନା ଯେ ମୋ ଝିଅ ଦେହରେ ତମେ ହାତ ଦେବ, ବୁଝିଲ । ସେ ରାଇଫଲଟି ମୋ ଆଡ଼କୁ ଆଗେଇ ଦେଇ କହିଲା—ଜାଣ କାହା ସାଙ୍ଗରେ କଥା କହୁଛ ? ତା’ପରେ ଉଠାଅ ହାତ ଉପରକୁ ।

ରାଇଫଲ ମୁହଁଟି ଘୁଞ୍ଚାଇଦେଇ ଆଗରେ କହିଲି—ଭାବୁଛ ମୁଁ ତମର ରାଇଫଲକୁ ଡରିଯିବି ? ତମର ରାଇଫଲର ଅର୍ଥ ମଦ ଓ ଶୁଖିଲା ଡମୁରୀ । ତମେ ଗୁଡ଼ାଏ ଅଭୁକ୍ତ ଭିକାରି ଛଡ଼ା କ’ଣ ?

ସେ ଅନ୍ୟ ଲୋକଟିକୁ କହିଲା—ଏହାକୁ ଗୁଳିକରି ମାରିଦେବା ଉଚିତ । ଅନ୍ୟ ଲୋକଟି କହିଲା—ସେ ସ୍ତ୍ରୀଲୋକ ତୁଚ୍ଛାରେ ମୁଣ୍ଡ ଗରମ କର ନାହିଁ ।

ତା’ପରେ ରାଇଫଲଟି ତଳକୁ କରି କହିଲା—ତମକୁ କ୍ଷମା କରିଦେଲି । ମିଲିସିୟା ହାତରେ ଗୁଳି ଅଛି ଜାଣିଛ ନିଶ୍ଚୟ । ହଁ ଝିଅକୁ ପଠାଇଦେବ ତା’ହେଲେ ।

କହିଲି—ସବୁ ବାଜେ କଥା, ବକନା । ମୁଁ ପଠାଇବି ନାହିଁ ।

ତା’ପରେ ସେ କହିଲା—ତେବେ କନସେଟର ଆସୁ ଗୋଟାଏ ଚୁକ୍ତି କରାଯାଉ । ଆମେ ତମ ପିଲାଙ୍କୁ ଖୋଜିବା ନାହିଁ ଯଦିବା ଆମେ ଜାଣିଛୁ ଯେ ସେମାନେ ଏଇଠି ଅଛନ୍ତି—ତମର ଯୁବତୀ ଝିଆରୀଟିକୁ ପଠାଇଦେବ ନିଶ୍ଚୟ । କନସେଟର କହିଲା—ବେଶ୍‍ କାଲି ସକାଳେ ଯିବ । ତୁମେ ଯାହା ଖୁସି କରିବ । ଲୋକ ଦି’ଟା ମଦ ବୋତଲ ନେଇ ଚାଲିଗଲେ ।

ମୁଁ କହିଲି—କନସେଟର ଏ କ’ଣ କହିଲ ? ଏହି ଫାସିଷ୍ଟଗୁଡ଼ିକର ଚାକରାଣୀ କରିବା ପାଇଁ ଝିଅକୁ ପଠାଇବି ?

ସେ କହିଲା—ତାଙ୍କ ପାଖରେ ମଦ ଓ ମାଂସ ଅଛି ପ୍ରଚୁର । ରାଣୀ ହୋଇ ରହିବ ରୋସେଟା ।

—ତମେ କ’ଣ ପାଗଳୀ ହେଲ ?

—ଦେଖୁଛ ତ ଯୁଦ୍ଧ ଚାଲିଛି । ଯୁଦ୍ଧରେ ତମଠାରୁ ସେ ଶକ୍ତିଶାଳୀ, ତା’ ପକ୍ଷରେ ରହିବା ଭଲ । ବର୍ତ୍ତମାନ ଏହି ଫାସିଷ୍ଟଗୁଡ଼ିକ ଅଧିକ ଶକ୍ତିଶାଳୀ; ତେଣୁ ତାଙ୍କ ପକ୍ଷନେବାକୁ ହେବ । କାଲି ଇଂରେଜ ଆସିଲେ ତାଙ୍କ ପକ୍ଷ ନିଆଯିବ, ବାସ୍ ।

—ତମେ କ’ଣ ଜାଣିଛ ରୋସେଟାକୁ କ’ଣ ପାଇଁ ସେମାନେ ଚାହାଁନ୍ତି ?

ଯୁଦ୍ଧବେଳେ ଝିଅ ଜାତିକୁ ସମ୍ମାନ ମିଳେନା । ତୁମେ ତମ ଝିଅଟିକୁ ଦେଇ ମୋ ପୁଅ ଦି’ଟାକୁ ମୁକ୍ତ କର । ସେମାନେ ଶାନ୍ତିରେ ଶୁଅନ୍ତୁ । ମୋର ଏତିକି ପ୍ରାର୍ଥନା ।

ମୁଁ ଶାନ୍ତ ସ୍ଵରରେ କହିଲି—ମୁଁ ଭାବି ଦେଖିଛି ।

କନସେଟାର କହି ଚାଲିଲା—ମୁଁ ଏଗୁଡ଼ାକୁ ଚିହ୍ନେ । ଫାସିଷ୍ଟଗୁଡ଼ାକ କେବଳ ଖାନ୍ତି ଓ ମଦ ପିଅନ୍ତି । ତମ ଝିଅ ଖୁବ୍‍ ସୁଖରେ ରହିବ । ତମେ ଟଙ୍କାଦିଅ ସତ; କିନ୍ତୁ ଦେଖୁଛ ତ ଖାଦ୍ୟାଭାବ କିପରି ପଡ଼ିଛି ? ମୋ ପିଲାଗୁଡ଼ାକ ବି କେତେଦିନ ଇମିତି ଲୁଚି ଲୁଚି ରହିବେ ?

ମୁଁ ସେହି ରାତିରେ ପଳାଇ ଯିବାକୁ ସ୍ଥିରକଲି । ମୁଁ ଶୋଇବା ଘରକୁ ଯାଇ ରୋସେଟାକୁ କହିଲି—ଆମେ ଚାଲିଯିବା ଏଇଠୁ ।

—କୁଆଡ଼କୁ ଯିବା ମା’

—ଏଇ ଆଡ୍‍ଡାରୁ ଅନ୍ତତ

—କେଉଁଠି କି ?

—ତମ ଅଜା ଘରକୁ ଯିବାରେ ଲାଭ ନାହିଁ । ସେମାନେ ମଧ୍ୟ ଗାଁ ଛାଡ଼ି ଥିବେ । ଆମେ ଟୋମାସିନୋ ପାଖକୁ ଯିବା । ସେ ଭଲଲୋକ ତା’ ଉପଦେଶ ଅନୁସାରେ କାମ କରିବା । ଭୟ ପାଅନା । ଭୁଲିଯାଅନା ତୋ ସାଙ୍ଗରେ ତୋର ମା’ ଅଛି । ଟୋମାସିନୋ ଗୋଟିଏ କୁଡ଼ିଆରେ ରହେ କଳାବଜାରରେ ପଇସା ରୋଜଗାର କରେ ।

ରାସ୍ତା ବତିର ଆଲୋକରେ ଆମେ ଜିନିଷସବୁ ସୁଟକେଶରେ ଭର୍ତ୍ତି କରିଦେଲୁ । ପୋଷାକ ପିନ୍ଧି ଚାରିଘଣ୍ଟା ଶୋଇଲୁ । କୁକୁଡ଼ା ଡାକିଲା । ସେତେବେଳେ ଅନ୍ଧକାର । ମୁଁ ଉଠିପଡ଼ି ରୋସେଟାକୁ ଡାକିଲି ଏବଂ ଦି’ଜଣ କମଳାଲେମ୍ବୁର ବୁଦା ଭିତର ଆଡ଼କୁ ଦୌଡ଼ିବାକୁ ଲାଗିଲୁ । ଚାରିଆଡ଼େ ଘୋର ନିସ୍ତବ୍ଧତା । ସୂର୍ଯ୍ୟ ଉଠିଲା । ଆକାଶ ହୋଇଉଠିଲା ନୀଳାଭ । ରୋସେଟା କହିଲା—ମା’ ତମେ କହିଥିଲ ଯେ ଗାଁରେ ଯୁଦ୍ଧ ନାହିଁ; କିନ୍ତୁ ସେ ଲୋକଟା ଯେ ମାରିବାକୁ ରାଇଫଲ ଉଠାଇ ଥିଲା ।

ମୁଁ କହିଲି—ଯୁଦ୍ଧ ସବୁଠି ସହରରେ ଏବଂ ଗାଁରେ ।

 

ତିନି

 

ପ୍ରାୟ ଅଧଘଣ୍ଟା ପରେ ପୋଲଟି ପାରି ହୋଇ ଆମେ ଟୋମାସିନୋର ଧଳା କୁଟୀର ପାଖରେ ପହଞ୍ଚିଲୁ । ଗୋଟିଏ ସ୍ତ୍ରୀଲୋକ ଲୁଗା କାଚୁଥିଲା । ପଚାରିଲି—ଏଠାରେ କ’ଣ ଟୋମାସିନୋ ଥାଏ ? ସେ କହିଲା—ହଁ ଏଇଠି ଥାଏ; ତେବେ ଏଠାରେ ନାହିଁ । ସକାଳୁ ସକାଳୁ ଫଣ୍ଡି ଚାଲି ଯାଇଛି । ଫେରିଆସିବ ।

 

ଶେଷରେ ରାସ୍ତା ମୁଣ୍ଡରେ ଗୋଟିଏ ଲୋକକୁ କମଳା ଖାଇ ଖାଇ ଆସିବାର ଦେଖିଲୁ । ମୁଁ ତାକୁ ଚିହ୍ନିପାରିଲି, ସେ ମଧ୍ୟ ମୋତେ ଚିହ୍ନିପାରିଲା; କାରଣ ମୁଁ ତା’ଠାରୁ ବହୁ ଜିନିଷ କିଣିଛି । ସେ କିନ୍ତୁ ଚିହ୍ନିପାରି ନଥିଲା । ମୁଁ କହିଲି ଆମେ କନସେଟର ଘର ଛାଡ଼ି ଦେଇଛୁ । ଏବେ କୁଆଡ଼େ ଯିବୁ ଜାଣୁନା । ତମେ ଆମକୁ ସାହଯ୍ୟ କରିବାକୁ ପଡ଼ିବ । ପୋଲଟିର ତଳ ପାଚିରି ଉପରକୁ ପାଦ ଉଠାଇ କାର୍ନିସ ଉପରେ ଝୁଙ୍କିପଡ଼ି ଗୋଟାଏ କମଳା ଖୋସା ପାଟିରେ ପକାଇ କହିଲା—ତମେ ତ କହି ଖଲାସ । ମୁଁ ତମକୁ ସାହାଯ୍ୟ କରିବି ?

 

କ’ଣ ପାହାଡ଼ ଉପରେ ରହୁଥିବା କୌଣସି ଚାଷୀକୁ ଜାଣିନ ? ମୁଁ ତା’ ପାଖରେ ରହିବାକୁ ଚାହେଁ ।

 

—ମୁଁ ତ ଚିହ୍ନେନା । ଯାହା ଜାଣିଛି ଲୋକ ଭର୍ତ୍ତି । ପାହାଡ଼ ଉପରେ ହୁଏତ ବ୍ୟବସ୍ଥା ହୋଇପାରିବ ।

 

—ଦେଖ ଇମିତି ମୁଁ ଯିବାକୁ ଚାହେଁନା । ତମ ଭାଇ ଉପରେ ଅଛି । ତା’ଛଡ଼ା ତମ ସାଙ୍ଗରେ ଚାଷୀମାନଙ୍କର ପରିଚୟ ଅଛି । ତମେ କୁହ ଏଥର ଆମେ କ’ଣ କରିବୁ ?

 

—ତମ ଜାଗାରେ ଥିଲେ ମୁଁ ରୋମକୁ ଫେରିଯାନ୍ତି ।

 

—ମୁଁ ରୋମକୁ ଫେରି ପାରିବି ନାହିଁ । ଖାଦ୍ୟର ଅଭାବ ଓ ଟ୍ରେନ ନାହିଁ । ତା’ଛଡ଼ା ସର୍ବଦା ବିମାନ ଆକ୍ରମଣ । ପାହାଡ଼ ଉପରେ ରହିବି । ଏଥିପାଇଁ ଅବଶ୍ୟ ଟଙ୍କା ମଧ୍ୟ ଦେବାକୁ ପ୍ରସ୍ତୁତ । ମୋ ପାଖରେ ଲକ୍ଷେ ହୀରା ଅଛି । ତମେ ସାହାଯ୍ୟ ନ କଲେ ଆଉ କାହାର ସାହାଯ୍ୟ ନେବି ? ଫଣ୍ଡିରେ ତମେ ଏକା ନୁହଁ, ଅନେକ ଅଛନ୍ତି । ଚାଲରେ ରୋସେଟା ।

 

ଟୋମାସିନୋ ମୋ ପାଖରେ ଲକ୍ଷେ ହୀରା ଥିବାର ଶୁଣି ତା’ ଆଖି ଦି’ଟା ବଡ଼ ବଡ଼ ହୋଇଗଲା । ସେ ମୋତେ ଅନୁସରଣ କରିବାକୁ ଲାଗିଲା । ସେ ପଛରୁ ଅନୁନୟ କଲା ଏବଂ କହିଲା—ଦୟାକରି ମିନିଟିଏ ଠିଆହୁଅ, ତମେ ରାଗିଗଲେ ଚଳିବ ?

 

ମୁଁ ଅଟକିଗଲି ଏବଂ କିଛିଟା ବାହାରିଆ ଆପତ୍ତି ଦେଖାଇ ତା’ କୁଟୀରକୁ ଯିବାକୁ ରାଜି କରାଇଲି । ସେ ଆମକୁ ଗୋଟିଏ ଘରକୁ ନେଇଗଲା । ଘର ଭିତରେ ଗୋଟିଏ ଖଟ, ଗଦି ଓ ତା’ ଉପରେ ଚାଦରଟିଏ ପଡ଼ିଥାଏ ।

 

ସମସ୍ତେ ବସିପଡ଼ିଲୁ । ତା’ପରେ ସେ କହିଲା—ତମ ଜିନିଷର ଗୋଟିଏ ତାଲିକା ଦିଅ-। ମନେରଖ ସମୟଟା ବଡ଼ ଖରାପ ଚାଷୀମାନେ ବଡ଼ ଚାଲାକ ହୋଇଯାଇଛନ୍ତି । ମୁଁ ଯେତେ ଭଡ଼ାରେ ଦେବି ତମକୁ ନବାକୁ ହେବ କିନ୍ତୁ ଉପରେ ଆଉ ଏବେ ଜାଗା ନାହିଁ । ଭାଇକୁ ଦେଖା କରିବାକୁ ଯିବି । ତମେ ମୋ ସାଙ୍ଗରେ ଯାଇପାର । ସପ୍ତାହ ଭିତରେ ତମର ତାଲିକା ଅନୁଯାଇ ଜିନିଷ ସବୁ ଦେଇ ଦେବି ।

 

ସଙ୍ଗେ ସଙ୍ଗେ ସେ ଗୋଟିଏ କପି ପେନ୍‍ସିଲ ବାହାର କରି ଛେପରେ ଲଗାଇ ନୋଟ୍‍ ବୁକରେ ସବୁ ଟିପି ରଖିଲା, ତା’ପରେ ପାଉଁରୁଟିରୁ ଅଧେ ନେଇ କହିଲା ଏତକ ଖାଇ ଅପେକ୍ଷା କର ମୁଁ ଆସୁଛି, ଏହାପରେ ପାହାଡ଼ ଉପରକୁ ଯିବା ।

 

ମୁଁ ତାକୁ ହଜାର ଟଙ୍କିଆ ନୋଟ୍‍ ଦେଲି ଏବଂ ତା’ ପରିବର୍ତ୍ତରେ ସେ ଛୋଟ ଛୋଟ ନୋଟ୍‍ ଦେଲା । ମୁଁ କେତେଗୁଡ଼ିଏ ଖରାପ ନୋଟ୍‍ ବଦଳାଇବାକୁ ଦେଲି ଓ ସେ ବଦଳାଇ ଦେଲା-। ଆମେ ଖାଇଲୁ, ମୁଁ କହିଲି–ଦେଖିଲତ ରୋସେଟା ଟଙ୍କାରେ କ’ଣ ନହୁଏ ? ସେ କହିଲା––ମ୍ୟାଡୋନା ଟଙ୍କାରେ ସବୁ ସମ୍ଭବ ହେବ ମା । ଆମେ ଅଧଘଣ୍ଟାଏ କାଳ ଶୋଇଲୁ । ତା’ପରେ ଟୋମାସିନୋ ଆମକୁ ଉଠାଇଲା । ଆମେ ତା’ ସାଙ୍ଗରେ ବାହାରି ପଡ଼ିଲୁ । ଗୋଟିଏ ଗଧ ପିଠିରେ ମାଲସବୁ ଲଦିଦେଲୁ । ଟୋମାସିନୋ ଗଧର ଲଗାମ ଧରିଲା ଏବଂ ଆମେ ତା’ ପଛରେ ଯିବାକୁ ଲାଗିଲୁ ।

 

ମୋର ବେଶୀ କଷ୍ଟ ହେଉନଥିଲା, କାରଣ ମୁଁ ଏଥିରେ ଅଭ୍ୟସ୍ତ ଥିଲି । ରୋସେଟା କିନ୍ତୁ ଥକି ପଡ଼ୁଥିଲା ।

 

ଯାଉ ଯାଉ ଗୋଟିଏ ଚାଷୀ ହଳ କରୁଥିବାର ଦେଖିଲୁ । ଟୋମାସିନୋ ଡାକ ଦେଲା–ପାରିଡ଼େ ! ଚାଷୀଟି ଆମ ପାଖକୁ ଆସିଲା ।

 

ଟୋମାସିନୋ କହିଲା—ଏ ଭଦ୍ରମହିଳା ଦି’ଜଣ ରୋମରୁ ଆସିଛନ୍ତି । ପାହାଡ଼ରେ ଗୋଟିଏ କୁଟୀର ଚାହାଁନ୍ତି ଇଂରେଜ ଆସିବା ପର୍ଯ୍ୟନ୍ତ । ପାରିଡ଼େ ତା’ର ଛୋଟ କନା ଟୋପିଟି ଖୋଲି ଭାବଲେଶ ହୀନ ଦୃଷ୍ଟିରେ ଅନାଇ ରହିଲା ଏବଂ ଅସନ୍ତୁଷ୍ଟ ସ୍ଵରରେ କହିଲା, ଜାଗା ନାହିଁ । ଟୋମାସିନୋ କହିଲା, ଏମାନେ ଟଙ୍କା ଦେବେ—ନଗଦ ଟଙ୍କା ।

 

ପାରିଡ଼େ କହିଲା, ତା’ର ଖୁଆଡ଼ ପରି ଛୋଟ ଘରଟିଏ ଅଛି । ସେଠାରେ ତନ୍ତକାମ ହୁଏ-। ଏମାନେ ସେଠାରେ ରହିପାରନ୍ତି । ଟୋମାସିନୋ କହିଲା—ତମେ କାମକର ତମ ସ୍ତ୍ରୀ ସହିତ ଏ ଦି’ଜଣଙ୍କର ପରିଚୟ କରାଇଦେବି ।

 

ପନ୍ଦର ମିନିଟ ଭିତରେ ମାସେରାର ସମତଳଭୂମିରେ ତିନୋଟି କୁଟୀର ଦେଖିଲୁ । ଚାଷୀମାନେ ଏ କୋଠରୀରେ ରାତିରେ ଶୁଅନ୍ତି ଏବଂ ଦିନରେ ପଡ଼ିଆରେ କଟାନ୍ତି । ଏକା ରାତିକେ କୁଟୀର ନିର୍ମାଣ କରାଯାଇପାରେ । ଶୁଖିଲା ପଥରର କାନ୍ଥ ଏବଂ ଉପରେ ଶୁଖିଲା ନଡ଼ା, ଅନେକ କୁଟୀର ଇମିତି ରହିଛି ।

 

ଟୋମାସିନୋର ଭାଇ ଫିଲିପୋ । ସେ ଅଞ୍ଚଳର ସେ ମୁରବି ବେଶ୍ ଉଦାର ଓ ମେଳାପି । ଫିଲିପୋଇ ଗୋଟିଏ ଦୋକାନ ଅଛି, ସେଠାରେ ସବୁ ବିକ୍ରି ହୁଏ । ସେଠାରେ ରହିବାକୁ ଆସିବାର ଶୁଣି ଫିଲିପୋ ବେଶ୍ ଖୁସି ହୁଏ । ଆମେ ଦୋକାନୀ ଓ ଆମ ସାଙ୍ଗରେ ପ୍ରଚୁର ଅର୍ଥ ଥିବା ଶୁଣି ଆନନ୍ଦରେ ଗଦ‌୍‍ଗଦ ହୋଇଉଠିଲା । ସେ ଆମକୁ ଖାଇବାକୁ ନିମନ୍ତ୍ରଣ କଲା । ତା’ର ପରିବାର ସହିତ ଆମକୁ ପରିଚୟ କରାଇ ଦେଲା ।

 

ଯେତେବେଳେ ଫିଲିପୋ ଜାଣିପାରିଲା, ରୋମରେ ମୋର ଦୋକାନ ଅଛି ସେ ବେଶ୍‍ ଆନ୍ତରିକତା ସହ ମୋ ସହିତ ବ୍ୟବହାର କଲା । ଫିଲିପୋ କହିଲା—ଇଂରେଜମାନେ ଆସିବା ପର୍ଯ୍ୟନ୍ତ ଆମକୁ ଏଠାରେ ରହିବାକୁ ପଡ଼ିବ । ଖାଦ୍ୟ ପାଇଁ ଚିନ୍ତା କରିବ ନାହିଁ । ମୁଁ କହିଲି—ଜର୍ମାନୀମାନେ ଜୟୀ ହେଲେ ? ସେ କହିଲା—ଏଥିରେ ମୋର କିଛି ଯାଏ ଆସେନା । ଆମ ପାଖରେ ସବୁ ସମାନ । ଆମେ ବୁଝୁଁ ବ୍ୟବସାୟ । ସେ ଠିକ୍ ଚାଲିଲେ ହେଲା, ସେ ଦିନ ସଞ୍ଜରେ ଆମେ ଏକାଠି ବସି ଖାଇଲୁ । ଫିଲିପୋ ସବୁଠାରୁ ବେଶୀ ମଦ ପିଇଲା ଏବଂ କହିଲା ଯେ ଆଜିର ଉତ୍ସବ ହେଲା ତା’ର ବିବାହର ସ୍ମାରକ ଉତ୍ସବ ।

 

ମୁଁ ପାରିଡ଼େ ପାଖକୁ ଯାଇ ମୋର ରହିବା ଘରଟି କଥା ପକାଇଲି । ସେ କାଠ ଚିରୁଥିଲା ମୁଣ୍ଡ ଉଠାଇ କହିଲା—ଦେଖୁଛି ସେ ଘରଟା ତମକୁ ସୁବିଧା ହେବନାହିଁ; କାରଣ ଲୁଇସା ସେ ଘରଟିରେ ବସି ଦିନସାରା ତନ୍ତରେ ଲୁଗା ବୁଣେ । ତମେ ସେତେବେଳେ କୁଆଡ଼େ ଯିବ ?

 

ମୁଁ ପକେଟରୁ ପାଞ୍ଚଶହ ଟଙ୍କାର ନୋଟ୍‍ ବାହାର କରି ତାକୁ ଧରେଇ ଦେଲି । ସେ ନିଶବ୍ଦରେ ଟଙ୍କା ନେଇ ପେଟ ପାଖରେ ଧରିଲା ଏବଂ ନୋଟ୍‍ଟିକୁ ଏପଟେ ସେପଟେ ବୁଲାଇ ଦେଖିବାକୁ ଲାଗିଲା ଏବଂ କହିଲା—ତମର ଯଦି ଆପତ୍ତି ନ ଥାଏ ତେବେ ସେ ଘରେ ରହିପାର । ମୁଁ ତା’ ପଛରେ ଚାଲିଲି । ଦେଖିଲି ଘରଟିର ଅଧାରେ ଗୋଟିଏ ତନ୍ତ ପଡ଼ିଛି ଏବଂ ଆଉ ଅଧକରେ ଗୋଟିଏ ଖଟ ପଡ଼ିଛି । ଘରଟିରେ ମାଙ୍କଡ଼ସା ଜାଲ ଘେରି ରହିଛି ଏବଂ ସନ୍ତସନ୍ତିଆ । ତଳଟି ମାଟିର । ପାରିଡ଼େ ଆମକୁ ଚଦର ଦେବାକୁ ରାଜି ହେଲା ଭଡ଼ାରେ । ତା’ ସଙ୍ଗରେ ଲଢ଼େଇ କରି ଗୋଟିଏ ବଡ଼ ତମ୍ବାପାତ୍ର ଚେଆର ଆଦାୟ କରାଗଲା । ଆମର ରନ୍ଧାରନ୍ଧି କାମ ପାରିଡ଼େର ରନ୍ଧାଘରେ ହେବାର ଠିକ୍ ହେଲା ।

 

ଶୋଇବା ଘରଟିରୁ ସବୁ ଆବର୍ଜନା ବାହାର କରିବାକୁ ବହୁସମୟ ଲାଗିଲା । କାନ୍ଥରୁ ମାଙ୍କଡ଼ସା ଜାଲ ପରିଷ୍କାର କଲି । ଖଟଟି ଉପରେ ନଡ଼ାଦେଇ ତା’ ଉପରେ ଚଦରଟି ବିଛାଇ ଦେଲି-। ପାରିଡ଼େ ସ୍ତ୍ରୀ ଲୁଇସେ ତନ୍ତରେ ଲୁଗାବୁଣା ଆରମ୍ଭ କରିଦେଲା । ରୋସେଟା ଚେଆର ଓ ମୁଁ ଖଟରେ ବସି ଲୁଗାବୁଣା ଦେଖିବାକୁ ଲାଗିଲୁ । କଥା ଛଳରେ ଲୁଇସେ କହିଲା, ଯେ ଏଠାରେ ସମସ୍ତ ଯୁବକମାନେ ଯୁଦ୍ଧରେ ଯୋଗ ଦେଇଛନ୍ତି କେବଳ ପାରିଡ଼େ ଛଡ଼ା; କାରଣ ତା’ ହାତର ଆଙ୍ଗୁଳିଗୁଡ଼ିକ କଟି ଯାଇଥିଲା । ଲୁଇସେ କହିଲା—ଯେଉଁମାନେ ଗଲେ କ’ଣ ଆଉ ଫେରିବେ ? ରୁଷିଆ ଝିଅମାନେ ଆମର ପୁରୁଷମାନଙ୍କୁ ବେଶ୍‍ ପସନ୍ଦ କରନ୍ତି ? ତୁମେ ତ ଜାଣିଛ ବିଦେଶୀମାନେ ସବୁବେଳେ ଆକର୍ଷଣୀୟ । ଯୁଦ୍ଧ ଥମିଗଲେ ହୁଏତ ସେମାନେ ଜୋର କରି ଧରି ରଖିବେ ।

 

ଲୁଇସେ ଭାବେ ଯୁଦ୍ଧଟା ସ୍ତ୍ରୀ ପୁରୁଷ ବ୍ୟାପାର; ତେଣୁ ସେ ନିଜର ପୁରୁଷଟିକୁ ନିଜ ପାଖରେ ପାଇଛି ବୋଲି ଆନନ୍ଦରେ ରହେ । ଫେସ୍ତା ପରିବାର ସମ୍ପର୍କରେ କହେ ଯେ ଏହି ଫିଲିପୋ ବହୁ ଲୋକଙ୍କୁ ଯୁଦ୍ଧକୁ ପଠାଇଛି, କିନ୍ତୁ ତା’ ପୁଅକୁ ପଠାଇ ନାହିଁ ।

 

ଆମର ଖାଦ୍ୟ ସାମଗ୍ରୀ ଆସିବା ପର୍ଯ୍ୟନ୍ତ ପାରିଡ଼େ ତାଙ୍କ ସାଙ୍ଗରେ ଖାଇବାକୁ ନିମନ୍ତ୍ରଣ କରେ ଅବଶ୍ୟ ଏଥିପାଇଁ ଆମକୁ ଅର୍ଥ ଦେବାକୁ ପଡ଼ୁଥିଲା । ସେତେବେଳେ ଖାଦ୍ୟଦ୍ରବ୍ୟ ଦୁଷ୍ପ୍ରାପ୍ୟ ମଧ୍ୟ ଥିଲା । ଆମେ ଯେଉଁ ଖାଦ୍ୟ ତା’ ଘରେ ଖାଇବାକୁ ପାଇଲୁ ତାହାକୁ ମିଳେସ୍ତ୍ରିନା କହନ୍ତି । ଯେଉଁ ବାସ୍ତୁତ୍ୟାଗୀମାନେ ଆସିଥିଲେ ସେମାଙ୍କର ଆହାର ଭଲ ଥିଲା । ସେମାନେ ଥିଲେ ଧନୀ ଲେଖାପଢ଼ା ଜାଣୁଥିଲେ ଏବଂ ତାଙ୍କର ଝିଅ ବୋହୂମାନେ ପିନ୍ଧୁଥିଲେ ସହର ପୋଷାକ । ତଥାପି ମୁଁ ଚାଷୀମାନଙ୍କୁ ବେଶ୍‍ ପସନ୍ଦ କରୁଥିଲି । ବାସ୍ତୁତ୍ୟାଗୀମାନେ ଶିକ୍ଷିତ ଅଥଚ ଚାଷୀମାନଙ୍କ ପ୍ରତି ମନୋଭାବକୁ ଦେଖି ଭାବୁଥିଲି ମଣିଷକୁ କେବଳ ଅକ୍ଷର ଶିକ୍ଷାରେ ଶିକ୍ଷିତ କରି ତୋଳିବା ଲାଭ କ’ଣ ? ତାଙ୍କର ଗୁଣକୁ କାମରେ ଲଗାଇବାକୁ ଶିକ୍ଷାଦେବା ଉଚିତ ।

 

ଆମେ ଅନ୍ଧକାରରେ ଫଣ୍ଡି ଆଡ଼କୁ ଅନାଇଲୁ—ଚତୁର୍ଦ୍ଦିଗ ଅନ୍ଧକାର ଶାନ୍ତ ଏବଂ ଉପରେ ଉଜ୍ଜ୍ୱଳ ତାରକା ।

 

ତା’ପରେ ରୋସେଟା ଓ ମୁଁ ଆଣ୍ଠୁ ମାଡ଼ି ବସି ମେଡ଼ୋନା ଉଦ୍ଦେଶ୍ୟରେ ପ୍ରାର୍ଥନା କଲୁ । ରାତ୍ରିର ସେହି ଶାନ୍ତ ନିସ୍ତବ୍ଧତା ଭିତରେ ଏତେ କ୍ଳାନ୍ତି ଓ ଦୁର୍ଭାବନାରେ ସେହି ପରମାତ୍ମା ପ୍ରତି ଅନ୍ତର ତାତିଉଠେ । ଆମେ ପ୍ରାର୍ଥନା କଲୁ ନିଜର ବିଶ୍ଵର ମଙ୍ଗଳ ପାଇଁ । ହଠାତ୍ ଅନ୍ଧକାର ଭିତରେ ଗୋଟିଏ ଗୋଲାକାର ଆଲୋକ ଉପରକୁ ଉଠି ସବୁଜ ବର୍ଣ୍ଣର ଫୁଲ ହୋଇ ଝରିପଡ଼େ । ମୁହୂର୍ତ୍ତକ ପାଇଁ ପର୍ବତଗୁଡ଼ିକୁ ଆଲୋକିତ କରେ । ଏଗୁଡ଼ିକ ଷ୍ଟାରସେଲ୍ ଏଗୁଡ଼ିକୁ ଆଲୋକିତ କରି କମାଣ ଓ ବିମାନ ଆକ୍ରମଣକୁ ପ୍ରତିହତ କରନ୍ତି ।

 

ମୋର ଝିଅ ରୋସେଟା ଥିଲା ତପସ୍ଵିନୀ । ତା’ର ବ୍ୟବହାର ଏତେ ସୁନ୍ଦର ଥିଲା ଯେ ସନ୍ନ୍ୟାସିନୀ ଭାବିବାର ଯଥେଷ୍ଟ କାରଣ ଥିଲା । ସେ ନାନ୍‍ମାନଙ୍କଠାରୁ ଶିକ୍ଷା ଲାଭ କରି, ହୋଇଉଠିଥିଲା ସୁନ୍ଦର ଅଫୁରନ୍ତ । କିନ୍ତୁ ପ୍ରକୃତ ପବିତ୍ରତା ଜାଗ୍ରତ ହୁଏ ଜ୍ଞାନ ଓ ଅଭିଜ୍ଞତାରୁ, ଅଜ୍ଞତା ଓ ଅନଭିଜ୍ଞତାରୁ ନୁହେଁ କାରଣ ଏହା କ୍ଷଣସ୍ଥାୟୀ । ମୁଁ ତାକୁ ଜୀବନର ଅନ୍ୟପାଖରୁ ଦୂରରେ ରଖୁଥିଲି ଯେପରି ସେ ଏ ଦିଗଟି ନଜାଣୁ—ବିବାହ ପରେତ ସବୁ ଜାଣିପାରିବ । ମୁଁ ଯୁଦ୍ଧ କଥା ନ ଭାବି ଟଙ୍କା କମାଇବା କଥା ଭାବୁଥିଲି; କାରଣ ବେଶୀ ଟଙ୍କା ହେଲେ ସୁପାତ୍ର ମିଳିବ ସେ ହେବ ଆଦର୍ଶ ସ୍ତ୍ରୀ ।

 

ଆମେ କୁଟୀର ଭିତରକୁ ଅନ୍ଧକାରରେ ପଶିଗଲୁ । ଦିଆସିଲିରେ ବତିଟି ଲଗାଇଲୁ । ବିଛଣାଟି ଖୁବ୍ ଥଣ୍ଡା । ଘୋଡ଼ାଇ ହେବାକୁ ଯାହାଥାଏ ତାହା ଯଥେଷ୍ଟ ନୁହେଁ । ଆମେ ପେଟିକୋଟ ପିନ୍ଧି ଶୋଇପଡ଼ିଲୁ । ବିଛଣା ଚଦର ତଳ ଗଦିଟି ପୋଡ଼ା ଭୁଟ୍ଟାର ପତ୍ରରେ ପୂରି ରହିଥାଏ । ଏଗୁଡ଼ିକ ଦି’ଫାଁକ ହୋଇଯିବା ଫଳରେ ପିଠିରେ କାଠପଟାଟି ଲାଗେ । ଏପଟ ସେପଟ ହେଲେ କାଠପଟାଗୁଡ଼ିକ ଫାଙ୍କ ଫାଙ୍କ ହୋଇଯାଏ । ମୋ ମୁଣ୍ଡଟି ଭୂଇଁରେ ଲାଗେ । ମୁଁ ଅନ୍ଧକାରରେ ଉଠି ପଟା ଓ ଗଦିଟି ଠିକ୍‍କରି ବିଛଣାରେ ଶୋଇ ରୋସେଟାର ଅଣ୍ଟାଟିକୁ ଗୋଟିଏ ହାତରେ ଜାବୁଡ଼ିଧରେ ।

 

ରାତିରେ ନିଦ ହୁଏନା । ମଝି ରାତିରେ ପକ୍ଷୀର ଶବ୍ଦ ପାଏ କିନ୍ତୁ ତାହା ଠିକ୍ ମନେହୁଏନା । ପ୍ରଦୀପଟି ଜାଳି ଦେଖେ ଯେ ତଳେ କେତେଗୁଡ଼ାଏ ମୂଷା ଛୁଆ । ଆମେ ଏଗୁଡ଼ିକ ନମାରି ପୁଣି ଶୋଇବାକୁ ଚେଷ୍ଟା କରୁ । ହଠାତ୍ ଅନୁଭବ କଲି ମୋ ବୁକୁ ମୁହଁରେ କାହାର ସ୍ପର୍ଶ । ଅନ୍ଧକାର । ବତିଟା ଜାଳି ଦେଖେଁ ଯେ ବିଲେଇଟା । ରୋସେଟାର ବିଲେଇ ପ୍ରତି ବଡ଼ ସତର୍କ । ସେ ଆଦର କରି ଡାକେ । ବିଲେଇଟା ରୋସେଟା ପାଖକୁ ଆଗେଇ ଆସି କିଛି ସମୟ ଭିତରେ ଆମ ପାଖରେ ଶୋଇପଡ଼େ । ଆମେ ତାକୁ ଡାକୁଥିଲୁ ଗିଗି ବୋଲି ।

 

ରାତିରେ ଏରୋପ୍ଲେନ୍ ଶବ୍ଦରେ ନିଦ ହୁଏନା । ଏଗୁଡ଼ିକ ଜଗୁଆଳି ଉଡ଼ାଜାହାଜ । ପରେ ଏହା ଆମ ଅଭ୍ୟାସରେ ପଡ଼ିଗଲା ।

 

ଚାରି

 

ସାଣ୍ଟଇଉଫୋନୟାରେ ଏହିପରି ଜୀବନ ଗଡ଼ି ଚାଲିଛି । କାମ କିଛି ହାତରେ ନଥିବାରୁ ଶୋଇ ଶୋଇ ଦିନଯାଏ । ଇମିତି ନଅମାସ ଆମେ ଏକାଠି କଟାଇଲୁ । ଆମେ ଚାଷୀଭଳି ଖାଇବା ଆରମ୍ଭ କରିଦେଇଛୁ । ପାଗ ଭଲଥିଲେ ବୁଲିବାକୁ ବାହାରୁଥିଲୁ । ବର୍ଷାଦିନ ଆସିଲେ ବର୍ଷା ବିନ୍ଦୁ କେବଳ ଝରୁଥାଏ । ଆମେ କୁଟୀର ଭିତରେ ଅନ୍ଧକାରରେ ବସିଥାଉଁ । ସମୟର ସକଳ ଚେତନା ଲୁପ୍ତ ହୋଇଯାଏ । ଟୋମାସିନ ଗଧର ଲଗାମ ଧରିଆସି ଛ’ମାସର ଖାଦ୍ୟ ତାଲିକା ଅନୁଯାୟୀ ଦେଇଗଲା । ଜିନିଷଗୁଡ଼ିକ ବିଛଣା ତଳେ ରଖିଦେଲି । ମୁଁ ତାକୁ ତା’ କହିବା ଅନୁସାରେ ମୂଲ୍ୟ ଦେଇଦେଲି । ଟୋମାସିନ ମଝିରେ ମଝିରେ ଆସୁଥିଲା । ତା’ଠାରୁ କିନ୍ତୁ ଯୁଦ୍ଧର ଖବର କିଛି ମିଳୁ ନଥିଲା । କାରଣ ସେ କଳାବଜାର ପାଇଁ ଅଧିକ ବ୍ୟସ୍ତ ରହୁଥିଲା । ଯୁଦ୍ଧ ଖବରଟା ସବୁବେଳେ ଦୈନିକ କିଏ କ’ଣ କହି ଚାଲିଥାଏ । ବାସ୍ତୁତ୍ୟାଗୀମାନେ ସ୍ଵାଭାବିକ ଜୀବନ ନିର୍ବାହ ପାଇଁ ବ୍ୟସ୍ତ । ତେଣୁ ସେମାନେ ଜାଣିବାକୁ ଚାହାଁନ୍ତି ଯେ ନଗ୍ରପକ୍ଷମାନେ କେଉଁଠି ? ଚାଷୀମାନେ ନିର୍ଲିପ୍ତ । କୁଡ଼ିଆ ଘରଗୁଡ଼ିକ ଭଡ଼ା ଦେଇ ଦି’ପଇସା ମିଳୁଛି । ତା’ଛଡ଼ା ଏହି ବାସ୍ତୁତ୍ୟାଗୀମାନଙ୍କ ପାଖରେ ଟଙ୍କା ଅଛି । ତେଣୁ ଯୁଦ୍ଧ ଖବରଟି ବଡ଼ ଅସ୍ପଷ୍ଟ ।

 

ପାରିଡ଼େଠାରୁ ମୁଁ ପଶମ କିଣି ସୁଏଟର ବୁଣିବା ପାଇଁ ପ୍ରସ୍ତୁତ ହେଲି—ଶୀତ ଆସୁଛି ବୋଲି ।

 

ଫିଲପୋର ପୁଅ ମାଇକେଲ ମୋତେ ଖୁବ୍ ଭଲଲାଗେ । ପିଲାଟି ବେଶ୍ ଭଲ । ବାଙ୍ଗରା, କାନ୍ଧ ଚଉଡ଼ା, ମୁଣ୍ଡ ଓ କପାଳଟି ଥିଲା ବଡ଼ । ଆଖିରେ ତା’ର ଥିଲା ମୋଟା ଚଷମା । ସେ ଖୁବ୍‍ ପଢ଼ାପଢ଼ି କରୁଥିଲା । ବୟସ ପଚିଶ, କିନ୍ତୁ ଗମ୍ଭୀର ପ୍ରକୃତି, ମନେହେଉଥିଲା ତିରିଶ । ଚରିତ୍ରଟି ଥିଲା ଅସ୍ଵାଭାବିକ । ସେ ଥିଲା ସତ୍ୟର ପୂଜାରୀ । ମାଇକେଲ କହୁଥିଲା, ଗତ କୋଡ଼ିଏ ବର୍ଷଧରି ଇଟାଲୀରେ କିଛି ହୋଇନି । ଯାହା ହୋଇଛି ତାହା ଭୁଲ, ମାଇକେଲ କହେ ମୁସୋଲିନି ଓ ତା’ର ସମର୍ଥକ ସବୁ ଗୁଣ୍ଡା । ମାଇକେଲ ବିଶ୍ଵ-ବିଦ୍ୟାଳୟ ପାଠ ରୋମରେ ପଢ଼ିଛି ଏବଂ ଇଟାଲୀ ବାହାରକୁ ଯାଇନାହିଁ । ସେ କହେ ଜୀବନରେ କାହାକୁ ଭଲ ପାଇନାହିଁ । କାହାସହିତ ବିବାହ କରିବାକୁ ପ୍ରତିଜ୍ଞାବଦ୍ଧ ହୋଇନି । କୌଣସି ଝିଅକୁ ପ୍ରେମ ଜଣାଇନି । ସେ ଥିଲା ଫାସିଷ୍ଟ ବିରୋଧୀ-

 

ମାଇକେଲ ଦିନସାରା ଆମପାଖରେ ରହୁଥିଲା, କାରଣ ଆମେ ତା’ର ମା ଓ ଭଉଣୀ ପରି ଥିଲୁ ଖୁବ୍‍ ସାଧାରଣ । ରୋସେଟା ପ୍ରତି ତା’ର ଆକର୍ଷଣ ନଥିଲା ।

 

ସେ ଅନେକ ବହି ପଢ଼ିଥିଲା, କିନ୍ତୁ ଜୀବନ ସମ୍ପର୍କରେ ତା’ର ଅଭିଜ୍ଞତା ନଥିଲା । ମାଇକେଲ ସହିତ ରୋସେଟାର ଅନେକ ବିଷୟରେ ମେଳ ଥିଲେ ବି ଦିଓଟି ସମ୍ପର୍କରେ ସେମାନେ ଅମତ ଥିଲେ—ଫାସିଷ୍ଟ ଓ ଧର୍ମ ଯାଜକ । ସେ କହୁଥିଲା ଫାସିଷ୍ଟ ଓ ପୁରୋହିତମାନେ ଏକପ୍ରକାର ଜୀବ ।

 

ଏହାରି ଭିତରେ ଖବର ଆସି ପହଞ୍ଚିଲା ଯେ, ଫଣ୍ଡିର ସମତଳ ଭୂମିରେ ଗୋଟାଏ ଜର୍ମାନ ଡିଭିଜନ୍ ତମ୍ବୁ ପକାଇଛି । ଜର୍ମାନୀ ସବୁ ଶୀତରେ ଏଠାରେ ରହିବାର ଖବର ମିଳେ ।

 

ପର୍ବତ ଉପରକୁ ଯେଉଁମାନେ ଯୁଦ୍ଧଭୟରେ ଆସିଛନ୍ତି, ସେମାନେ ତାଙ୍କର ଜିନିଷପତ୍ର ବିଭିନ୍ନ ଆଡ଼େ ଓ ତଳେ ଲୁଚାଇ ଆସିଛନ୍ତି । କେତେକ କଳାବଜାରି ଦୁଷ୍ଟଲୋକ ଏ ସବୁର ଖବର ପାଇ ଭାଙ୍ଗିଚୁରି ନେଇ ପଳାଉଛନ୍ତି । ସେ ଦିନ ଦର୍ଜି ସେଭେରିନୋର ଘଟଣା ଏହିଭଳି ହେଲା । ସେ ଖବରଟା ଶୁଣି ତା’ର ଦାମିକା ଲୁଗା ଆଣିବାକୁ ପାଗଳ ପରି ତଳକୁ ଚାଲିଗଲା । ଫିଲିପୋ ତାକୁ ସାନ୍ତ୍ଵନା ଦେଲାବେଳେ ଜଣେ କହି ଉଠିଲା—ଫିଲିପୋ ତମେବି ସାବଧାନ ହୁଅ । କନସେଟା ଭିନସେନଜୋକୁ ବିଶ୍ୱାସ କରି କାନ୍ଥରେ ଯାହା ରଖିଛ ତା’ର ଅବସ୍ଥା ମଧ୍ୟ ଏହିଭଳି ହୋଇପାରେ । ଫିଲିପୋ ସହିତ କନସେଟାର ଯେଉଁ ବନ୍ଧୁତା ତାହା ଯେ ପ୍ରଚଣ୍ଡ ମୂର୍ଖତା ମୁଁ ଅନୁମାନ କରୁଥିଲି । ଦର୍ଜି ସେଭେରିନୋ ଫେରିଆସେ ହତାଶରେ ଏବଂ ଜଣାଏ ଯେ ଏହା ଫାସିଷ୍ଟମାନଙ୍କର କାଣ୍ଡ । ଏମାନେ ଚାଷୀମାନଙ୍କ ଠାରୁ ଜବରଦସ୍ତି ଖାଦ୍ୟ ନେଇ ଯାଉଛନ୍ତି ଏବଂ ବେଶ୍ୟାମାନେ ପରିଚାରିକା କାର୍ଯ୍ୟ କରୁଛନ୍ତି । ରାତିରେ ଏହି ଫାସିଷ୍ଟମାନେ ଖମାରରୁ ସହରକୁ ଯାଇ ବାସ୍ତୁତ୍ୟାଗୀର ପରିତ୍ୟକ୍ତ ଘରଗୁଡ଼ିକରେ ପଶି ଯାହା ପା’ନ୍ତି ନେଇଯା’ନ୍ତି ଏବଂ କାନ୍ଥଭାଙ୍ଗି ଲୁଚା ହୋଇଥିବା ଜିନିଷ ଅପହରଣ କରନ୍ତି । ଏହି ଫାସିଷ୍ଟମାନଙ୍କ ହାତରେ ଅଛି ଟମିଗନ, ବୋମା ଓ ଛୁରା । ପୋଲିସ ନଥିବାରେ ଏମାନେ ଚଳାନ୍ତି ତାଙ୍କର ଅଖଣ୍ଡ ପ୍ରତିପତ୍ତି । ସେ ଗୋଟିଏ ଘଟଣା ବର୍ଣ୍ଣନା କଲା ଯେ ଜଣେ ଚାଷୀ ସଂଧ୍ୟାରେ ତା’ର ଭାଇର ପୁଅ ପୁତୁରାକୁ ଛୁରିମାରି ହତ୍ୟା କରିଛି ଏବଂ ସଞ୍ଜରେ ମାଂସ ଦୋକାନକୁ ମାଂସ ଆଣିବାକୁ ଯାଇଛି । ଏକଥା ସମସ୍ତେ ଜାଣିଥିଲେ ମଧ୍ୟ କେହି ଭୟରେ ତାକୁ ପଚାରିଲେ ନାହିଁ । ଗୋଟିଏ ସ୍ତ୍ରୀ ଲୋକ କହି ଉଠିଲା—ନିଜର ପୁତୁରାକୁ ଖୁନ୍‍କରି ଭଲ ମଣିଷ ପରି ମାଂସ କିଣିବାକୁ ଆସିଛ ଲାଜ ମାଡ଼ୁନାହିଁ ?

 

ଆତତାୟୀ ଚଷାଟି କହିଲା ଏଇଟା ଯାହାର ବ୍ୟାପାର ସେ ବୁଝିବ । ଏବେ ଆଇନ ବୋଲି କିଛି ନାହିଁ । ତେଣୁ ଯାହା ଇଚ୍ଛା ତାହା କରାଯାଇ ପାରେ । ସେ ଠିକ୍ କହିଛି । କାରଣ ତାକୁ କେହି ଗିରଫ୍ କରିନଥିଲେ ଯଦିଓ ସେ ତା’ର ପୁତୁରାକୁ ନିଜେ କବର ଦେଇଥିଲା ।

 

ତା’ପରେ ସେଭେରିନୋ ନେଇ ଆସିଲା ସାଙ୍ଗରେ ଜଣେ ସୈନିକ । ଏଇଟି ଜର୍ମାନୀ । ଯୁଦ୍ଧ ପୂର୍ବରୁ ୟେ ବି ଥିଲା ଦର୍ଜି । ଦୁଇ ଦର୍ଜି ଭିତରେ ଗଢ଼ି ଉଠିଥିଲା ବନ୍ଧୁତ୍ୱ । ସମସ୍ତେ କୌତୂହଳ ହୋଇ ପଚାରିଲେ—ଏ ଯୁଦ୍ଧ ସରିବ କେବେ ? କେବେ ?

 

ଜର୍ମାନଟି କହିଲା—ଶୀଘ୍ର । ଜର୍ମାନ ହାତରେ ଏକ ଗୁପ୍ତ ଅସ୍ତ୍ର ଅଛି । ଜର୍ମାନମାନେ ଇଂରେଜମାନଙ୍କୁ ସମୁଦ୍ରରେ ପକାଇଦେବେ । ଚାଆ ଖିଆପରେ ଆନ୍ତରିକତା ଗଢ଼ିଉଠେ । ଜର୍ମାନଟି ତା’ର ମନିବ୍ୟାଗରୁ ଗୋଟିଏ ସ୍ତ୍ରୀ ଲୋକର ଫଟୋ ବାହାର କରେ । ଏଇଟି ତା’ର ସ୍ତ୍ରୀର ଛବି ।

 

ତା’ପରେ ସେଭେରିନୋକୁ କହେ—ଯୁଦ୍ଧକୁ ଯାଇନ କାହିଁକି ? ଆମେ ଜର୍ମାନସବୁ ଯୁଦ୍ଧ କରୁଛୁ; ଆଉ ତମେ ଇଟାଲୀୟାନ ସବୁ ଘରେ ବସିଛ ?

 

ସେଭେରିନା ଡରିଗଲା—ଅସୁସ୍ଥତା ପାଇଁ ।

 

ସେ ସେଭେରିନୋର ହାତ ଧରି ଟାଣିବାକୁ ଲାଗିଲା—ଚାଲ ମୋ ସାଙ୍ଗରେ । ବିଚରା ସେଭେରିନୋ ଭୟରେ କଳାକାଠ ପଡ଼ିଗଲାଣି । ସେ କହିଲା–ଦେଖ ବନ୍ଧୁ ? ତମେ ବି ଦରଜି ମୁଁ ବି ଦରଜି । ତମେ ତମର ଦାମିକା ଲୁଗାପାଇ ବଡ଼ଲୋକ ହେବ ଏବଂ ମୁଁ ଯୁଦ୍ଧକ୍ଷେତ୍ରକୁ ଯାଇ ମରିବି ଏ କିପରି କଥା । ତା’ପରେ ସେଭେରିନୋକୁ ନେଇ ତଳକୁ ଚାଲିଯାଇ କହେ—ଚାଲ ତମକୁ ଦାମିକା ଲୁଗାସବୁ ଦେବି । ତମେ ନେଇ ଫେରିଆସିବ ।

 

ସେଭେରିନୋ ଆଉ ଫେରିଲା ନାହିଁ । ତା’ ସ୍ତ୍ରୀ ଛୋଟ ଝିଅକୁ ଧରି କାନ୍ଦୁଥିଲା । ଅନ୍ଧକାରରେ ସେ କହୁଥିଲା—ମୁଁ ଜାଣେ ସେ ଆଉ ଫେରିବ ନାହିଁ । ତାଙ୍କ ଯିବାର ଘଣ୍ଟାଏ ପରେ ମୁଁ ସବୁ ବୁଝିପାରିଛି । ତା’ ଆରଦିନ ଅର୍ଥାତ୍ ସେଭେରିନୋ ଅଦୃଶ୍ୟ ହେବାର ଦ୍ଵିତୀୟ ଦିନ ତା’ କୁଟୀରକୁ ଯାଇ ଦେଖୁ ଯେ ତା’ର ସ୍ତ୍ରୀ ଓ ଶିଶୁ ନାହାନ୍ତି । ସ୍ତ୍ରୀ ତା’ର ଶିଶୁଟିକୁ ନେଇ କଥାଟି ଜାଣିବା ପାଇଁ ଉପତ୍ୟକାକୁ ଚାଲି ଯାଇଛି ।

 

ସେଭେରିନୋ କଥା ଜାଣିବା ପାଇଁ ନିକୋଲାକୁ ପଠାଗଲା । ସେ ବୁଝିଆସି କହିଲା ଯେ—ଜର୍ମାନୀଟି ଦାମିକା ଲୁଗାକୁ ତା’ ଦେଶକୁ ପଠାଇ ଦେଇ ସେଭେରିନୋକୁ ଯୁଦ୍ଧକୁ ପଠାଇ ଦେଇଛି ।

 

ଜର୍ମାନମାନେ ସମସ୍ତ ସମତଳ ଭୂମିଟି ତନ୍ନତନ୍ନ କରି ଖୋଜି କର୍ମକ୍ଷମ ଲୋକଙ୍କୁ ଯୁଦ୍ଧକୁ ନେଇ ଯାଇଥିଲେ ତା’ପରେ ସେମାନେ ଆସିବେ ପାହାଡ଼ ଉପରକୁ ଲୋକ ଧରିବା ପାଇଁ । ଆଉ ଗୋଟାଏ ରାସ୍ତା ହେଲା ଫାସିଷ୍ଟସାଜି ମିଲିସିଆରେ ମିଶିଯାଅ ଏବଂ ଲୁଟତରାଜ କରି ଚଳିଯାଅ । ଏହାହିଁ ସେତେବେଳର ଅବସ୍ଥା ।

 

ମନର ବିକ୍ଷିପ୍ତତାକୁ ଶାନ୍ତକରିବା ପାଇଁ ଠିକ୍‍ ହେଲା ଯେ ମାଇକେଲ ଦି’ପହର ଖିଆପରେ ଆମ ପାଖରେ ଆସି ବହି ପଢ଼ିବ । ଆମେ ତାକୁ ଘେରି ବସୁ । ମାଇକେଲ ପକେଟରୁ ଗୋଟିଏ ଛୋଟ ବହି ବାହାର କଲା ଏବଂ ଚଷମାଟି ଠିକ୍‍କରି ଯୀଶୁଖ୍ରୀଷ୍ଟଙ୍କର ଜୀବନୀ ବର୍ଣ୍ଣନା କହିବ ବୋଲି କହିଲା । ପାରିଡ଼େ କହିଲା ତମେ ଆଉ ସେ ଧର୍ମ—ଯୀଶୁଙ୍କ କଥା କୁହନା ଆମେ ଜାଣିଛୁ । ମାଇକେଲ କହିଲା ଲେଜାରେସ କଥା ଜାଣିଛ ? ଆମେ ପ୍ରକୃତରେ ନାଁଟି ଶୁଣିଥିଲୁ କିନ୍ତୁ କଥାଟି ଜାଣିନଥିଲୁ । ମାଇକେଲ କହିଲା—ଗିର୍ଜାରେ ପ୍ୟାସନ ନାମରେ ଅଙ୍କିତ ହୋଇଥାଏ । ପାରିଡ଼େ କହିଲା—ଉପତ୍ୟକାରେ ଗିର୍ଜାକୁ ଯିବା ଅର୍ଥ ଆମର ଗୋଟିଏ ଦିନ ନଷ୍ଟ । ଆମକୁ ଖଟି ଖାଇବାକୁ ପଡ଼େ । ତେଣୁ ଆମକୁ ଗୋଟିଏ ଦିନ ନଷ୍ଟ କରିବାକୁ ବାଧେ ।

 

ପାରିଡ଼େର ତନ୍ମୟତା ବଢ଼ିବାକୁ ଲାଗେ । କହେ—ଯୀଶୁ କହିଲେ ମୁଁ ରେସାରେକ୍‍ସନ––ପୁନର୍ଜୀବନ ଓ ଜୀବନ । ତା’ ଆଖିରୁ ଲୁହ ଝରିପଡ଼େ । ସେ କହେ ମନେରଖ ତମେ ସବୁ ଲେରେସ । ତମର ସମସ୍ତଙ୍କର ମୃତ୍ୟୁଘଟିଛି । ଆମେ ସମସ୍ତେ ମୃତ; କିନ୍ତୁ ଆମେ ଭାବୁ ଯେ ଆମେ ଜୀବିତ । ଯେତେଦିନ ଆମେ ମରିବାର ଜାଣି ବଞ୍ଚିରହିଛୁ ସେପର୍ଯ୍ୟନ୍ତ ଆମେ ଧ୍ଵଂସ ଓ ମୃତ-। ଯେତେବେଳେ ସେହି ମୃତଦେହଗୁଡ଼ିକ ପଚିବାକୁ ଲାଗିବ ଆମେ ପୁଣି ଜୀବିତ ହୋଇ ଉଠିବୁ-

 

ମାଇକେଲ ଘରୁ ବାହାରିଯାଏ । ପ୍ରଦୀପ ଲିଭିଯାଏ । ଚାଷୀଏ କହନ୍ତି—ଏଇଟା ଭଦ୍ରଲୋକର ବ୍ୟାପାର । ଏହା ସହିତ ଆମର କ’ଣ ବା ମେଳ ଅଛି ? ଆମେ ଖାଇବାକୁ ଯାଉ ।

 

ମାଇକେଲ ଯେ ପ୍ରେମ ବା ସ୍ତ୍ରୀଲୋକ ବିଷୟରେ ମୋଟେ ସଚେତନ ନଥିଲା । ରୋସେଟା ପ୍ରତିଦିନ ସକାଳେ ସମ୍ପୂର୍ଣ୍ଣ ଲଙ୍ଗଳା ହୋଇ ଗାଧୋଉ ଥାଏ । ମୁଁ କୂଅରୁ ବାଲତିଏ ପାଣି ଉଠାଇ ଦେଉଥିଲି ଏବଂ ସେଇଥିରେ ତା’ର ଗାଧୁଆ ଶେଷ କରୁଥିଲା । ଦିନେ ସେ ସକାଳେ ବିଛଣା ପାଖରେ ଠିଆହୋଇ ନିଜର ଦେହଟିକୁ ତଉଲିଆରେ ପୋଛିଲା । ତା’ର ଶାନ୍ତ ଛୋଟ ମୁହଁଟି ସାଙ୍ଗକୁ ଦେହଟି ମଧ୍ୟ ସବଳ ସୁଦୃଢ଼ ଥିଲା । ତା’ର ସ୍ତନ ଦିଓଟି ବଡ଼ ନଥିଲା, କିନ୍ତୁ ଜଣେ ମା’ ହେବା ବୟସର ସ୍ତ୍ରୀଲୋକ ପରି ତା’ର କୁଚ ଥିଲା ଉନ୍ନତ ଏବଂ ସୁନ୍ଦର । ଏ ଦିଓଟି ଥିଲା ଧଳା ଓ ସ୍ପଷ୍ଟ—ଯେପରି ଦୁଧରେ ଭର୍ତ୍ତି । ସ୍ତନର ମୁଖ ଦିଓଟି କଳା ଏବଂ ଏପରି ଭାବରେ ଉଚ୍ଚହୋଇ ଥାଏ, ଯେପରି ତାହା କୌଣସି ଶିଶୁଟିକୁ ଖୋଜି ବୁଲୁଛି ତା’ର ତୃଷା ମେଣ୍ଟାଇବା ପାଇଁ । ତା’ର ପେଟଟି ଥିଲା କୁମାରୀ ଝିଅପରି ସସୃଣ, ଚେପ୍‍ଟା ଏବଂ କୁଞ୍ଚିତ କରଡ଼ା କଳା ବାଳଗୁଡ଼ିକ ମନେହେଉଥିଲା ଯେପରି କୁଶନର ପିନ୍ । ପଛରୁ ଦିଶୁଥିଲା ସେ ସୁନ୍ଦରୀ—ରୋମରେ ସାଧାରଣ ବଗିଚାରେ ବସାଇଥିବା ଧଳା ନାରୀମୂର୍ତ୍ତି ପରି ।

 

ମୋର ମନେହୁଏ ରୋସେଟାର ଏହି ନିମ୍ନ ଅବସ୍ଥାରେ ଆଜି ଦେହଟିକୁ ତା’ର ଦେଖିବ-। ସତରେ ଯଦି ସେ ପୁରୁଷ ହୁଏ ତା’ହେଲେ ଏ ଦୃଶ୍ୟ ଦେଖି ନିଶ୍ଚୟ ଚଞ୍ଚଳ ହୋଇ ଉଠିବ ଏବଂ ତା’ର ମିଜାଜ ଅନୁଯାୟୀ ସେ ବିବର୍ଣ୍ଣ ହୋଇଯିବ—ଉତ୍ତେଜନା ହେବ ଅସମ୍ଭାଳ ।

 

ମାଇକେଲ ଦରଜାରେ ଆଘାତ ନକରି ଘରକୁ ପଶି ଆସି ରୋସେଟାର ନିମ୍ନ ଦେହକୁ ଦେଖିଲା । ମୁଁ ସେଠାରେ ବସିଥିଲି । ମାଇକେଲକୁ କିଛି କହିନଥିଲି, ମୁଁ ଭାବୁଥିଲି ଦେଖୁ ସେ—ସେ ତ ଇଚ୍ଛାକରି ରୋସେଟାର ନିମ୍ନ ଦେହ ଦେଖୁ ନାହିଁ । ଦେଖୁ ସେ ରୋସେଟା କେଡ଼େ ସୁନ୍ଦରୀ ।

 

ମାଇକେଲ କେତେ ସମୟ ଠିଆ ହୋଇ ରହିଲା ଏବଂ ରୋସେଟାର ନିମ୍ନ ଦେହ ଦେଖି ବିରକ୍ତ ହୋଇ ପଡ଼ିଲା । ତା’ପରେ ସେ ମୋ ଆଡ଼କୁ ଅନାଇ କ୍ଷମା ମାଗି ନେଇ କହିଲା ଯେ ଗୋଟାଏ ଯୁଦ୍ଧ ଖବର ଦେବାକୁ ସେ ହଠାତ୍ ଆସିଯାଇଛି । ସେ ଚାଲିଗଲା, ସେହିଦିନ ମୁଁ ତା’ ସାଙ୍ଗରେ ଏକୁଟିଆ ଦେଖାକରି ହସି କହିଲି ସତରେ ମାଇକେଲ, ତମେ ଯୁବକ ପରି ନୁହଁ । ସେ ପଚାରିଲା କାହିଁକି ?

 

କହିଲି—ରୋସେଟାପରି ଗୋଟିଏ ସୁନ୍ଦରୀ ଝିଅ ତମ ଆଖି ଆଗରେ ଯେତେବେଳେ ଲଙ୍ଗଳା ହୋଇ ଠିଆ ହୋଇଛି, ତମେ ସେତେବେଳେ ଯୁଦ୍ଧ କଥା କହି ପାରିଲ ?

 

ସେ କହିଲା—ମା ହୋଇ ଏ କଥା କହୁଛ ତମେ ?

 

—ଯେତେ ଯାହା ହେଉ ପଛକେ ମା ଆଖିରେ ସବୁ ଝିଅ ସୁନ୍ଦର । ଏଥିରେ ଦୋଷ ବା କ’ଣ ? ମୁଁ ତମକୁ ଆସିବାକୁ କହି ନାହିଁ । ଆବାଜ ନଦେଇ ପଶିବାକୁ ମଧ୍ୟ କହିନି । କିନ୍ତୁ ତମେ ପଶିବା ପରେ ଯଦି ଗଭୀର ଭାବରେ ରୋସେଟାକୁ ଦେଖିଲ, ହୁଏତ ରାଗିଥାନ୍ତି । ସତରେ ମୁଁ ମୋଟେ ଅସୁଖୀ ହୋଇନି ।

 

ସେ ଯେପରି ହସି କହେ—ମୋ ନିକଟରେ ଏସବୁ ଜିନିଷର କୌଣସି ଅବସ୍ଥିତି ନାହିଁ ।

 

ପାଞ୍ଚ

 

ଅକ୍ଟୋବର ମାସଟିର ପାଗଟି ବେଶ୍‍ ଭଲ ଥାଏ । ଆମେ ଖୁବ୍ ବୁଲୁ । ହଠାତ୍ ଦିନେ ବୃଷ୍ଟି ଆରମ୍ଭ ହୁଏ । ସାଣ୍ଟଇଉଫୋମିଆ ମାସାରା କୁଟୀରରେ ବୃଷ୍ଟିପାତ ମନେହୁଏ, ସ୍ୱର୍ଗରୁ ନିକ୍ଷିପ୍ତ ଏକ ଅଭିଶାପ, ଆମେ ଦିନସାରା କୁଟୀରରେ ବସିରହୁ । ଝରକା ନ ଥିବାରୁ କବାଟ ଖୋଲି ବୃଷ୍ଟିପାତ ଦେଖୁ । ମୁଁ ବସିଥାଏ ଖଟରେ । ରୋସେଟା ବସିରହେ ଚେଆରରେ । ପ୍ରୟୋଜନ ବ୍ୟତୀତ କୁଟୀର ଛାଡ଼ି ବାହାରିବା କଷ୍ଟକର । ଝାଡ଼ାଫେରିବା ଆହୁରି କଷ୍ଟକର । ଗୋଟାଏ ବୁଦାପଛକୁ ଯାଇ ସ୍କାର୍ଟଟି ଟେକି ବସିପଡ଼ୁ ଏବଂ ଡୁମୁରି ପତ୍ରରେ ପରିଷ୍କୃତ ହୋଇଯାଉ । ଘରଟା କି କାଦୁଅ ହୋଇଯାଏ । ଖବର ପାଉ ଯେ ଏହି ବୃଷ୍ଟିପାଇଁ ମିତ୍ର ପକ୍ଷର ସୈନ୍ୟମାନେ ଆଗେଇ ପାରୁ ନାହାନ୍ତି । ଆମେ ଏକ ଆଦେଶ ହୁକୁମନାମା’ ପାଉ । ମାଇକେଲ ଆମକୁ ଏହାର ଅର୍ଥ ବୁଝାଇ କହେ, ପାହାଡ଼ ସମୁଦ୍ର ମଧ୍ୟବର୍ତ୍ତୀ ସମସ୍ତ ଅଞ୍ଚଳର ଲୋକେ ଯେପରି ଘରଦ୍ୱାର ଛାଡ଼ି ଚାଲିଯିବେ । ସାଙ୍ଗରେ ଖାଦ୍ୟସାମଗ୍ରୀ ବ୍ୟତୀତ ଆଉ କିଛି ନେଇ ଯାଇପାରିବେ ନାହିଁ । ଯେଉଁମାନେ ଏ ଆଦେଶ ଅମାନ୍ୟ କରିବେ ସେମାନେ ଗିରଫ ହେବେ । ତାଙ୍କର ସମ୍ପତ୍ତି ବାଜ୍ୟାପ୍ତ ହେବ, ଏପରିକି ଗୁଳିକରି ମାରି ଦିଆଯିବ । ଆମ ଜିଲାଟି ଦି’ଦିନ ଭିତରେ ଖାଲି କରିବାକୁ ଆଦେଶ ଦିଆଯାଇଛି ।

 

ଫିଲିପୋ ଓ ବାସ୍ତୁତ୍ୟାଗୀମାନେ ଭାବନ୍ତି, ଇଟାଲୀର ଶାସକ ଏବେ ଜର୍ମାନୀମାନେ; ତେଣୁ ଏକଥା ଚିନ୍ତାକରି ସେମାନେ ହତାଶ ହୋଇ ପଡ଼ନ୍ତି । ବାସ୍ତୁତ୍ୟାଗୀମାନେ ଫଣ୍ଡିସହର ଛାଡ଼ି ଏଠାକୁ ଆସିଛନ୍ତି—ଏହାପରେ ଯିବେ କୁଆଡ଼େ ଏ ବର୍ଷାରେ । ଝିଅମାନେ କାନ୍ଦନ୍ତି—ପୁରୁଷମାନେ ନିଜର ଭାଗ୍ୟକୁ ଶାପ ଦିଅନ୍ତି । ସେମାନେ ଜାଣନ୍ତି ଜର୍ମାନୀ ପାଖରେ ଆଶ୍ଚର୍ଯ୍ୟ ବୋଲି କିଛି ନାହିଁ । ଜଣେ ସ୍ତ୍ରୀ କହେ—ଏଠାରୁ ଯିବା ଅପେକ୍ଷା ମୁଁ ମୋର ତିନୋଟି ସନ୍ତାନକୁ ଓ ନିଜକୁ ହତ୍ୟା କରିବି ।

 

ମାଇକେଲ ଏଥିରେ ବିବ୍ରତ ହୋଇନି । ସେ ଜର୍ମାନୀମାନଙ୍କର ଆଧିପତ୍ୟ ସ୍ଵୀକାର କରେନା । ସେ କହେ ଏଗୁଡ଼ାକ ଗୁଣ୍ଡା, ବଦମାସ, ଡକାଏତ । ପାରିଡ଼େ କହେ—ଏ ଘୋଷଣାଟି ମୋ ନିକଟରେ ମୃତ୍ୟୁ ସ୍ଵରୂପ । ମୋର ଘର ଗୃହପାଳିତ ପଶୁପକ୍ଷୀ ସବୁ ଏଠାରେ ଅଛନ୍ତି । ମୁଁ ଗଲେ ଏଗୁଡ଼ିକର ଅବସ୍ଥା କ’ଣ ହେବ ? ମାଇକେଲ କହେ—ଆମକୁ ସବୁ ହରାଇବାକୁ ପଡ଼ିବ ।

Unknown

 

ଆମେ ବଡ଼ ଅନିଶ୍ଚିତ ଅବସ୍ଥାରେ ପଡ଼ିଯାଉ । କ’ଣ କରିବୁ ଠିକ୍ କରି ହୁଏନା । ମାଇକେଲେ କହେ—ଶୁଣ ତମେ ଇମିତି ଭାବ ଦେଖାଅ ଯେ ତମେ ଏ ଘୋଷଣାପତ୍ରଟି ଦେଖି ନାହଁ । ଯେଉଁଠି ଅଛ ସେଇଠି ରହ ଏବଂ ସେଇଭଳି ଜୀବନଯାପନ କର । ଜର୍ମାନ ଆଦେଶକୁ ମାନ ନାହିଁ । ଜର୍ମାନ ଓ ଫାସିଷ୍ଟମାନେ ଦେଶରେ ବହୁ ଘୋଷଣା କରୁଛନ୍ତି । ମୁଁ ସୈନ୍ୟ ଦଳରେ ଯୋଗ ଦେଇଥିଲି ଏବେ ପଳାଇ ଆସିଛି । ମୁଁ ଯାହା କରୁଛି ତମେ ବି ସେଇଆ କର ।

 

ଚାଳିଶ ଦିନ ଧାରାବାହିକ ବୃଷ୍ଟିପାତ ହେଲା । ଆମେ ଚୁପ୍ ବସି ରହିଲୁ । ମାଇକେଲ ଆମ ପାଖରେ ରହି କେତେ କଥା ଶୁଣାଉଥାଏ । ତା’ କଥା ଶୁଣିବାକୁ ବେଶ୍‍ ଭଲଲାଗେ । ଗପ ଅସରନ୍ତି । ତା’ କଥାର ଶେଷ ହୁଏନା—ଆମର ଶୁଣିବା ମଧ୍ୟ ଶେଷ ହୁଏନା । ବର୍ଷା ଭିତରେ ଆଉକିଛି ଦୁର୍ଯୋଗର ଖବର ଶୁଣିନି ।

 

ଥରେ ମୁଁ ଓ ରୋସେଟା ବସି ଗୋଟାଏ ଛେଳିକଟା ଦେଖୁଥାଉ । ଫିଲିପ ଛେଳିଟି ପାରିଡ଼େଠାରୁ କିଣି କାଟି ମାଂସ ବିକୁଛି । ଆଉ ଗୋଟିଏ ଛେଳି ଖୁଣ୍ଟରେ ବନ୍ଧା ହୋଇଛି । ନିଷ୍କର୍ମା ବାସ୍ତୁତ୍ୟାଗୀମାନେ ତାକୁ ଘେରି ବସିଛନ୍ତି । ରୋସେଟା କହିଲା—ମା’ ଏହି ଛେଳିଟାକୁ ଦେଖିଲେ ମନଟା କଷ୍ଟ ହେଉଛି । ମନ ହେଉଛି ଏଇଟିକୁ ମାରିବାକୁ ଦେବି ନାହିଁ । ମୋ ଦେହରେ ଯେଉଁ ରକ୍ତ ମାଂସ, ଛେଳି ଦିହରେ ମଧ୍ୟ ସେଇଆ ଅଛି ।

 

କଂସେଇ ଛୁରିଧରି ଠିଆ ହେଲା । ସେ ଛେଳିଟିର ଶିଙ୍ଗଟାକୁ ଉପରକୁ ଧରିଲା । ଛେଳିଟା ଯେମିତି ପାଟିକରି ଉଠିଲା—ନା’ ମୋତେ ମାର ନାହିଁ । ତା’ପରେ କଂସେଇଟି ଛୁରିଟି ତଣ୍ଟିରେ ବସାଇଦେଲା ।

 

ହଠାତ୍ ‘ଫିଲିପୋ’ ବୋଲି ଡାକ ପଡ଼େ । ଫିଲିପୋ ଉଠି ଦେଖେ ଯେ ଭିନସେନକୋ ଠିଆ ହୋଇ କହୁଛି—ଜର୍ମାନ ଓ ଫାସିଷ୍ଟମାନେ ତମ ଘରର କାନ୍ଥଟି ଭାଙ୍ଗି ସବୁଜିନିଷ ନେଇ ଯାଇଛନ୍ତି । ଫିଲିପୋ ବନ୍ଧୁ ଭିନସେନଜୋକୁ ଧରି କହିଲା—ମିଛକଥା, ତମେ ସେସବୁ ଚୋରି କରିଛ; ତମକୁ ଓ ତମର ବଦମାସ ସ୍ତ୍ରୀ—ଦୁଇ ପୁଅଙ୍କୁ ଜାଣିଛି । ଏହାହିଁ ବନ୍ଧୁତ୍ୱ !! କଂସେଇଟା ଭିନସେନଜୋର ବେକଟା କାଟିବାକୁ ଆଗେଇ ଗଲା । ଚାରିଜଣ ତାକୁ ଧରି ଅଟକାଇଲେ । ଝରକାରୁ ଫିଲିପୋ ସ୍ତ୍ରୀ ଓ ଝିଅ କଣ୍ଠରୁ କାତର ସ୍ଵର ବାହାରି ଆସିଲା—ଆମେ ତେବେ ଭିକାରି ହୋଇଗଲୁ !

 

ମାଇକେଲ ଆଗେଇ ଯାଇ ଭିନସେନଜୋର କୋଟ ପକେଟରେ ହାତପୂରାଇ ଗୋଟାଏ ମୁଦି ବାହାର କଲା ଏବଂ କହିଲା—ଏଇଟି ମୋର ଭଉଣୀ । ଚୋର ଏଇଟି । ଏଇ ଚୋର ।

 

ଫିଲିପୋ ଛୁରାଟି ଧରି ମାରିବାକୁ ଦଉଡ଼ିଯାଏ । ଭିନସେନଜୋ ଏ ଅବସରରେ ତଳକୁ ପଳାଇଯାଏ । ଦି’ଜଣ ବାସ୍ତୁତ୍ୟାଗୀ ଭିନସେନଜୋକୁ ଟେକି ନେଇ ଆସନ୍ତି । ଫିଲିପୋ ଛେଳିକଟା ରକ୍ତାକ୍ତ ଛୁରିଟାକୁ ନେଇ ପ୍ରବଳ ବେଗରେ ଆଗେଇ ଆସେ ।

 

ମାଇକେଲ ଆଗେଇ ଯାଇ କହେ—ଏବେ ତମେ ଘରକୁ ଯାଅ ବାପା ।

 

—ମୁଁ କିନ୍ତୁ ୟାକୁ ଖୁନ୍ କରିବି ।

 

ତମେ ଘରକୁ ଯିବା ଉଚିତ ।

 

ମୁଁ କିନ୍ତୁ ଏହାକୁ ଖୁନ୍ କରିବି ।

 

ଛୁରିଟି ମୋତେ ଦେଇ କୁଟୀରକୁ ଯାଅ ।

 

ଫିଲିପୋ ଶାନ୍ତ ହୋଇ କୁଟୀର ଭିତରେ ପଶିଯାଏ । ବର୍ଷା ସିମିତି ଅବରୋଧ ଗତିରେ ଝରୁଥାଏ । ଲୋକମାନେ ଭିନସେନଜୋକୁ ଘେରିଯାଇ ପଚାରନ୍ତି—ତମେ ଏ ଡକାଏତଟା କଲ କିପରି ? ସେ ଯେପରି ଲଜ୍ଜା ହରେଇଛି । ମଦ ଖାଇ ସଞ୍ଜବେଳକୁ ଚାଲିଯାଏ ସେ ।

 

ସଞ୍ଜରେ ମାଇକେଲ ଆସି କହିଲା—ଦେଖ ବାପା କେଇଟା ଚାଦର ଓ ସୁନା ପାଇଁ ଗୋଟାଏ ଲୋକକୁ ଖୁନ୍‍ କରିବାକୁ ଯାଉଥିଲା । ଆମ ଆଦର୍ଶ ପାଇଁ ଗୋଟାଏ କୁକୁଡ଼ାକୁ ମାରିବା ଅନୁଚିତ । ପାରିଡ଼େ କହିଲା—ମାଇକେଲ ମଣିଷ ପାଖରେ ଆଦର୍ଶ ଅପେକ୍ଷା ସମ୍ପତ୍ତି ବଡ଼ । ଗୋଟାଏ ଧର୍ମଯାଜକ ପାଖରେ ଚୋରି କରିଛି ବୋଲି ସ୍ଵୀକାର କଲେ ସେ ଅନୁଶୋଚନା ଓ ଈଶ୍ୱରଙ୍କୁ ପ୍ରାର୍ଥନା କରିବାକୁ କହେ ଏବଂ କହେ ଯେ ସେଠାରେ ମୁକ୍ତି ମିଳିବ । ତମେ ଯଦି ଯାଜକ ଘରେ ଚୋରି କର ସେ ପାଟିତୁଣ୍ଡ କରି ମୁକ୍ତି ଦେବା ପରିବର୍ତ୍ତେ ପୁଲିସକୁ ଡାକି ତମକୁ ଧରେଇବ ନାହିଁକି ? ଜଣେ ଧର୍ମଯାଜକ ଯଦି ଏହା କରିପାରେ, ତେବେ ସାଧାରଣ ଲୋକଠାରୁ ତମେ ଆଉ କ’ଣ ଆଶା କରିବ ?

 

ତା’ପରେ ପାଗ ବଦଳିଗଲା ଏବଂ ପ୍ରଚଣ୍ଡ ବିମାନ ଆକ୍ରମଣ ଆରମ୍ଭ ହୋଇଗଲା । ଲୋକଙ୍କ ମନରେ କି ପ୍ରବଳ ଆତଙ୍ଗ–ସତରେ କ’ଣ ମିତ୍ର ବାହିନୀମାନେ ଆସିଲେଣି ନା ଆସିବେ-?

 

ଆମର ଏହି ବିମାନ ଆକ୍ରମଣରୁ ଏକ ଅପୂର୍ବ ଅନୁମାନ ହେଲା । ଟୋମାସିନୋର ବିଚିତ୍ର ମୃତ୍ୟୁ ହୁଏ । ସେ ମରିଯାଏ ଭୟରେ ଏକ ଗୁହାରେ ଆଶ୍ରୟ ନେଇ । ରୋଗ କିଛି ନୁହେଁ କେବଳ ବୋମା ବର୍ଷଣ ଭୀତି ।

 

ସେତେବେଳେ ବିପିନ ବା ମିଳିବ କେଉଁଠୁ ? ଯାଜକ ବା କାହିଁ ? ଟୋମାସିନୋର ମୃତ ଦେହଟି ଦିଓଟି ଶାଖାରେ ବାନ୍ଧି ଏବଂ ଘୋଡ଼ା ଜିନରେ ବାନ୍ଧି କାରଖାନାରେ ରଖି ଦିଆଗଲା । ପରେ ଶୁଣିଲି ଯେକୌଣସି ଯାଜକ ମିଳିନଥିଲେ । ତା’ର ଅନ୍ତ୍ୟେଷ୍ଟିକ୍ରିୟା ଅନୁଷ୍ଠାନଟି ହେବାବେଳକୁ ତିନିଥର ବିମାନ ଆକ୍ରମଣର ସଂକେତ ଧ୍ଵନିରେ ବାଧାପାଇଲା । କବର ଉପରେ ଫଳକ ପ୍ରତିଷ୍ଠା କରିବାକୁ ଯାଇ କିଛି ନ ପାଇ ଅସ୍ତ୍ର ଶସ୍ତ୍ରର ଗୋଟିଏ ବାକ୍ସ ଭାଙ୍ଗି କାଠର କ୍ରୂଶ ଚିହ୍ନ ତା’ କବର ଉପରେ ସ୍ଥାପନ କରାଗଲା ।

 

ପରେ ଶୁଣିଲି, ଟୋମୋସିନୋ ସ୍ତ୍ରୀକୁ ପ୍ରଚୁର ଅର୍ଥ ଦେଇଛି; କିନ୍ତୁ କଣାଏ ଖାଦ୍ୟ ଦେଇ ଯାଇନି । ଫଳରେ ସ୍ଵାମୀ ଯେଉଁ ଚଢ଼ା ଦରରେ ଖାଦ୍ୟଦ୍ରବ୍ୟ ବିକ୍ରି କରିଥିଲା, ତା’ର ଦୁଇଗୁଣ ଅଧିକ ଦରରେ ଖାଦ୍ୟ ସଂଗ୍ରହ କରିବାକୁ ପଡ଼ିଲା ।

 

ଛଅ

 

ଆମେ ପୂର୍ବରୁ ଜର୍ମାନମାନେ କର୍ମକ୍ଷମ ଲୋକଙ୍କୁ ଧରିନେବା କଥା ଶୁଣିଥିଲୁ । ଆମେ କିନ୍ତୁ ଏସବୁ ବିଶ୍ଵାସ କରୁନଥିଲୁ । ଜଣେ ଚାଷୀ ଆସି ଖବର ଦେଲା ଯେ, ଉପତ୍ୟକାରେ ଜର୍ମାନମାନେ ପାଇକାରୀ ଭାବରେ ସମର୍ଥ ପୁରୁଷଗୁଡ଼ିଙ୍କୁ ବଳପୂର୍ବକ ଟ୍ରକ ଉପରକୁ ଉଠାଇ ନେଇ ମଜୁରି କରିବା ପାଇଁ ଅଜଣା ଦେଶକୁ ପଠାଇ ଦେଉଛନ୍ତି । ଦିନେ ରାତିରେ ଜର୍ମାନମାନେ ଉପତ୍ୟକା ଓ ପାହାଡ଼ଟି ଘେରି ଜାଲରେ ମାଛ ଧରିଲାପରି ପୁରୁଷମାନଙ୍କୁ ଧରି ନେଇଗଲେ । ବିଶେଷତଃ ଯେଉଁମାନେ ଯୁଦ୍ଧରୁ ପଳାଇ ଆସିଛନ୍ତି ତାଙ୍କ ଉପରେ ନଜର ବେଶି । ଫିଲିପୋ ତା’ ଶିକ୍ଷିତ ପୁଅ ପାଇଁ ଚିନ୍ତିତ ହୋଇଉଠିଲା । ତାକୁ ଲୁଚାଇବାକୁ ଚେଷ୍ଟାକଲା । ମାଇକେଲ କିନ୍ତୁ ଲୁଚି ରହିବାକୁ ଚାହେଁନା ।

 

ତା’ ମା ଖୁବ୍ କାନ୍ଦିବାରୁ ସେ ଲୁଚିବାକୁ ରାଜି ହେଲା । ମୁଁ ଓ ରୋସେଟା ଠିକ୍ କଲୁ, ଆମେ ମାଇକେଲ ସାଙ୍ଗରେ ଯିବା । ତା’ଛଡ଼ା ଆମର ଯିବାର ଇଚ୍ଛା ଥିଲା । ଗଭୀର ଅନ୍ଧକାରରେ ପାରିଡ଼େ ଡାକରେ ଆମର ନିଦ ଭାଙ୍ଗିଗଲା । ସେହି ଅନ୍ଧକାରରେ ଆମେ ବାହାରିପଡ଼ିଲୁ । ମାଇକେଲ ସୁଏଟର ଓ ସ୍କାର୍ଫ ପିନ୍ଧିଥାଏ । ଉପରକୁ ଉଠୁଁ ସେହି କୁହୁଡ଼ି ଘେରା ଅନ୍ଧକାରରେ । ମାଇକେଲ ହାତରେ ଟର୍ଚ୍ଚ ଥିଲା—ସେ ଆଗେଇ ଯାଇ ଆମକୁ ଆଲୋକ ଦେଖାଉ ଥିଲା । କ୍ରମେ କ୍ରମେ ରାତି କଟିଗଲା—ପାହାଡ଼ର ଗଛ ବୃକ୍ଷ ଆମ ନିକଟରେ ସ୍ପଷ୍ଟ ହୋଇଉଠିଲା । ସବୁ ମନେହେଲା ଶୁଷ୍କ, ପ୍ରାଣହୀନ ଘୁମନ୍ତ । କ୍ରମେ କ୍ରମେ ଦିଗନ୍ତ ରେଖାଟି ଲାଲ ହୋଇଉଠିଲା—ଆକାଶ ହୋଇଉଠିଲା ନୀଳ । ଆମେ ଠିକ୍ ବଣ ଭିତରେ ପ୍ରବେଶ କଲୁ । ଗଛଗୁଡ଼ିକ ବେଶ୍ ବଡ଼ ବଡ଼ । ଆମେ ଦେଖିଲୁ କେତେ ରକମର ପକ୍ଷୀ । ପଥଶେଷରେ ପହଞ୍ଚି ଦେଖୁ ନରମ ସବୁଜ ଘାସ ବିଛଣା—ସମତଳ ଭୂମି । ଏହି ସମତଳ ଭୂମିର ଦୃଶ୍ୟଗୁଡ଼ିକ କି ସୁନ୍ଦର ! ପାହାଡ଼ ପରେ ପାହାଡ଼–ସିଓସିୟାରାର ପର୍ବତଶ୍ରେଣୀ । କେଉଁଠି ବରଫ ମଣ୍ଡିତ—ଆଉ କେଉଁଠି ଧୂସର । ଜାଗାଟା ଥଣ୍ଡା, ତେବେ ବେଶୀ ନୁହେଁ ।

 

ଆମକୁ ଦିନସାରା ଏଇପରି କଟାଇବାକୁ ପଡ଼େ ବୋଲି ଆମେ ଘାସ ଉପରେ ବସିପଡ଼ୁ-। କିଛି ସମୟ ବିଶ୍ରାମ ପରେ ଆମେ ଚାରିପାଖରେ ଘୂରି ଘୂରି ଦେଖୁ । ମୁଁ ଚୁପ୍ ଥାଏ । ମାଇକେଲ କହୁଥିଲେ, ଶୁଣ ରୋସେଟା । ମନ ପ୍ରାଣ ସ୍ତବ୍ଧ ହୋଇଯାଏ । ସବୁଜ ଘାସଘେରା ସମତଳ ଭୂମିରେ ଧଳା ପଥର ଭିତରେ ବୁଲିବାକୁ ଭଲ ଲାଗେ । ଏହିପରି ଧୀରେ ଧୀରେ ସମୟଟି କଟିଯାଏ—ସୂର୍ଯ୍ୟ ମୁଣ୍ଡ ଉପରକୁ ଆସନ୍ତି । ବେଳେବେଳେ ମୁଁ ସ୍ତନ ଦୁଓଟିକୁ ବଡ଼ିଜ୍‍ରୁ ମୁକ୍ତ କରି ଘାସ ଉପରେ ଶୋଇ ସୂର୍ଯ୍ୟ ସ୍ନାନ କରିଛି । ଦି’ପହରରେ ଆଣିଥିବା ରୁଟିକୁ ଏକାଠିଁ ବସି ଖାଉଁ ।

 

ମୁଁ ଭାବୁଥାଏ ମୋତେ ଆକର୍ଷଣ କରୁଥିବା ପୁରୁଷଟିଏ ପାଇଲେ ମୋର ଦୈହିକ ପୁଷ୍ଟି ଘଟିପାରନ୍ତା—କାରଣ ମୁଁ ଏ ଭିତରେ ଯେପରି ଜନ୍ତୁପାଲଟି ଯାଇଛି । ଜନ୍ତୁମାନେ ନିଜ ଦେହ ଛଡ଼ା ଅନ୍ୟଚିନ୍ତା କରନ୍ତି ନାହିଁ ନିଶ୍ଚୟ ।

 

କ୍ରମେ ସୂର୍ଯ୍ୟ ଆକାଶ ଅତିକ୍ରମ କରି ସମୁଦ୍ରରେ ବୁଡ଼ିଗଲେ । ଅନ୍ଧକାର ହୋଇଉଠିଲା-। ଆମେ ପାହାଡ଼ ଉପରୁ ତଳକୁ ଶୀଘ୍ର ଓହ୍ଲାଇଗଲୁ । ଗଲାବେଳେ ଦି’ଘଣ୍ଟା ଲାଗିଲା କିନ୍ତୁ ଫେରିଲା ବେଳେ ଅଧଘଣ୍ଟା ଲାଗିଲା । ଆମେ ଆସି ରାତ୍ରିଭୋଜନ ସାରି ଶୋଇପଡ଼ିଲୁ । ତା’ ଆରଦିନ ଭୋରରେ ପୁଣି ଯିବାକୁ ପଡ଼ିବ ।

 

ଏ ସ୍ଥାନଟି କିନ୍ତୁ ନିରାପଦ ନଥିଲା । ଆମେ ବିମାନ ଆକ୍ରମଣ ଶବ୍ଦ ପାଉଥିଲୁ । ସମୁଦ୍ର ଧାରରୁ ବିସ୍ଫୋରଣ ଶବ୍ଦ ଆସୁଥିଲା । ଉପତ୍ୟକାଟିକୁ ଏଡ଼ାଇ ଏମାନେ ଗିରିପଥ ଦେଇ ଆଗେଇ ଯାଇଥିଲେ । ଦିନେ ଆମେ ସ୍ଵାଭାବିକ ଭାବରେ ଆମର ଖାଦ୍ୟ ଖାଉଛୁ; ଏତେବେଳେ ଦି’ଜଣ ଲୋକ ଦେଖା ଦିଅନ୍ତି—ଏଗୁଡ଼ିକର ପୋଷାକ ଛିଣ୍ଡା । ମାଇକେଲ ସେ ଲୋକ ଦିଓଟିଙ୍କ ପାଖକୁ ଆଗେଇଗଲା ନିର୍ଭୟରେ । ତା’ପରେ ଆମକୁ ଆସି କହିଲା ଯେ ଏମାନେ ଜର୍ମାନ ବନ୍ଦୀ ଶିବିରରୁ ପଳାଇ ଆସିଛନ୍ତି । ମାଇକେଲ ତାଙ୍କୁ ଆମ ଖାଦ୍ୟରୁ କିଛି ଅଂଶ ସେମାନଙ୍କୁ ଦେଲା । ସେମାନେ ସେତକ ଆନନ୍ଦରେ ଖାଇ ଆଗେଇ ଗଲେ ଅଜ୍ଞାତ ସ୍ଥାନକୁ—ଏମାନେ ଇଟାଲୀୟାନ ନୁହନ୍ତି ।

 

ଜଣେ ମଜୁରିଆକୁ ଆମେ ଭେଟିଥିଲୁ । ସେ ଯୁଦ୍ଧରେ ପାଚେରୀ ତିଆରି କରିବାରେ ନିଯୁକ୍ତ ହୋଇଥିଲା । ଜର୍ମାନମାନେ ତାଙ୍କୁ କିଛି ଖାଇବାକୁ ନ ଦେବାରେ ଏବଂ କୁକୁର ଭଳି ବ୍ୟବହାର କରିବାରେ ସେ ପଳାଇ ଆସିଛି । ସେ ଖୁବ୍ ଦୁର୍ବଳ ହୋଇପଡ଼ିଛି । ସେ ଜର୍ମାନମାନଙ୍କ ସମ୍ପର୍କରେ କୁହେ ଯେ—ଏଗୁଡ଼ାକ ଜଘନ୍ୟ—ଏମାନେ ଇଟାଲୀଆନମାନଙ୍କର ଶତ୍ରୁ । ଯୁଦ୍ଧ ନ ଥମିଲେ ଆମେ ସବୁ ଖତମ ହୋଇଯିବା । ସେ କିଛିଟା ଖାଦ୍ୟ ଖାଇ ପୁଣି ଆଗେଇ ଯାଏ ।

 

ଆଉଦିନେ ଦି’ଜଣଙ୍କୁ ଆମେ ଦେଇଥିଲୁ । ସେଥିରୁ ଜଣେ ଲେଫଟନାଣ୍ଟ ଓ ଅନ୍ୟ ଜଣକ ସେକେଣ୍ଡ ଲେଫଟନାଣ୍ଟ । ଏମାନେ ସୈନିକ, କିନ୍ତୁ ନାଗରିକର ପୋଷାକ ପିନ୍ଧିଛନ୍ତି । ଏମାନେ ଦକ୍ଷିଣ ଆଡ଼କୁ ଲୁଚି ପଳାଇ ଯାଉଛନ୍ତି ।

 

ଯୁଦ୍ଧ ଗୋଟାଏ ବିରାଟ ପରୀକ୍ଷା ଏବଂ ଲୋକମାନଙ୍କୁ ଯୁଦ୍ଧ ସମୟରେ ବିଚାର କରିବା ଉଚିତ—ଶାନ୍ତି ସମୟରେ ନୁହଁ । ଯେତେବେଳେ ଆଇନ ଶୃଙ୍ଖଳା ଥାଏ, ଆମ ପ୍ରତି ଶ୍ରଦ୍ଧା ଥାଏ, ଭଗବାନଙ୍କ ପ୍ରତି ଥାଏ ଭୟ, ସେତେବେଳେ ଏସବୁ କିଛି ନଥାଏ । ପ୍ରତି ଲୋକ ସେମାନଙ୍କର ନିଜର ପ୍ରକୃତି ଅନୁଯାଇ ଚଳନ୍ତି । ଯୁଦ୍ଧ ସମୟରେ ଚୋରୀ ଖୁନ୍ ଡକାଏତି ନାରୀଧର୍ଷଣଟା କାହାରି କର୍ତ୍ତବ୍ୟ ନୁହେଁ ।

 

ଆଉଥରେ ଧାଡ଼ି ବାନ୍ଧି ପାହାଡ଼ ପାଖ ଦେଇ ଦଳେ ପୁରୁଷ ଓ ସ୍ତ୍ରୀଙ୍କୁ ଦେଖିଥିଲୁ । ପୁରୁଷମାନଙ୍କର ପୋଷାକ ଥିଲା ବେଶ୍ ଭଲ ଏବଂ ସ୍ତ୍ରୀମାନେ ଲମ୍ବା ସ୍କାର୍ଟ ବଡ଼ିସ୍ ପିନ୍ଧି ମୁଣ୍ଡରେ ବୋହିଲାବେଳେ ବୋଝ ଏବଂ କୋଳରେ ଛୋଟ ଶିଶୁ । ଏମାନଙ୍କୁ ତାଙ୍କ ବାସ୍ତୁରୁ ତଡ଼ି ଦିଆଯାଇଛି–ଏମାନେ ପୁଣି ଫେରିଯାଉଛନ୍ତି ଗାଁକୁ । ଏମାନେ ଯୁଦ୍ଧ ପାଇଁ ଘର ଛାଡ଼ିଛନ୍ତି—ମୋ’ଭଳି ନିସ୍ଵ ହୃତସର୍ବସ୍ଵ ।

 

ଦୁଇ ସପ୍ତାହ ପରେ ଖବର ଆସିଲା ଯେ ଜର୍ମାନମାନେ ଧରପଗଡ଼ ବନ୍ଦକରି ଦେଇଛନ୍ତି-

 

ଡିସେମ୍ବର ଶେଷରେ ଇଂରେଜମାନେ ଆସିଲେ । ବଡ଼ଦିନ ସକାଳରେ ସାଣ୍ଟଇଉଫୋମିୟାରେ ଦି’ଜଣ ଇଂରେଜ ସୈନିକ ପହଞ୍ଚିଲେ । ମୁଁ ଯାଇ ଦେଖିଲି, ତାଙ୍କୁ ଘେରି ଲୋକମାନେ ଠିଆ ହୋଇଛନ୍ତି । ଦି’ଜଣଙ୍କ ମଧ୍ୟରୁ ଗୋରା ଲୋକଟି ଖଣ୍ଡିଆ ଇଟାଲୀୟାନ ଭାଷାରେ ଜଣାଇଲା ସେମାନେ ଇଂରେଜ ଏବଂ ସେ ନୌବାହିନୀର ଅଫିସର ଓ ଅନ୍ୟଜଣକ ସାଧାରଣ ନାବିକ । ବାସ୍ତୁତ୍ୟାଗୀ ଓ ଚାଷୀମାନଙ୍କର ଏକାଭଳି ପ୍ରଶ୍ନ—ଯୁଦ୍ଧ ଥମିବ କେବେ ? ସମସ୍ତେ ଜାଣନ୍ତି ଯେ ଇଂରେଜମାନଙ୍କ ପାଖରେ ରହିଲେ ବିପଦ । କାରଣ ଗୁପ୍ତଚର ଘୂରି ବୁଲୁଛନ୍ତି-

 

ରୋସେଟା କହିଲା—ମା ଆଜି ବଡ଼ଦିନ । ତମେ ତାଙ୍କୁ ଆମ ସହିତ ଖାଇବାକୁ ନିମନ୍ତ୍ରଣ କର । ମୁଁ ଦି’ଜଣଙ୍କୁ ବଡ଼ଦିନ ନିମନ୍ତ୍ରଣ କଲି । ସେମାନେ ଆନନ୍ଦରେ ଏ ନିମନ୍ତ୍ରଣ ଗ୍ରହଣ କଲେ ।

 

ମୁଁ ପାରିଡ଼େଠାରୁ ଗୋଟାଏ କୁକୁଡ଼ା କିଣିଲି । ଏଇଟିକୁ ଆଳୁରେ ରୋଷ୍ଟ କଲି । ପାସ୍ତା ସାଲେମ ସସେଜ କଲି ଏବଂ କେକ୍ ତିଆରି କଲି । ଏକ ବାସ୍ତୁତ୍ୟାଗୀଠାରୁ ବୋତଲେ ମାରସାଲା ମଦ କିଣିଲି । କମଳାଲେମ୍ବୁ ତ ଶସ୍ତା, ପୂର୍ବରୁ କିଛି କିଣିଥିଲି ।

 

ମାଇକେଲକୁ ମଧ୍ୟ ନିମନ୍ତ୍ରଣ କଲି ।

 

କବାଟ ଖୋଲି ଆମେ ଖାଇବାକୁ ବସିଲୁ । ମାଇକେଲ ଖାଉଁ ଖାଉଁ ଇଂରେଜମାନଙ୍କ ସହିତ ଯୁଦ୍ଧ ସମ୍ପର୍କରେ ଆଲୋଚନା କରିବାକୁ ଲାଗିଲା । ସେମାନେ କହିଲେ, ସେମାନେ ଏତେ ଯୁଦ୍ଧ ଖବର ରଖନ୍ତି ନାହିଁ, କେବଳ ଆଦେଶ ପାଳନ କରୁଛନ୍ତି ନିଜକୁ ରକ୍ଷା କରିବା ପାଇଁ । ପୃଥିବୀର ମଙ୍ଗଳ କାମନା କରି ଆମେ ମାରସାଲା ମଦରେ ପୂର୍ଣ୍ଣ ଗ୍ଲାସକୁ ଧରି ପିଇଲୁ ।

 

ସେ ଦିନ ରାତିରେ ସୈନିକ ଦିଓଟି ଗୋଟାଏ ଖତଗଦାରେ ଶୋଇଲେ ଏବଂ ତା’ ଆରଦିନ ଭୋରରେ ବିଦାୟ ନନେଇ ଚାଲିଗଲେ । ଆମେ ବହୁ ସମୟ ଧରି ଗାଢ଼ ନିଦରେ ଶୋଇଥାଉଁ । ଭୋରରେ ହଠାତ୍ ଆମ କବାଟରେ ପ୍ରଚଣ୍ଡ ଆଘାତ ହେଲା । ରୋସେଟା ଚମକି ଉଠି ମୋଟେ କୁଣ୍ଢାଇ ଧରି କହିଲା—ମା କ’ଣ ହୋଇଛି ? ପୁଣି ଦରଜାରେ ଆଘାତ ପାଇ ପେଟିକୋଟ ପିନ୍ଧି କବାଟ ଖୋଲିବା ମାତ୍ରକେ ଦେଖିଲୁ ଜଣେ ଜର୍ମାନୀ ସର୍ଜେଣ୍ଟ ଓ ଆଉ ଜଣେ ସାଧାରଣ ସୈନିକ ଠିଆ ହୋଇଛନ୍ତି । ସର୍ଜେଣ୍ଟର ମୁହଁଟି ଯେପରି ମାସଟିଫ୍ କୁକୁର । ସର୍ଜେଣ୍ଟର ଆଖି ଦିଓଟିରେ ମୁଁ ଡରିଗଲି—ପଶୁଭଳି । ମୁଁ ନ ଡରି କହିଉଠିଲି—ତମେ କ’ଣ କବାଟଟା ଭାଙ୍ଗି ପକାଇବ ନା କ’ଣ ? କଥା କ’ଣ ? ଦେଖୁନ ଆମେ ଦି’ଜଣ ସ୍ତ୍ରୀଲୋକ ଶୋଇଛୁ ?

 

ସର୍ଜେଣ୍ଟ ପଶି ଆସିଲା । ରୋସେଟା ମୁହଁଟି ଚାଦରରେ ଢାଙ୍କି ପକାଇଲା । ସେମାନେ ଘରଟି ଭିତରେ ଟିକିନିଖି ଖୋଜି ବୁଲିଲେ । ତା’ପରେ ସେମାନେ ବାହାରି ଗଲେ । ଭାଗ୍ୟକୁ ସେମାନେ ଇଂରେଜମାନଙ୍କ ସମ୍ପର୍କରେ କିଛି ପଚାରିଲେ ନାହିଁ । ସେମାନେ ଗୋଳମାଳ ନ କରି ଚାଲିଗଲେ ।

 

ଲୋକମାନେ ଘେରି ପକାଇଲେ ଦି’ଜଣଙ୍କୁ । ମାଇକେଲକୁ ଡାକି ତା’ ଦ୍ୱାରା ପଚାରିଲେ–ଯୁଦ୍ଧ ଥମିବ କେବେ ? ସର୍ଜେଣ୍ଟ କହିଲେ—ଆମେ ଶୀଘ୍ର ଆକ୍ରମଣ କରି ଇଂରେଜମାନଙ୍କୁ ଠେଲି ନେଇ ସମୁଦ୍ରରେ ପକାଇ ଦେବା...ଇଟାଲୀୟମାନେ ଆମ ସାଙ୍ଗରେ ବିଶ୍ଵାସଘାତକତା କରିଛନ୍ତି ବୋଲି ସେମାନଙ୍କର ଅନାହାରରେ ମୃତ୍ୟୁ ହେବ । ବାସ୍ତୁତ୍ୟାଗୀମାନେ ଏକଥା ଶୁଣି ଚୁପ୍‍ ହୋଇଗଲେ । ଏଭଳି କଥା ସେମାନେ ଆଶା କରୁନଥିଲେ । ଯା’ହେଉ ଅନେକ କଥା ପରେ ମାଇଲେ ଜର୍ମାନମାନଙ୍କୁ ପ୍ରଶଂସା କରି କହିବାରେ ମୁଁ ଆଶ୍ଚର୍ଯ୍ୟ ହେଲି । କାରଣ ମୁଁ ଚାହୁଁଥିଲି ଯେ ସେ ଏ ପଶୁଗୁଡ଼ାକୁ ଗାଳିଦେଉ । ସେ କହିଲା—ଦେଖ ଏହି ନାତ୍‍ସୀଗୁଡ଼ାକ ସାଙ୍ଗରେ ସବୁ କିଛି କରିବା ସମୀଚୀନ । ଏମାନଙ୍କ ସହିତ ବିଶ୍ଵାସଘାତକତା ଏପରିକି ଖୁନ୍ ମଧ୍ୟ କରାଯାଇପାରେ । ତମେ ଗୋଟାଏ ବିଷଧର ସାପ ବା ବାଘ ବା ପାଗଳା ହେଟା ବାଘ ସଙ୍ଗରେ କିପରି ବ୍ୟବହାର କରିବ ଶୁଣେ ? ତମେ ନିଶ୍ଚୟ ଜୋର୍‍ କରି ବା ଚଲାକି ଦ୍ୱାରା ଏମାନଙ୍କୁ ଶକ୍ତିହୀନ କରିଦେବ-। ଏହି ନାତ୍‍ସୀଗୁଡ଼ାକ ନିଜକୁ ମଣିଷପଣିଆଠାରୁ ଦୂରକୁ ନେଇ ଯାଇଛନ୍ତି—ତେଣୁ ସବୁ ଆଇନ ସଙ୍ଗତ ।

 

ମୋର ମଇଦା ସରି ଆସିଥାଏ । ମୁଁ ଠିକ୍ କଲି ପାରିଡ଼େଠାରୁ ଷୋହଳଟି ଅଣ୍ଡା ନେଇ ଏହା ପରିବର୍ତ୍ତରେ କେଇ ପାଉଣ୍ଡ ମଇଦା ଯୋଗାଡ଼ କରିପାରିବି । ଟୋମାସିନୋ ମୃତ୍ୟୁ ପରେ ଆଉ ଉପତ୍ୟକାକୁ ଯାଇନି । ମାଇକେଲକୁ କହିବାରେ ସେ ଆମ ସାଙ୍ଗରେ ଯିବାକୁ ରାଜି ହୋଇଗଲା । ଗୋଟାଏ ଝୁଡ଼ିଭିତରେ ଅଣ୍ଡାରଖି ତା’ ଉପରେ ନଡ଼ାଦେଇ ଲୁଚେଇ ବାହାରିଲି । ସେତେବେଳେ ଜାନୁଆରୀ ମାସ । ଆମେ ବେଶ୍ ଚୁପ୍‍ଚାପ୍‍ ଚାଲିଛୁ । ଅଦୂରରେ ଟୋମାସିନୋର ସେଇ କୁଟୀର ଦେଖିଲେ ବେଶ୍‍ ଦୁଃଖ ହୁଏ ।

 

ଜଣେ ଋଷିୟାନ ବନ୍ଦୀ ସହିତ ଦେଖାହେଲା । ସେ ଦିଓଟି ଘୋଡ଼ା ନେଇ ଯାଉଥାଏ । ସେ କହିଲା—ଜର୍ମାନମାନେ ଯୁଦ୍ଧରେ ହାରିଯିବା ନିଶ୍ଚିତ; କାରଣ ସେମାନେ ଚରମ ନିଷ୍ଠୁରତାରେ ସମସ୍ତ ପୃଥିବୀର ଲୋକଙ୍କୁ ରଗେଇ ଦେଲେଣି । କେହି ସେମାନଙ୍କ ଉପରେ ସନ୍ତୁଷ୍ଟ ନୁହନ୍ତି । ସେ କହିଲା, କିଛି ଦିନ ପରେ ସେ ଯୁଦ୍ଧରେ ନିହତ ହେବ—ମୃତ୍ୟୁ ହାତରେ ନିଜକୁ ସମର୍ପଣ କରିଛି । ମୁଁ ଭାବିଲି କି ସୁନ୍ଦର ଯୁବକଟିଏ—ତା’ର ପୁଣି କି ଦଶା ହେବ !

 

କମଳାଲେମ୍ବୁ ବଗିଚା ପାଖଦେଇ ଟ୍ୟାଙ୍କ ବାହିନୀ ଚାଲିଯାଇଛନ୍ତି । ସେଠାରେ ଏକ ସୁନ୍ଦରୀ ଝିଅକୁ ବୁଲିବାର ଦେଖିଲୁ । ମୁଁ ତାକୁ ପଚାରିଲି—ଜର୍ମାନସବୁ ଗଲେ କୁଆଡ଼େ ? ସେ ଠିଆହୋଇ ଅନାଇଲା—ବେଶ୍ ସ୍ୱାସ୍ଥ୍ୟବତୀ ଓ ସୁନ୍ଦରୀ । ସେ ଭୟରେ ମୋ ଆଡ଼କୁ ଅନାଇ କହିଲା—ମୁଁ ଖାଦ୍ୟସାମଗ୍ରୀ କେଉଁଠି ଲୁଚେଇଛି କହିଲେ ତମେ କାହାକୁ କହିବ ନାହିଁ ତ ? ମୁଁ ପଚାରିଲି—ଏହା କହିବାର ଅର୍ଥ ? ସେ ମୁଣ୍ଡହଲାଇ କହିଲା—ଜର୍ମାନମାନେ ସବୁ ନେଇ ଯାଇଛନ୍ତି । ତାକୁ ପଚାରିଲେ କହେ, ମୋର କିଛି ନାହିଁ—ମଇଦା ନାହିଁ—ଚର୍ବି ନାହିଁ । ମୋ ଶିଶୁ ପାଇଁ ମୋ ଥନରେ କେବଳ ଦୁଧ ଅଛି । ଯଦି ଚାହଁ ସେଇଟା ବି ନିଅ ! ସେ ଅଣ୍ଟା ପର୍ଯ୍ୟନ୍ତ ନିଜର ବଡ଼ିସ୍‍ଟି ଖୋଲି ପକାଏ । ତା’ର ଥନଟି ଧରି କହେ—ଏଇଟି ଅଛି ନିଅ । ସୁନ୍ଦର ଗୋଲ ଆଉ ଦୁଧରେ ଭରପୂର ଥନଟିରେ ସମୃଣ ଚମଡ଼ା ଓ ନିର୍ମଳ ଶୁଭ୍ରତା । ତା’ପରେ ଗୁଣୁଗୁଣୁ ଗୀତ ଗାଇ ଚାଲିଯାଏ—ଆମେ ବୁଝିପାରୁ ପାଗଳିଟାଏ—ଯୁଦ୍ଧ ହିଁ ଏଥିପାଇଁ ଦାୟୀ ।

 

ତା’ପରେ ମାଇକେଲ ଆମକୁ ଦଶମିନିଟ ଭିତରେ ଗୋଟିଏ ମୋଟା କାନ୍ଥ ଓ ଟିଣ ଛପର ଘର ଆଗରେ ପହୁଞ୍ଚାଇଲା । ଏଇଟି ଜଣେ ଆଇନଜୀବୀର ଘର । ମାଇକେଲ କବାଟରେ ଆଘାତ କରିବାରେ ଜଣେ ପଚାଶ ବର୍ଷର ଅବିବାହିତ ପୌଢ଼ ବାହାରି ଆସିଲା ।

 

ଓକିଲଙ୍କର ପୋଷାକଟି ଛିଣ୍ଡା । ମାଇକେଲ ଆମକୁ ପରିଚୟ କରାଇ ଦେଇ କହିଲା ଯେ ଆମେ ଏ ରାସ୍ତାରେ ଯାଉଥିଲୁ ଟିକିଏ ପଶି ଆସିଲୁ । ଭଦ୍ରଲୋକଟି ଖାଇବାକୁ ଡାକିଲେ ଏବଂ ତା’ ପୂର୍ବରୁ ଆମକୁ ବିମାନବିଧ୍ୱଂସୀ ବାହିନୀର ଅଫିସର ଏଠାରେ ଅଛନ୍ତି ବୋଲି ସାବଧାନ କରାଇଦେଲେ ।

 

ଘରଟିରେ ବାଜେ ଜିନିଷ ଭର୍ତ୍ତି ହୋଇଥିଲା । ସମସ୍ତେ ଖାଇବାକୁ ବସିଲୁ । ସେଇ ପାଗଳିନୀର କଥା ପଡ଼ିଲା । ଆଇନଜୀବୀ ନିର୍ବିକାର ଭାବରେ କହିଲେ—ଏଇ ଝିଅନା ? ତା’ର ମୁଣ୍ଡ ଖରାପ ହୋଇଯାଇଛି । ଗତବର୍ଷ ଖୁବ୍ ସୈନ୍ୟ ଆସିଥିଲେ ଏଇଠିକି । ତାକୁ ସେତେବେଳେ ଶିଶୁଟିକୁ ନେଇ ବୁଲିବାର ଦେଖିଥିଲୁ ।

 

—ଆଚ୍ଛା ଶିଶୁଟି ?

 

—ବେଶ୍ ଭଲ ଭାବରେ ତା’ ଲୋକ ପାଖରେ ଅଛି, କିନ୍ତୁ ସେ ଜାଣେ ଯେ ତା’ ସ୍ତନରେ କ୍ଷୀର ନାହିଁ; ତେଣୁ ତା’ର ଶିଶୁଟିକୁ ତା’ କୋଳରୁ କାଢ଼ି ନିଆଯାଇଛି; ଅଥଚ ସେ ଭାବେ, ସେ ସବୁଦିନ ତା’ ଶିଶୁକୁ ସ୍ତନ୍ୟପାନ କରାଉଛି । ଏହାହିଁ ଅବସ୍ଥା ।

 

ଜର୍ମାନୀ ଅଫିସରଟି ମୋଟେ ଭଲ ଲୋକ ନଥିଲା । ସେ ଅଯଥା କଳହ ସୃଷ୍ଟି କରିବାକୁ ଲାଗିଲା । ତର୍କ ଯେତେବେଳେ ଖୁବ୍ ପ୍ରବଳ ହେବାକୁ ବସିଛି, ସେତେବେଳେ ବିମାନ ବିଧ୍ୱଂସୀ କମାଣର ଗର୍ଜନ ଶୁଭିଲା । ଲେଫଟନାଣ୍ଟଟି ହଠାତ୍ ଉଠିପଡ଼ି ଚେଆରଟା ପକାଇ ଦେଇ ସେଠାରୁ ପଳାଇଗଲା । ଆଇନଜୀବୀ ଆମକୁ ଅଗଣାରେ ଥିବା ଗାତ ଭିତରକୁ ଡାକି ନେଇଗଲେ । ଆମେ ମାଟି ତଳେ ଅନ୍ଧକାରରେ ପହଞ୍ଚିଗଲୁ । କିଛି ସମୟ ପରେ ଥଣ୍ଡା ପଡ଼ିଗଲା । ଆମେ ବାହାରକୁ ବାହାରି ଆସିଲୁ । ଆମେ କୁଟୀରକୁ ଯାଇ କଫି ଖାଇଲୁ । ଆଇନଜୀବୀଙ୍କ ମା ଅଣ୍ଡା ବଦଳରେ ମଇଦା ଓ ବିନ୍ ଦେଲେ ।

 

ଆମେ ଅନ୍ଧକାରରେ ସାଣ୍ଟଇଉଫୋନଲୋକୁ ଫେରି ଆସିଲୁ ।

 

ସାତ

 

ଜାନୁଆରୀ ମାସର ଗୋଟିଏ ସକାଳରେ ମୁଁ ନିଦରୁ ଉଠି ସମୁଦ୍ର ଉପକୂଳରୁ ଶବ୍ଦ ଶୁଣିବାକୁ ପାଇଲି । ଇମିତି ଦି’ଦିନ ଚାଲିଲା ଅବିରାମ ଗତିରେ । ଆମେ ଏକ ଇଂରେଜମାନଙ୍କ ଇସ୍ତାହାରରୁ ଜାଣିପାରିଲୁ ଯେ ରୋମ ନିକଟରେ ପ୍ରଚଣ୍ଡ ଲଢ଼େଇ ଚାଲିଛି ।

 

ଅପେକ୍ଷା କରିବା ଛଡ଼ା ଆମର ଆଉ କିଛି ଉପାୟ ନଥିଲା । ପ୍ରତିଦିନ ଆମକୁ କାଠକାଟିବା, ନିଆଁ ଧରାଇବା, ଖାଦ୍ୟ ପ୍ରସ୍ତୁତ କରିବା ଏବଂ ସଞ୍ଜପାଇଁ ପ୍ରସ୍ତୁତ ହେବା ହେଲା ଆମର କାମ । ପ୍ରତିଦିନ ସକାଳରୁ ସଞ୍ଜ ପର୍ଯ୍ୟନ୍ତ ଗୋଳାବର୍ଷଣର ଶବ୍ଦ ଆସୁଥାଏ । କ୍ରମେ ଖାଦ୍ୟ ଆମର କମିଆସିଲା; ତେଣୁ ସମସ୍ତେ ସେଇ କଥା ଅଧିକରୁ ଅଧିକ କହିବାକୁ ଲାଗିଲେ । ଟଙ୍କାର ଦାମ କମିଗଲା । ଚାଷୀମାନେ ମଧ୍ୟ ବୁଝିପାରିଲେ ଯେ, ଟଙ୍କାର ମଧ୍ୟ କୌଣସି ମୂଲ୍ୟ ନାହିଁ । ପାରିଡ଼େ ପକ୍ଷୀ, ଶିଆଳ ଧରିବାକୁ ଚେଷ୍ଟା କରେ । ଶେଷରେ ମୁଁ ଅନ୍ୟମାନଙ୍କ ସାଙ୍ଗରେ ଯାଇ ଗଛଚେର କାଟିଆଣି ସୁପ୍‍କରି ଖାଇବାକୁ ଲାଗିଲି । ସେ ସମୟରେ ଏତେ ଅନାଟନ ଘଟିଲା ଯେ ଜଣେ ଅନ୍ୟଜଣକ ସହିତ କଥାବାର୍ତ୍ତା ହେଲେ ସେ ବୁଝାଇ ଦେବାକୁ ଚାହୁଁଥିଲା ଯେ, ତା’ ନିକଟରେ କଣାଏ ଖୁଦ ନାହିଁ ବୋଲି । ଫସଲ ହେବାକୁ ଡେରି । ଜର୍ମାନମାନେ ଯାହା ଦେଖୁଛନ୍ତି ଟେକି ନେଇ ଯାଉଛନ୍ତି ।

 

ଦିନେ ଗୋଟିଏ ଜର୍ମାନୀ ସୈନିକ ପହଞ୍ଚିଲା । ଶାନ୍ତି ସମୟରେ ସେ କୁଆଡ଼େ ଥିଲା ଗୋଟାଏ କମାର । ସେ ଆସି ଏକଡ଼ିୟାନଟି ବଜାଇଲା । ପିଲାଏ ଘେରିଗଲେ, ତା’ର ସ୍ଵରଟି ଥିଲା ବଡ଼ କରୁଣ । ତା’ପରେ ସେ ଗଲାବେଳେ ଜବରଦସ୍ତି ଜାମାଟିଏ ନେଇଗଲା । ଯୁଦ୍ଧ ଅର୍ଥ ମଣିଷ ହତ୍ୟା ନୁହେଁ—ଚୋରୀ ବି । ତା’ ଅର୍ଥ ସୈନିକ ଅନ୍ତରରେ ଖୁନ୍ କରିବା ଓ ଚୋରୀ କରିବା ପ୍ରବୃତ୍ତିକୁ ଯୁଦ୍ଧ ସମୟରେ ଉତ୍ସାହିତ କରାଯାଏ ।

 

ଏ ପ୍ରବୃତ୍ତି ନ ଥିଲେ ସେ ସୈନିକ ବା କିପରି ହୋଇପାରିବ ? ଜର୍ମାନମାନଙ୍କର ଏପରି ଦୁର୍ବଳତା ଥିଲା । ତେଣୁ ଉପତ୍ୟକାର କିଛି ଦୂରରେ ଛୋଟ ଛୋଟ ପିଲାଙ୍କୁ ଜଗାଇ ଦେଉଥିଲେ । ସେମାନେ ଆସିବାବେଳେ ପିଲାଗୁଡ଼ିକ ଏକ ଗୁପ୍ତ ଶବ୍ଦରେ ଉପରକୁ ଖବର ଦିଅନ୍ତି; ଫଳରେ ସମସ୍ତେ ସାବଧାନ ହୋଇ ଯାଆନ୍ତି ।

 

ମୋର ଖାଦ୍ୟ ସରିଯିବାରେ ସାସୋନେରୋ ନାମକ ଏକ ପାହାଡ଼ିଆ ଅଞ୍ଚଳକୁ ଖାଦ୍ୟ କିଣିବାକୁ ମୁଁ, ରେସେଟା ଓ ମାଇକେଲ ବାହାରିଲୁ ।

 

ଆମେ ଏକ ଗୁହା ପାଖରେ ପହଞ୍ଚିଲୁ । ଗୁହା ମୁଖଟି ବିରାଟ, ଅପରିଷ୍କାର ଓ କଳା । ପଥରରେ ବାସନକୁସନ, ସଦ୍ୟକଟା ଛେଳିର ଅଂଶଟିଏ ଝୁଲୁଥିବାର ଦେଖିଲୁ । ବିରାଟ ଗୁହାର ଦି’ପାଖରେ ଡାକ୍ତରଖାନା ପରି ବିଛଣା ପଡ଼ିଛି—ଏଗୁଡ଼ିକ ମଇଳା; କିଏ ତାସ୍‍ ଖେଳୁଛି, କିଏ ଶୋଇଛି । ସ୍ତ୍ରୀଟିଏ ଅର୍ଦ୍ଧଶାୟିତା ଅବସ୍ଥାରେ ଗୋଟିଏ ଶିଶୁକୁ ସ୍ତନ୍ୟପାନ କରାଉଛି ।

 

ପ୍ରବେଶ ପଥ ଦ୍ଵାରରେ ଗୋଟିଏ କ୍ରୂଶବିଦ୍ଧ ଯୀଶୁ ମୂର୍ତ୍ତି । ଦି’ ପାଖରେ ଫୁଲଦାନି । ପ୍ରାୟ ବାରଟା ଘଡ଼ି ରହିଛି । ବେଦିଟି ପାଖରେ ଟୁଲ ଉପରେ ପୁରୋହିତ ବସିଛନ୍ତି । ମୁଁ କହିଲି ରୋସେଟାକୁ—ଏଇଟି ପାଗଳ । ସେ ଉଠିପଡ଼ି କହିଲେ—ମୋର ଘଡ଼ିଗୁଡ଼ିକରେ ଦମ୍‍ ଦେଇ ଦିଅ ତ । ମୁଁ କ’ଣ କହିବା ଆଗରୁ ଜଣେ କହି ଉଠିଲା—ତା’ର ଚର୍ଚ୍ଚ ଓ ଘର ଧ୍ଵଂସ ହୋଇଯାଇଛି । ଏଗୁଡ଼ିକୁ କେବଳ ନେଇ ଆସିଛି—ଏ କାହାର କ୍ଷତି କରେନା, ତୁମେ ଆଦୌ ଭୟ କରନା ।

 

ଜଣେ ସନ୍ନ୍ୟାସିନୀ ଆସି ତାକୁ ଡାକି ନିଅନ୍ତି ଏବଂ ଆମକୁ ଖାଇବାକୁ ଡାକନ୍ତି । ଗୋଟିଏ ବଡ଼ ହଣ୍ଡା ଚାରିପଟେ ଲୋକ ଘେରିଛନ୍ତି । ସିଷ୍ଟର ଟେରେସା ସମସ୍ତଙ୍କୁ ପ୍ଲେଟରେ ପରଷୁଛନ୍ତି । ଏ ବାସ୍ତୁତ୍ୟାଗୀ ଦଳରେ ମ୍ୟୁନିସ୍‍ପାଲ ଇନ୍‍ସପେପେକ୍ଟର, ମେୟର ଓ ଅନେକ ନାମଜାଦା ଲୋକ ଥାଆନ୍ତି । ଆମେ ମଧ୍ୟ ଖାଇଲୁ ତାଙ୍କ ସାଙ୍ଗରେ ।

 

ଆମେ ସିଷ୍ଟରଙ୍କୁ ଧନ୍ୟବାଦ ଦେଇ ବାହାରି ଆସିଲୁ । ଗୋଟିଏ ମେଷପାଳକ ସହିତ କଥାବାର୍ତ୍ତା କଲୁ ଏବଂ କହିଲୁ ଯେ, ଛେଳି ଦୁଧରେ ଦି’ଟା ଛୋଟ ହଳଦିଆ ରଙ୍ଗର ଦୁଧର ପନିର୍‍ ଆମକୁ ଦିଅ । ଦାମ୍ ଶୁଣି ଆମେ ଚମକି ଉଠିଲୁ । ଆମେ ଟିକିଏ ଦହିମାଗି ପାଉଁରୁଟିରେ ଲଗାଇ ସେଠାରେ ଖାଇନେଲୁ । ତା’ପରେ ଫେରି ଆସିଲୁ । ଅନାହାରରେ ଆମେ କ୍ରମେ କ୍ରମେ ଦୁର୍ବଳ ହୋଇପଡ଼ିଲୁ । ଚାରିଆଡ଼େ ହାହାକାର । ଚାରିଆଡ଼େ ଆର୍ତ୍ତନାଦ ।

 

ମାଇକେଲ ଆମକୁ ସେତେବେଳେ ଖାଇବାକୁ ଦେଉଥିଲା । ନିଜର ଖାଦ୍ୟରୁ ପରିବାରର ଅନିଚ୍ଛା ସତ୍ତ୍ଵେ ସେ ନେଇ ଆସେ । ବେଳେବେଳେ ସେ ଚୋରିକରି ଆଣେ । ଆମେ ସେଗୁଡ଼ିକ ଖାଇ ଜୀବନ ଧାରଣ କରୁ । ଏପ୍ରିଲ ମାସ ପରେ ମେ ମାସ ଆସେ । ସେ ଆଣେ ଉତ୍ତାପ, କ୍ଷୁଧା ଓ ନୈରାଶ୍ୟ । ଆମେ ମନେକରୁ ନିଜକୁ ଭିକାରି । ବର୍ଷା ନ ହେବାରୁ ଜଳାଭାବ ଘଟେ । ବାସ୍ତୁତ୍ୟାଗୀମାନଙ୍କର ଅବସ୍ଥା ଶୋଚନୀୟ ହୋଇପଡ଼େ ।

 

ତା’ପରେ ଦିନେ ଖବର ଆସି ପହୁଞ୍ଚିଲା ଯେ ଇଂରେଜମାନେ ଆକ୍ରମଣ କରି ଆଗେଇ ଆସୁଛନ୍ତି । ବାସ୍ତୁତ୍ୟାଗୀମାନେ ଆନନ୍ଦରେ ପରସ୍ପରକୁ କୁଣ୍ଢାଇ ଧରନ୍ତି ଏବଂ ଟୋପିଗୁଡ଼ିକ ଆକାଶକୁ ଫିଙ୍ଗୁଥାନ୍ତି । ସେମାନେ କିନ୍ତୁ ଜାଣିନଥିଲେ ଯେ ଆଉ ଏକ ନୂତନ ବିପଦ ମାଡ଼ିଆସୁଛି-

 

ଆଠ

 

ମାଇକେଲ କହେ ଆଧୁନିକ ଯୁଦ୍ଧରେ ବୀରତ୍ଵର କୌଣସି ଦାମ ନାହିଁ । ଯେଉଁମାନଙ୍କର ବଡ଼ ବଡ଼ ଦୂରଗାମୀ କମାଣ ଅଛି ଓ ନାନା ଧରଣର ଦ୍ରୂତଗାମୀ ବିମାନ ଅଛି ସେମାନେ ଜୟୀ ହେବେ । ସୈନିକମାନେ ଚତୁର ମେକାନିକ ମାତ୍ର ।

 

ତା’ପରେ କମାଣଗୁଡ଼ିକ ଏଡ଼େ ନିକଟବର୍ତ୍ତୀ ହୁଏ ଯେ, ଆମ ଘରର କାନ୍ଥଗୁଡ଼ିକ କମ୍ପିଉଠେ । ବିସ୍ଫୋରଣର ଭୀଷଣ ଶବ୍ଦ ପୃଥିବୀକୁ ପ୍ରକମ୍ପିତ କରେ ।

 

ପାହାଡ଼ ଉପରେ ବୋମା ପଡ଼ିବାକୁ ଲାଗିଲା । ସେ ଶବ୍ଦରେ କୁଟୀରଗୁଡ଼ିକ ତାସ୍‍ପରି ଓଲଟ ପାଲଟ ଶୋଇଗଲା । କୁଟୀର ପଛର ଗୁହା ଭିତରକୁ ପଶିଗଲୁ—ଏଇଠି କୁକୁଡ଼ାସବୁ ରହୁଥିଲେ । ଗୁହାଟିର ଚାରିପାଖରେ ଘନ ଘନ ବିସ୍ଫୋରଣ ହେବାକୁ ଲାଗିଲା ।

 

ଆମେ ପୁଣି ବାହାରକୁ ଆସିଲୁ । ଆମେ ରୋଟି ଓ ପନିର୍‍ ପାଇଲାବେଳେ ପାରିଡ଼େ ପୁଅ ଖବର ଦେଲା, ଜର୍ମାନୀ ଲୋକମାନେ ଆସୁଛନ୍ତି । ତା’ପରେ ଜଣାଗଲା ଯେ, ଦଳେ ଜର୍ମାନୀ ସୈନ୍ୟ ଆସି କୁଟାଗଦା ତଳେ ବସିଛନ୍ତି ।

 

ମୁଁ ଦେଖିବାକୁ ଗଲି । ପାଞ୍ଚଜଣ ଜର୍ମାନ ସୈନିକ କୁଟାଗଦାରେ ଶୋଇଛନ୍ତି । ବାସ୍ତୁତ୍ୟାଗୀ ଓ ଚାଷୀମାନେ ଗୋଲ ହୋଇ ଏମାନଙ୍କୁ ଦେଖୁଥାନ୍ତି । ମାଇକେଲ ବୁଝିଲା ଯେ, ଏମାନେ ପଳାତକ । ଏମାନଙ୍କର ବିମାନ ଧ୍ଵଂସ ପାଇଛି । ସେମାନେ ଖାଇବାକୁ ମାଗିଲେ ରିଭଲଭର ଭୟ ଦେଖାଇ । ମାଇକେଲ ତା’ ବାପା ପାଖରୁ ରୁଟି ମଗାଇଲା । ଜର୍ମାନୀ ସୈନ୍ୟମାନେ କହିଲେ—ରୁଟି ନୁହେଁ, ଆମକୁ ଏପରି ଗୋଟାଏ ଲୋକ ଦରକାର ଯେ ଆମକୁ ବାଟ ଦେଖାଇ ଦେବ । ଆମର ସେଇ ଝିଅଟି ଦରକାର କହି ରୋସେଟାକୁ ଦେଖାଇଲା । ମୋର ରକ୍ତ ହିମ ହୋଇଗଲା । ମାଇକେଲ କହିଲା—ସେ ତ ଏ ଅଞ୍ଚଳର ଝିଅ ନୁହେଁ । ଜଣେ ଜର୍ମାନୀସୈନ୍ୟ କହିଲା, ତେବେ ତମେ ଚାଲ । ମାଇକେଲ କହିଲା—ମୁଁ ପାହାଡ଼ରେ ରାସ୍ତା ଦେଖିନି । ଜର୍ମାନୀଟି ଜୋର୍‍ ଦେଇ କହିଲା ଯେ—ନା ତମକୁ ଯିବାକୁ ହେବ ।

 

ରୋସେଟା ରୁଟି ଆଣିଲା ପରେ ପାଞ୍ଚଭାଗ କରି ପାଞ୍ଚଜଣ ଖାଇଲେ ଏବଂ ପାଣି ପିଇଲେ ।

 

ପାଞ୍ଚଜଣ ଠିଆହୋଇ ମାଇକେଲକୁ କହିଲେ—ତମେ ରାସ୍ତା ଦେଖାଇଦେବ ଚାଲ । ସୈନ୍ୟଟି ପିସ୍ତଲ ଉଠାଇ ଥିଲା । ମୁଁ କହିଲି, ସେ ମୋର ପୁଅ । ସେ ରାସ୍ତା ଜାଣେନା, ତା’ ବଦଳରେ ମୋତେ ନେଇ ଯାଅ ।

 

ଜର୍ମାନଟି କହିଲା—ନା’ ତାକୁ ହିଁ ଯିବାକୁ ପଡ଼ିବ । ସେ ମାଇକେଲ ଆଡ଼କୁ ପିସ୍ତଲ ଦେଖାଇ କହିଲା—ଚାଲ । ଫିଲିପୋ ଚିତ୍କାର କଲା, ମାଇକେଲ ପଳାଇ ଯାଆ । ଜର୍ମାନଟି ଗୁଳି ଚଳାଇଲା । ବାସ୍ତୁତ୍ୟାଗୀ ଓ ଚାଷୀମାନେ ମାଇକେଲକୁ କୌଣସି ପ୍ରକାରେ ସାହାଯ୍ୟ କରିପାରିଲେ ନାହିଁ ।

 

ଜର୍ମାନମାନେ ମାଇକେଲ ପଛରେ ପିସ୍ତଲଟି ଧରି ଚାଲିଥାନ୍ତି । ମାଇକେଲ ଧୀରେ ଧୀରେ ଯାଉଥାଏ । ଫିଲିପୋ ପିତୃତ୍ଵର ଗଭୀର ପ୍ରେରଣାରେ ଚିତ୍କାର କରି ଆଗେଇ ଗଲା । ବାସ୍ତୁତ୍ୟାଗୀମାନେ ତାକୁ ଧରିପକାଇଲେ । କିଏ କେତେ ପ୍ରବୋଧ ଦେଲେ; କିନ୍ତୁ ମାଇକେଲର ମା’ ଅନ୍ୟ ମା’ ପରି କହିଲା—ନା, ନା, ମୁଁ ଜାଣିଛି ସେ ଆଉ ଫେରିଆସିବ ନାହିଁ ।

 

ସେଦିନ ଆମେ ଶୋଇପାରୁନା । ପ୍ରବଳ ବୋମା ବର୍ଷଣ ଚାଲିଛି । ଅନ୍ଧକାର ଭିତରେ ରୋସେଟା ପଚାରିଲା—ମାଇକେଲର କ’ଣ ହେବ ? ମୁଁ ଧୈର୍ଯ୍ୟ ହରାଇ କହିଲି—ତମେ ଶୋଇପଡ଼ । ସେ ବେଶ୍‍ ଭଲ ଅଛି । ଏବେ ହୁଏତ ପାହଡ଼ ଦେଇ ଫେରି ଆସୁଥିବ I

 

ତା’ ଆରଦିନ ସକାଳେ ଉଠି ଦେଖିଲି ଯେ, ବାସ୍ତୁତ୍ୟାଗୀମାନେ ଚାଷୀମାନଙ୍କଠାରୁ ବିଦାୟ ନେଇ ଯାଇଛନ୍ତି । ରୋସେଟାକୁ ଖୋଜିଲି । ସେ ପାରିଡ଼େ ଘରେ ଖାଉଥିବାର ଦେଖିଲି । ପାରିଡ଼େ କହିଲା—ତେବେ ସହରକୁ ଫେରିଯିବି ? ମୁଁ କହିଲି ଫିଲିପୋର ଖବର କ’ଣ ? ରୋସେଟା କହିଲା, ସେମାନେ ସବୁ ସକାଳୁ ଚାଲିଗଲେଣି ।

 

ରୋମରୁ ଆଣିଥିବା ଫାଇବାର ସୁଟକେଶରେ ଆମର ଜାମାପଟା ଓ ଖାଦ୍ୟ ଯାହା ଥିଲା ଭର୍ତ୍ତି କରିଦେଲୁ । ତା’ପରେ ଯିବାକୁ ପ୍ରସ୍ତୁତ ହୋଇ ପଡ଼ିଲୁ ।

 

ଆମେ ବିଦାୟ ନେଇ ବାହାରିଲାବେଳକୁ ମେସିନଗନ୍‍ର ଶବ୍ଦ ଆସିଲା । ସମସ୍ତେ ଆଶ୍ରୟ ନେବାକୁ ଚାଲିଗଲେ; କିନ୍ତୁ ମୁଁ ଯାଇପାରିଲି ନାହିଁ । ନଅ ମାସ ଧରି ଯେଉଁ ଭୟରେ ମୁଁ କଟାଇଛି ସେଥିରେ ଜୀବନ ପ୍ରତି ବିତୃଷ୍ଣା ଆସିଯାଇଥାଏ । ଯା’ହେଉ ଆମେ ତଳକୁ ଧୀରେ ଧୀରେ ଓହ୍ଲାଇ ଗଲୁ । ପାହାଡ଼ ତଳେ ଥିବା ଟୋମାସିନୋର କୁଟୀରଟି ଦେଖିଲୁ । ଯାହା ସେଦିନ ପରିତ୍ୟକ୍ତ ଥିଲା, ତାହା ଆଜି ବାସ୍ତୁତ୍ୟାଗୀରେ ଭରପୂର ହୋଇଉଠିଛି । ଆମେ ସେମାନଙ୍କ ସାଙ୍ଗରେ ଆଗେଇ ଯାଇ ଏବେ ଆମେରିକା ବାହିନୀଙ୍କୁ ଦେଖିଲୁ । ମୁଁ ବୁଝିପାରିଲି ଯେ ଜର୍ମାନୀ ସୈନ୍ୟମାନେ ପରାଜିତ ହୋଇଯାଇଛନ୍ତି । ଦଶ ମିନିଟ ଭିତରେ ଆମେ ସହରରେ ପହଞ୍ଚିଗଲୁ । ସେଠାରେ ତ ସବୁ ଘର ଧ୍ୱଂସ—ଠିଆ ହେବାର ଉପାୟ ନାହିଁ । ଯେଉଁ ଜାଗା ସବୁ ଅଛି ସେଥିରେ ଭର୍ତ୍ତିହୋଇ ରହିଛନ୍ତି ସୈନ୍ୟ ଓ ବାସ୍ତୁତ୍ୟାଗୀମାନେ ।

 

ଆମେରିକାନ୍‍ମାନେ ସିଗାରେଟ ଓ ମିଠାଇ ପକାଉ ଥିଲେ । ବାସ୍ତୁତ୍ୟାଗୀମାନେ ପରସ୍ପର ସହିତ ଲଢ଼େଇ କରି ତାହା ଗୋଟାଉ ଥିଲେ । ମୁଁ ଗୋଟିଏ ସାମରିକ ଗାଡ଼ିପାଖରେ ଯାଇ ପଚାରିଲି—ରୋମକୁ ଯିବାର ପଥ ଅଛି କି ନାହିଁ । ସେ କହିଲା—ନା, ରୋମରେ ଏବେ ଜର୍ମାନ । ତା’ପରେ ସେମାନେ ଆମକୁ ଗାଡ଼ିରେ ନେଇ ଚାଲିଯାନ୍ତି । ମୁଁ କହିଲି, ଆମକୁ ଖାଦ୍ୟ ଦିଅ । ସେଠାରେ ପହଞ୍ଚି ଦେଖିଲୁ ଯେ ଲୋକମାନଙ୍କର ଭିଡ଼ ଲାଗିଛି । ଜଣେ ଆମେରିକାନ୍ ଅଫିସର ସହିତ ସେ ପରିଚୟ କରାଇ ଦେଲେ । ଅଫିସରଟି ଇତାଲୀ ଭାଷାରେ କଥାବାର୍ତ୍ତା କରୁଥାନ୍ତି । ମୁଁ ତାଙ୍କୁ କହିଲି ଯେ ଆମେ ରୋମକୁ ଯିବାକୁ ଚାହୁଁ । ତମେ କ’ଣ ଏବେ ବି ରୋମ ଅଧିକାର କରିନ ? ସେ କହିଲେ—ନା, ଜର୍ମାନମାନେ ସେଠାରେ ଅଛନ୍ତି । ଆମେ ଅଧିକାର କଲେ ମଧ୍ୟ ସ୍ଵତନ୍ତ୍ର ହୁକୁମ ନ ଆଣିଲେ ଆମେ ଭିତରକୁ ପଶିବାକୁ ଦେବୁ ନାହିଁ । ସେ ଆମକୁ ତାଙ୍କ ପଛରେ ଯିବାକୁ କହିଲେ । ଆମେ ହଲ୍‍ ଭିତରେ ପଶିଗଲୁ । ସେହି ଆମେରିକାନ୍ ଅଫିସରଟି ତାଙ୍କ କ୍ଷମତା ବଳରେ ଆମକୁ ଟିଣଭର୍ତ୍ତି ଖାଦ୍ୟ ଯୋଗାଇ ଦେଲେ ।

 

ଆମେ ଛଅ ସାତ ଟିଣ ମାଂସ, ଦୁଇଟିଣ ମାଛ, ପାଉଣ୍ଡେ ଓଜନର ଜାମ୍ ପାଇଲୁ । ଟିଣଗୁଡ଼ାକ ସୁଟକେଶରେ ପୂରାଇ ଆମେ ବାହାରକୁ ଚାଲିଆସିଲୁ । ଅଫିସରଟି ଅଭିବାଦନ ଜଣାଇ ଆମଠାରୁ ବିଦାୟ ନେଲେ ।

 

ଆମେ ସମସ୍ତଙ୍କଭଳି ଭିଡ଼ରେ ଉଦ୍ଦେଶ୍ୟହୀନ ହୋଇ ଘୂରିବୁଲିଲୁ । ତା’ପରେ ପ୍ରଧାନ ରାସ୍ତାଦେଇ ଆଗେଇ ଗଲୁ । ଆମେ ଗୋଟିଏ କୁଟୀର ଦେଖିଲୁ । ତା’ର କବାଟ ଖୋଲା ଥିଲା । ମୁଁ ରୋସେଟାକୁ କହିଲି, ଚାଲ ଭିତରେ ଯାଇ ଦେଖିବା—ଏଇଠି ରାତିଟା କଟାଇ ହେବ କି ନା । ଘରଟି ଭୀଷଣ ଅପରିଷ୍କାର ହୋଇଛି । କାନ୍ଥଗୁଡ଼ିକ ଚୂନଧଉଳା, କିନ୍ତୁ କାନ୍ଥରେ ଲଙ୍ଗଳା ସ୍ତ୍ରୀର ଚିତ୍ର––ଯୌନଚିତ୍ର । ଏପରି ଅନେକ କିଛି ଅଙ୍କା ଯାଇଛି, ଯେଉଁଗୁଡ଼ିକ ସାଧାରଣତଃ ସୈନ୍ୟମାନେ କାନ୍ଥରେ ଆଙ୍କିଥାନ୍ତି । ଏଠାରେ ଦୁଇରାତି ରହିବାକୁ ସ୍ଥିର କଲୁ । ଘରଟି ପରିଷ୍କାର କରି ଶୋଇବାକୁ ଠିକ୍ କଲୁ । ଘର ସାମନା ଦୂର ଗଛଗହଳି ଭିତରେ ଆମେରିକାନ୍‍ମାନେ ତିନୋଟି କମାଣ ଠିଆ କରି ରଖିଥାନ୍ତି । ଏତେବେଳେ ମୁଁ ବୁଝିଲି ଏ ଘରଟି ଖାଲିପଡ଼ିଛି କାହିଁକି । ଚାଷୀମାନଙ୍କ ସହିତ ଆଳାପ କରି ପାଉଁରୁଟି ଆଣିଲି ଏବଂ ଟିଣରୁ ମାଂସ ନେଇ ଖାଇସାରି କୁଡ଼ିଆ ଭିତରେ ଆମେ ଶୋଇ ପଡ଼ିଲୁ । ହଠାତ୍ ବିସ୍ଫୋରଣ ଶବ୍ଦ ହେଲା । କାନ୍ଥଗୁଡ଼ିକ କାଗଜଭଳି ଥରିଉଠିଲା—ଆମେରିକାନ୍ କମାଣରୁ ଗୋଳା ନିକ୍ଷେପ ଚାଲିଛି । ମୁଁ ଖୁସିହେଲି ଯେ ଏଗୁଡ଼ିକ ସେହି ପଶୁ ଜର୍ମାନଙ୍କ ଉପରେ ପଡ଼ୁଛି, ଯେଉଁମାନେ ଆମର ସର୍ବସ୍ଵ ହରଣ କରି ନେଇଛନ୍ତି ।

 

ରାତିରେ ମୁଁ ହଠାତ୍ ଉଠିପଡ଼ିଲି । ସବୁଜ ଆଲୋକ, ଘୃଣ୍ୟ ସାଇରନ୍ ମୋତେ ପୁଣି ଉନ୍ମାଦ କରିଦେଲା । ପ୍ରଚଣ୍ଡ ବିମାନ ଆକ୍ରମଣ ଆରମ୍ଭ ହୋଇଛି । ରୋସେଟାକୁ କହିଲି—ଶୀଘ୍ର ଘରୁ ବାହାରି ଆ । ବୋମା ବିସ୍ଫୋରଣର ଶବ୍ଦ ଆସୁଥାଏ—ତା’ପରେ କମାଣର ଗର୍ଜନ ।

 

ରୋସେଟାର ହାତ ଧରି ଶୀଘ୍ର ବାହାରି ଆସିବା ପରେ ସେହି କୁଟୀର ପଛରେ ବୋମା ପଡ଼ିଲା । ମୁଁ ରୋସେଟା ହାତ ଧରି ଧାନକ୍ଷେତ ଉପରେ ଦଉଡ଼ିଲି ଏବଂ ଶେଷରେ ଗୋଟିଏ ପୋଖରୀ ଭିତରେ ବେକେ ପାଣିରେ ଠିଆହେଲି ରୋସେଟାକୁ ଜାବୁଡ଼ିଧରି । ଆକାଶରେ ଦେଖାଗଲା ସତେ ଯେପରି ଭଳିକି ଭଳି ଫୁଲ, ବିମାନବିଧ୍ଵଂସୀ କମାଣର ଧୂଆଁ; ଶୁଣାଗଲା ମାଟିକୁ ସ୍ପର୍ଶକରି ଯାଉଥିବା ଏରୋପ୍ଲେନର କର୍କଶ ଧ୍ଵନି । ଅବଶେଷରେ ଗୋଟାଏ ବିରାଟ ବିସ୍ଫୋରଣ ହେଲା ।

 

ସେହି ରାତିର ଅନ୍ଧକାରରେ ଆମ ମୁଣ୍ଡ ଉପରେ ତାରାଗୁଡ଼ିକ ପୁଣି ହସି ଉଠନ୍ତି । ମୁଁ ରୋସେଟାକୁ କହେ—ନା, ଆଉ କୁଡ଼ିଆକୁ ଫେରିଯିବା ନାହିଁ । ଆମେ ପୋଖରୀରୁ ଉଠି ପାଖ ଜମିରେ ଚିତ୍‍ ହୋଇ ଶୋଇପଡ଼ୁ । ଶେଷରେ ନିଦ ହୋଇଯାଏ । ସକାଳେ ଦେଖୁ ଯେ ଆମେ ଶସ୍ୟକ୍ଷେତ୍ର ଭିତରେ ଶୋଇ ରହିଛୁ । କାଦୁଅରେ ଆମର ପୋଷାକ ଖରାପ ହୋଇଯାଇଛି । ଆମେ କୁଟୀର ଆଡ଼କୁ ଗଲୁ । କୁଟୀରର ଚିହ୍ନବର୍ଣ୍ଣ ନାହିଁ । ଆମେ କୁଟୀର ଭିତରେ ଥିଲେ ଆମର କ’ଣ ଦଶା ହୋଇଥାନ୍ତା । ଆମର ସୁଟକେଶଗୁଡ଼ିକ ସେହି ଭଗ୍ନସ୍ତୂପ ଭିତରେ ହଜିଯାଇଥାଏ । ମୁଁ ଅଳିଆଗଦା ଉପରେ ବସି କ’ଣ କରିବି ଚିନ୍ତାକଲି । ଆଗଦିନ ପରି ରାସ୍ତାଟି ସୈନ୍ୟ ଓ ବାସ୍ତୁତ୍ୟାଗୀରେ ପୂରି ଉଠିଥିଲା । ଜଣେ ପରିଚିତ ଚାଷୀ କହିଲା ଯେ, ଗତକାଲି ଜର୍ମାନମାନଙ୍କର ଗୋଳା ବର୍ଷଣ ହୋଇଛି । ସେ ବର୍ଣ୍ଣନା କଲା, ଗୋଟାଏ ପରିବାରର ସ୍ଵାମୀ ସ୍ତ୍ରୀ ଓ ତା’ର ପିଲାଏ କାଲି ପାହାଡ଼ରୁ ଆସି ଗୋଟିଏ ପାଖରେ ଆଶ୍ରୟ ନେଇଥିଲେ । ଗତ ରାତିରେ ବୋମା ବର୍ଷଣ ହେତୁ ସମସ୍ତ ପରିବାରଟିର ବିଲୁପ୍ତି ଘଟିଥିଲା । ଏକଥା ଶୁଣି ମଧ୍ୟ ମୋ ମନରେ ଦୁଃଖ ଆସିଲା ନାହିଁ-। ମୁଁ ନିର୍ଲିପ୍ତ—ଯୁଦ୍ଧର ଏ ଗୋଟାଏ କୁଫଳ ।

 

କୁଟୀରଟିର ଧ୍ୱଂସ ସ୍ତୂପ ଉପରେ ବସି ଆମେ ସକାଳଟି କଟାଇ ଦେଲୁ । ଆମେ ଦୁଃଖ ଓ ବେଦନାରେ ଏତେ ବିମର୍ଷ ହୋଇପଡ଼ିଥିଲୁ ଯେ ସୈନ୍ୟ ଓ ଚାଷୀମାନେ ଆମକୁ କିଛି ପଚାରିଲେ ଆମେ ଉତ୍ତର ଦେବାକୁ ଅକ୍ଷମ ହୋଇ ଉଠୁଥିଲୁ । ଗୋଟାଏ ଆମେରିକାନ୍‍ ସୈନ୍ୟ ରୋସେଟାକୁ ଏପରି ଭାବରେ ଦେଖି ଶେଷରେ ରୋସେଟା ମୁଖରେ ଗୋଟାଏ ସିଗାରେଟ ଗୁଞ୍ଜିଦେଇ ଚାଲିଗଲା । ସେଇ କଳା ଓ କାଦୁଅ ମିଶା ମୁଖରେ ସିଗାରେଟଟି ରୋସେଟା ମୁହଁରେ ଗୁଞ୍ଜା ଅବସ୍ଥାରେ ବଡ଼ ମଜା ଦେଖା ଯାଉଥିଲା । ଆନିଚ୍ଛାସତ୍ତ୍ଵେ ଆମେ ସହର ଅଭିମୁଖେ ଯାତ୍ରା କଲୁ । ସେଠାରେ ଥିବା ଗୋଟିଏ ହଲ୍‍ ଭିତରକୁ ପଶିଲୁ କାଳେ ସେହି ଅଫିସର ସହିତ ଦେଖା ମିଳିଯିବ । ସମସ୍ତେ ଲାଇନରେ ଠିଆ ହୋଇଛନ୍ତି । ସେହି ଅଫିସରଟି କାଉଣ୍ଟର ପାଖରେ ବସିଥାନ୍ତି । ସେ ଆମକୁ ଚିହ୍ନିପାରି କହିଲେ—କ’ଣ ତମେ ଏବେ ବି ରୋମକୁ ଯାଇନ ?

 

ମୁଁ ପୋଷାକ ଦେଖାଇ କହିଲି—ଦେଖୁଛ ତ ଅବସ୍ଥା ।

 

—ଗତ ରାତିର ବିମାନ ଆକ୍ରମଣ ।

 

—ହଁ ଆମର ଆଉ କିଛି ନାହିଁ ।

 

ଆମେ ଯେଉଁଠି ଥିଲୁ ତା’ ଉପରେ ବୋମା ପଡ଼ି ସବୁ ନଷ୍ଟ ହୋଇଯାଇଛି ।

 

—ତମକୁ ଖାଦ୍ୟ ଓ ପୋଷକ ମିଳିପାରେ ।

 

—ଆମକୁ ରୋମକୁ ପଠାଇ ଦିଅ ।

 

—ଆମ ଲୋକେ ଏବେ ବି ପହଞ୍ଚି ପାରି ନାହାଁନ୍ତି, ତମେ ପୁଣି ଯିବ କିପରି ?

 

ମୁଁ ନୀରବ ରହିଲି । ଆମକୁ ଖାଇବାକୁ ଦିଆଗଲା । ଧଳାପଟି ଲଗାଇଥିବା ଜଣେ ଇତାଲୀୟ ଆମକୁ ପୋଷାକ ମିଳିବା ଜାଗାକୁ ଯିବାପାଇଁ କହିଲା ।

 

ମୁଁ କହିଲି—ଭାଲେକୋରସା ନିକଟରେ ଗୋଟିଏ ଗାଁରେ ମୋର ବାପା ମା ଅଛନ୍ତି । ଆମକୁ ସେଠାକୁ ପଠାଇ ଦେବ କି ?

 

ସେ କହିଲା—ସାମରିକ ଗାଡ଼ିରେ ଯିବା ତ ବେଆଇନ । ଯେଉଁ ଇତାଲୀୟାମାନେ ଆମକୁ ସାହାଯ୍ୟ କରିଛନ୍ତି ଆମେ କେବଳ ତାଙ୍କୁ ସାହାଯ୍ୟ କରିଥାଉଁ । ଏକଥା କହି ଅନ୍ୟମାନଙ୍କ ଆଡ଼କୁ ମୁହଁ ଫେରାଇଲି ।

 

ଆମେ ଚାଲିଆସିଲୁ । ଆମକୁ ସେହି ଧଳାପଟି ପିନ୍ଧିଥିବା ଲୋକଟି କହିଲା—ଗତକାଲି ଦି’ଜଣଙ୍କୁ ସାମରିକ ଗାଡ଼ିରେ ପଠାଇ ଦିଆହୋଇଛି । କାରଣ ସେମାନେ ଜଣେ ଇଂରେଜ ବନ୍ଦୀକୁ ସାହାଯ୍ୟ କରିଥିଲେ । ତମେ ସେମିତି କିଛି କରିଛ ?

 

ହଠାତ୍ ରୋସେଟା କହି ଉଠିଲା—ମା ତମର କ’ଣ ମନେ ନାହିଁ ଯେ, ସେଇ ଇଂରେଜମାନଙ୍କ କଥା—ବଡ଼ଦିନ ଉତ୍ସବରେ ।

 

ସେଇ ଇଂରେଜ ଦି’ଜଣ ଯିବା ଆଗରୁ ଗୋଟାଏ କାଗଜରେ ତାଙ୍କ ଭାଷାରେ କ’ଣ ଲେଖି ଦସ୍ତଖତ କରି ଆମକୁ ଦେଇ ଯାଇଥିଲେ । ମୁଁ ଏଇଟିକୁ ମୋ ଟଙ୍କା ଥଳି ଭିତରେ ରଖି ଦେଇଥିଲି । ମୁଁ କାଗଜଟା ଅଣ୍ଡାଳି ବାହାର କଲି । ଲୋକଟିକୁ ସବୁ କଥା କହିବାରେ ସେ ସାମରିକ ପ୍ରଧାନ କାର୍ଯ୍ୟାଳୟକୁ ନେଇଗଲା ।

 

ଆମକୁ ସୈନ୍ୟ ବାହିନୀର ଯୋଗ ଦେଇଥିବା ଝିଅ ପୋଷାକ ଦିଆଗଲା । ଏଗୁଡ଼ିକ ପାଇ ଆମେ ଖୁବ୍ ଖୁସି ହୋଇ ଉଠିଲୁ କାରଣ ଆମ ପୋଷାକଗୁଡ଼ିକ ଛିଣ୍ଡି ଯାଇଥିଲା । ସାବୁନରେ ଆମେ ଧୁଆ ଧୋଇ ହୋଇ ପରିଷ୍କାର ହୋଇଗଲୁ ।

 

ଆମେ ପ୍ରଧାନ କାର୍ଯ୍ୟାଳୟର ସବୁଠାରୁ ଉପର ତାଲାକୁ ଉଠି ଅପେକ୍ଷା କଲୁ । ଆମେ ସୋଫାରେ ବସିଲୁ । ଲୋକଟି ଜଗୁଆଳିକୁ କ’ଣ କହିଲା । ପାଞ୍ଚ ମିନିଟ ଭିତରେ ସୈନିକଟି ଆମକୁ ଭିତରକୁ ଡାକିନେଲା । ଆମେ ଦେଖିଲୁ ଜଣେ ମେଜର ବସିଛନ୍ତି ।

 

ସେ କହିଲେ—ଆପଣ କ’ଣ କାଗଜ ଦେଖାଇବେ ? ମୁଁ କାଗଜଟା ଦେଲି । ସେ ଦେଖି କହିଲେ—ଏଇଟି ଖୁବ୍ ଜରୁରୀ । ଆମେ ବହୁଦିନୁ ଏ ଦି’ଜଣଙ୍କର ଖବର ପାଇନଥିଲୁ । ସେମାନଙ୍କ ପାଇଁ ଆପଣମାନେ ଯାହା କରିଛନ୍ତି ସେଥିପାଇଁ ଆମେ କୃତଜ୍ଞ । ଆଚ୍ଛା ସେ ଦି’ଜଣ କିପରି କୁହନ୍ତୁ ତ ?

 

ଆମେ ସାଧ୍ୟାନୁସାରେ ବର୍ଣ୍ଣନା ଦେଲୁ । ସେ ଖୁବ୍ ଖୁସି ହୋଇ ଉଠିଲେ ଏବଂ ପଚାରିଲେ ଯେ ସେ ତାଙ୍କ ପାଇଁ କ’ଣ କରିପାରିବେ ?

 

ମୁଁ ତାଙ୍କୁ ସବୁ କଥା ଖୋଲି କହିଲି ଏବଂ ଭାଲେକୋରସା ଯିବାକଥା ଜଣାଇଲି । ସେ କହିଲେ—ଗାଡ଼ି ତମକୁ ଭାଲେକୋରସାରେ ଓହ୍ଲାଇ ଏ ଦି’ଜଣଙ୍କୁ ଖୋଜିବାକୁ ଯିବ ।

 

ମୁଁ ଧନ୍ୟବାଦ ଦେଲି । ସେ ଆମ ନାମ ଟିପି ରଖିଲେ । ଆମକୁ ଗୋଟିଏ ଖୋଲା ଓ ପରିଷ୍କାର ଘରକୁ ନେଇ ସେଠାରେ ଶୋଇବାକୁ କହିଲେ ଏବଂ ତା’ ଆରଦିନ ସକାଳେ ଆମକୁ ଆମ ଗାଁକୁ ନେଇ ଯିବେ ବୋଲି ଜଣାଇଲେ । ଦିଓଟି ବିଛଣାରେ ଆମେ ବେଶ୍ ନିଶ୍ଚିନ୍ତର ବସିରହିଛୁ । ମନଟା ବେଶ୍‍ ଆନନ୍ଦରେ ଭରିଯାଉଥାଏ ।

 

ଆମେ ପରସ୍ପରକୁ କୋଳକଲୁ । ମୁଁ ରୋସେଟାକୁ ଚୁମ୍ବନ ଦେଇ କହିଲି—ମୁଁ ଜାଣେ ସବୁ କିଛି ଠିକ୍ ହୋଇଯିବ । ଏ କେଇଦିନ ଗାଁରେ ବିଶ୍ରାମ କରିବା ଏବଂ ତା’ପରେ ରୋମକୁ ଫେରିଯିବା । ମୁଁ ଭାବିଲି ରୋମକୁ ଶୀଘ୍ର ଫେରି ଦୋକାନ ଖୋଲିବି । ଆଗ ଭଳି ସବୁ ଚାଲିବ । ରୋସେଟା ବାହା ହେବ–ତା’ର ପ୍ରେମିକ ଫେରିଆସିବ । ତା’ କୋଳରେ ହସି ଉଠିବ ଶିଶୁଟିଏ । ମୁଁ ପୁଣି ଶୋଇପଡ଼ିଲି ।

 

କବାଟରେ ଆଘାତ ପାଇ ଭୋରରେ ଆମର ନିଦ ଭାଙ୍ଗିଗଲା । ସୈନିକଟି ଖବର ଦେଲା ଯେ ଭାଲେକୋରସା ପାଇଁ ଗାଡ଼ି ପ୍ରସ୍ତୁତ ହୋଇ ରହିଛି । ଆମେ ପୋଷାକ ପିନ୍ଧି ବାହାରି ଆସି ଦେଖୁ ଏକ ସାମରିକ ଗାଡ଼ି ଠିଆ ହୋଇଛି । ଜଣେ ଅଫିସର ଡ୍ରାଇଭର ସିଟରେ ବସିଥିଲେ-। ସେ ଗାଡ଼ିଉପରକୁ ଉଠିବା ପାଇଁ କହି ଜଣାଇଲେ, ଭାଲେକୋରସା ନେବାକୁ ଆଦେଶ ହୋଇଛି-। ଗାଡ଼ିରେ ଦିଓଟି କାର୍ଡ଼ବୋର୍ଡ଼ ବାକ୍ସ ଭର୍ତ୍ତି ଖାଦ୍ୟ ଟିଣ ଥିଲା । ସେଗୁଡ଼ିକ ଦେଖାଇ ଅଫିସର କହିଲେ, ଏଗୁଡ଼ିକ ମେଜର ଆପଣଙ୍କୁ ଉପହାର ଦେଇଛନ୍ତି ।

 

ଗାଡ଼ିଟି ପାହାଡ଼ ଆଡ଼କୁ ଆଗେଇଗଲା । ଯେଉଁ ଗାଁରେ ମୁଁ ଜନ୍ମ ହୋଇଛି, ବଡ଼ ହୋଇଛି ସେଇ ଗାଁକୁ ଯାଉଛି ଭାବି ମନରେ ଖୁବ୍ ଆନନ୍ଦ ହେଲା ।

 

ବହୁ ସମୟ ପରେ ଆମ ଗାଁଟି ଦେଖି ଅଫିସରଙ୍କୁ ସେଠାରେ ଆମକୁ ଓହ୍ଲାଇ ଦେବାକୁ କହିଲି । ସେ ଗାଡ଼ି ଅଟକାଇଲେ ଏବଂ ଖାଦ୍ୟଗୁଡ଼ିକୁ ଓହ୍ଲାଇବାକୁ ସାହାଯ୍ୟ କଲେ ।

 

ତା’ପରେ ଗାଡ଼ିଟି ଆମକୁ ଛାଡ଼ି ଚାଲିଗଲା । ଗାଡ଼ିଟି ଯିବା ପରେ ସ୍ଥାନଟି ପରିତ୍ୟକ୍ତ ଓ ନିସ୍ତବ୍ଧ ଅନୁଭବ କଲୁ । କାହାକୁ ଦେଖିବାକୁ ପାଇଲୁ ନାହିଁ । ଗାଁ ମୁଣ୍ଡର ଦି’ଟା ଘରକୁ ଅନାଇ ଦେଖିଲୁ କବାଟ ଝରକା ସବୁ ବନ୍ଦ ଏବଂ ସଦର କବାଟ ଉପରେ ଦିଓଟି ପଟା ମରା ହୋଇଛି । ସେତେବେଳେ ମନେହେଲା ସତରେ ଆମେ ଫଣ୍ଡି ଛାଡ଼ି ଖୁବ୍ ଭୁଲ୍ କରିଛୁ । ସେଠାରେ ଅବଶ୍ୟ ବିମାନ ଆକ୍ରମଣର ଭୟ ଅଛି; କିନ୍ତୁ ଏକୁଟିଆ ରହିବାକୁ ପଡ଼ନ୍ତା ନାହିଁ । ମୁଁ ରୋସେଟାକୁ କହିଲି–ଏ ଗାଁରେ କେହି ନାହାନ୍ତି । କେଇ ମାଇଲ ଦୂରରେ ଭାଲେକୋରସା । ଚାଲ ସେଇଠିକୁ ଯିବା-। ଆମେ ଟ୍ରକ ପାଇ ପାରିବା ହୁଏତ ।

 

ଆମକୁ ଅତିକ୍ରମ କଲେ ଧାଡ଼ି ଧାଡ଼ି ମିତ୍ର ପକ୍ଷର ଗାଡ଼ି ଟ୍ରକ । ପଛରେ ଟ୍ରକଭରା ମରକୋ ସୈନ୍ୟ ଆସୁଥାନ୍ତି । ଏମାନେ ଯୁଦ୍ଧ ନ ଲାଗିଲେ ଇତାଲୀକୁ ଆସିନଥାନ୍ତେ । ଆମେ ଆଗେଇ ଗଲୁ ଗାଁ ଆଡ଼କୁ ।

 

ଗାଁ ମୁଣ୍ଡର ଝରଣା ପାଖରେ ଠିଆ ହେଲୁ । ପିଲାବେଳର ଅନେକ କଥା ମନେପଡ଼ିଗଲା । ସମସ୍ତେ ପାଣି ପାଇଁ ଏଠାକୁ ଆସୁଥିଲୁ । ପୂର୍ବ ଭଳି ଫାର୍ନ ଗଛର ବୁଦାତଳେ ଝରି ଝରି ଝରଣାଟି ବହିଯାଉଛି । ମୁଁ ଓ ରୋସେଟା ଏ ପୃଥିବୀ ତ୍ୟାଗ କଲେ ମଧ୍ୟ ଏହା ବୋହି ଚାଲିବ । ମୁଁ ମୁହଁ ତଳକୁ କରି ପାଣି ପିଇଲି । ମୋ ଆଖିରୁ ଦି’ ଟୋପା ଲୁହ ଝରି ପଡ଼ିଲା । ମୁହଁଟି ପୋଛି ଦେଇ ପୁଣି ବୋଝ ଧରି ଗାଁ ଆଡ଼କୁ ଚାଲିଲି ।

 

ଗାଁ’ଟିରେ କେହି ନାହାନ୍ତି । ବୋମା ବର୍ଷଣ ବା କୌଣସି ଧ୍ଵଂସକାର୍ଯ୍ୟ ହୋଇନାହିଁ । ଗାଁ ଦାଣ୍ଡରେ ଗଲାବେଳେ ମନେହେଲା ଯେପରି କବରଖାନା ଭିତର ଦେଇ ଯାଉଛୁ । ମୋ ବାପାଙ୍କ ଘର ଆଗରେ ଠିଆହେଲୁ । ଘରଟି ବନ୍ଦ । ଝରକା କବାଟ ବନ୍ଦ । ଡାକିବାକୁ ଇଚ୍ଛାକଲୁ ନାହିଁ । ଗାଁ’ ଚର୍ଚ୍ଚର କବାଟ ଖୋଲା ଦେଖି ବିଶ୍ରାମ ପାଇଁ ପଶିଗଲୁ ।

 

ଚର୍ଚ୍ଚଟିର କିଛି ଅଂଶ ଖରାପ ନ ହୋଇଥିଲେ ମଧ୍ୟ ସୈନ୍ୟମାନେ ଥିବାରୁ ଘୋଡ଼ାଶାଳ କରି ଦେଇଥାନ୍ତି । ଗୋଟାଏ ବେଞ୍ଚକୁ ଦେଖି ତା’ ଆଡ଼କୁ ମୁହଁ କରି ତା’ ଉପରେ ଆମର ବାକ୍ସ ଦୁଇଟିକୁ ରଖି ରୋସେଟାକୁ କହିଲି—ଦେଖୁଚୁ ତ ଯୁଦ୍ଧଟା କ’ଣ । ସେମାନେ ଚର୍ଚ୍ଚକୁ ମଧ୍ୟ ସମ୍ମାନ ଦିଅନ୍ତି ନାହିଁ ।

 

ପ୍ରାର୍ଥନା କରିବାକୁ ମନହେଲା ନାହିଁ । ମା’ ବାପାଙ୍କର ଆଶ୍ରୟକୁ ଆସିଲି, ଅଥଚ ଶୂନ୍ୟ ଗାଁ’— ଶୂନ୍ୟ ଘର । ମନଟା ଭଲ ଲାଗିଲା ନାହିଁ ।

 

ଠିକ୍ ସେତିକିବେଳେ କବାଟରେ ଶବ୍ଦ ହେଲା । ମୁଁ ଘୂରି ଦେଖିଲି । ବିଜୁଳି ଚମକାଇବା ଭଳି ଗୋଟାଏ ଧଳା ଜିନିଷ କବାଟ ଆଗରେ ପଡ଼ିଲା ଏବଂ ପରକ୍ଷଣରେ ଅଦୃଶ୍ୟ ହୋଇଗଲା । ମୁଁ ରୋସେଟାକୁ ପଳାଇ ଯିବାକୁ କହିଲି । ଆମେ କବାଟ ଆଡ଼କୁ ଆଗେଇ ଗଲୁ ।

 

କବାଟ ଖୋଲିବା ମାତ୍ରକେ ତୁର୍କୀ ସୈନିକ ଭଳି ଜଣକର ସାମ୍ନା ସାମ୍ନି ହେଲୁ । ସେ ମୋର ସ୍ତନ ଧରିପକାଇ ପଛକୁ ଠେଲି ଦେଲା । ମୁଁ ଦେଖିଲି ଯେ ତା’ ପଛରେ ଅନେକ ସୈନ୍ୟ ଆସୁଛନ୍ତି । କେତେ ବୋଲି ମୁଁ କହିପାରିବିନି । ସୈନିକଟି ମୋତେ ଟାଣିନେଇ ଭିତରକୁ ପଶିଗଲା-। ମୁଁ ଚିତ୍କାର କଲି—ତମେ କ’ଣ ଚାହଁ ? ଆମେ ବାସ୍ତୁତ୍ୟାଗୀ । ମୁଣ୍ଡର ବାକ୍ସଟି ଖସିପଡ଼ିଲା । ମୁଁ ତା’ଠାରୁ ଖସିବାକୁ ଚେଷ୍ଟା କଲି । ସେ ମୋର କମରଟି ଗୋଟାଏ ହାତରେ ଧରି ତା’ର କଳା ନିଷ୍ଠୁର ମୁହଁଟି ମୋ ମୁହଁ ଉପରେ ଚାପି ଧରିଲା । ରୋସେଟାର କରୁଣ ଆର୍ତ୍ତନାଦ ଶୁଣୁଥାଏ । ମୁଁ ନିଜକୁ ମୁକ୍ତ କରିବାକୁ ପ୍ରବଳ ଉଦ୍ୟମ କଲି; କିନ୍ତୁ ଲୋକଟା ମୋତେ ଅନ୍ଧକାର କୋଣ ଆଡ଼କୁ ଟାଣି ନେଲା । ମୁଁ ଆର୍ତ୍ତନାଦ କଲି । ଲୋକଟି ମୋର କେଶଗୁଡ଼ିକୁ ଏତେ ଜୋରରେ ଧରିଲା ଯେ, ଭାବିଲି ମୁଣ୍ଡଟି ଛିଣ୍ଡିଯିବ !! ସେ ମୋତେ ଠେଲି ଠେଲି ପଛକୁ ନେଇଗଲା-। ଦି’ଜଣଯାକ ତଳେ ପଡ଼ିଗଲୁ । ମୁଁ ମୋର ହାତଗୋଡ଼ ମୁକ୍ତ କରିବାକୁ ପ୍ରବଳ ଉଦ୍ୟମ କଲି । ସେ ଗୋଟିଏ ହାତରେ ମୋର କେଶ ଏବଂ ଅନ୍ୟ ହାତରେ ମୋର ତଳପୋଷାକଟି ପେଟ ଉପରକୁ ଉଠାଇ ହାତଟିରେ ମୋର ଜଙ୍ଘମଝିରେ ନିଷିଦ୍ଧାଞ୍ଚଳସ୍ଥ ବାଳଗୁଡ଼ିକ ଧରିପକାଇଲା । ମୁଁ ଭୀଷଣ ଯନ୍ତ୍ରଣାରେ ଚିତ୍କାର କରି ଉଠିଲି । ମୁଁ ବୁଝିପାରିଲି, ମୋର ଶକ୍ତି କମିଆସୁଛି । ମୋର ସେଇ ନିଷିଦ୍ଧାଞ୍ଚଳର ବାଳକେରାକ ଟାଣି ସେ ମୋତେ ଖୁବ୍ ଯନ୍ତ୍ରଣା ଦେବାକୁ ଲାଗିଲା । ହଠାତ୍ ମୋର ମନେପଡ଼ିଗଲା; ପୁରୁଷମାନଙ୍କର ଯେଉଁସ୍ଥାନଟି ଖୁବ୍ ଦୁର୍ବଳ । ମୁଁ ହାତଟି ମୋ ପେଟପାଖରୁ ତଳକୁ ନେଇଯାଏ । ତା’ ହାତରେ ମୋ ହାତ ଲାଗିବାରେ ସେ ମନେକଲା, ମୁଁ ହୁଏତ ତାକୁ ସମ୍ଭୋଗ ଆନନ୍ଦର ସୁଯୋଗ ଦେବି । ସେ ମୋର ମୁଣ୍ଡର ଏବଂ ଜଙ୍ଘରମଝିର ବାଳଗୁଡ଼ାକ ଛାଡ଼ିଦେଇ ବିକୃତ ହସ ହସିଲା । ମୋ ହାତଟିରେ ମୁଁ ତା’ର ଦିଓଟି ଅଣ୍ଡକୋଷକୁ ଖୁବ୍ ଜୋରରେ ଚିପି ପକାଇଲି । ସେ ଭୀଷଣ ଗର୍ଜନ କରି ମୋର ମୁଣ୍ଡର କେଶ ଧରି ଏତେ ଜୋରରେ ମାଟିରେ ବାଡ଼େଇ ଦେଲା ଯେ, ମୁଁ ଅଜ୍ଞାନ ହୋଇ ପଡ଼ିଲି ।

 

ମୁଁ ସେଠାରେ ଅନେକ ସମୟ ପଡ଼ିରହିଲି—ହଲଚଲ ହେବାକୁ ଯେପରି ଅସମର୍ଥ । ମୁଁ ଉଠିବାକୁ ଚେଷ୍ଟାକଲି; କିନ୍ତୁ ବେକପାଖରେ ଭୀଷଣ ଯନ୍ତ୍ରଣା ଅନୁଭବ କଲି । ମୁଁ ଜୋରକରି ଉଠି ଚାରିଆଡ଼କୁ ଅନାଇଲି । ପ୍ରଥମେ ଉଠି ଦେଖେ ଯେ ଚର୍ଚ୍ଚତଳେ ଆମର ଖାଦ୍ୟଟିଣଗୁଡ଼ିକ ପଡ଼ିଛି । ତା’ପରେ ରୋସେଟାକୁ ଦେଖେ । ସେ ଦେବୀପାଖରେ ପଡ଼ିଥାଏ ଚିତ୍‍ ହୋଇ । ଅଣ୍ଟାରୁ ପାଦପର୍ଯ୍ୟନ୍ତ ସେ ସମ୍ପୂର୍ଣ୍ଣ ଲଙ୍ଗଳା ହୋଇଥାଏ—ଗୋଡ଼ ଦି’ଟା ଫରକେଟେଇ ଥାଏ । ମାର୍ବଲ ପଥରପରି ଧଳାପେଟ—ଛେଳି ମୁଣ୍ଡର ବାଳପରି କରଡ଼ା ଧଳା ଜଙ୍ଘଭିତର ବାଳଗୁଡ଼ିକ ରକ୍ତରେ ଭିଜି ଯାଇଥାଏ । ମୋର ମନେହେଲା ସେ ମରିଯାଇଛି ଯଦିବା ମୁଁ ଜାଣିଥିଲି ଯେ ରକ୍ତଟି ତା’ର ସତୀତ୍ୱ ଛେଦର ରକ୍ତ ।

 

ମୁଁ ତା’ ପାଖକୁ ଆଗେଇ ଯାଇ ଧୀରେ ଧୀରେ ଡାକିଲି । ସେ ଉତ୍ତର ଦେଲା ନାହିଁ—ହଲଚଲ ହେଲା ନାହିଁ । ସେ ସତକୁ ସତ ମରିଯାଇଛି ବୋଲି ବିଶ୍ଵାସ କରି ନଇଁପଡ଼ି ମୁହଁ ଉପର ଲୁଗାଟି କାଢ଼ିଦେଲି । ସେ କିଛି କଥା ନ କହି—ହଲଚଲ ନ ହୋଇ ସ୍ଥିର ଦୃଷ୍ଟିରେ ମୋ ଆଡ଼କୁ ଅନାଇ ରହିଲା ।

 

ତା’ ପାଖରେ ବସି ତାକୁ ମୋ ବୁକୁରେ ଜାକିଧରି ନିଝୁମ ଭାବରେ କାନ୍ଦିବାକୁ ଲାଗିଲି । ଏ ଭିତରେ ରୁମାଲଟି ବାହାର କରି ରକ୍ତ ପୋଛିପକାଇଲି । ପେଟିକୋଟ ଓ ସ୍କାର୍ଟଟି ତଳକୁ କରି ତା’ର ସ୍ତନ ଦିଓଟି ବଡ଼ିସ୍ ଭିତରେ ପୂରାଇ ବୋତାମଗୁଡ଼ିକ ଲଗାଇଦେଲି । ତା’ପରେ ତା’ର ଅସଜଡ଼ା କେଶଗୁଡ଼ିକ ସଜାଡ଼ି ଦେଲି । ରୋସେଟା ସିମିତି ଶୋଇ ରହିଲା । ପଚାରିଲି—ତମେ ବର୍ତ୍ତମାନ କ’ଣ ଯାଇପାରିବ ? ସେ ଉତ୍ତର ଦେଲା—ହଁ । ମୁଁ ତାକୁ ଉଠିବାରେ ସାହାଯ୍ୟ କଲି । ସେ ବଡ଼ ଦୁର୍ବଳ ହୋଇପଡ଼ିଛି । ସେ ମୋ ସାହାଯ୍ୟରେ କବାଟ ପାଖକୁ ଆଗେଇଗଲା । ମୁଁ କହିଲି––ରୋସେଟା ଏ ଖାଇବାଟିଣଗୁଡ଼ିକ ବୋହିପାରବୁ ? ସେ ହଁ ଭରିଲା । ଆମେ ଚର୍ଚ୍ଚଟି ପରିତ୍ୟାଗ କଲୁ ।

 

ସୈନ୍ୟମାନଙ୍କର ପତ୍ତା ନାହିଁ । ସେମାନେ ଯାହା କରିବାର ତାହା କରି ଚାଲିଯାଇଛନ୍ତି । ଆମେ ମାଇଲିଏ ବାଟ ଧୀରେ ଧୀରେ ଆଗେଇଗଲୁ । ରୋସେଟା ପାଶବିକ ଅତ୍ୟାଚାରରେ ଯେପରି ମୁକ ହୋଇଯାଇଛି ।

 

ଗୋଟିଏ ଗାଡ଼ି ଆସିବାର ଦେଖିଲି । ଦି’ଜଣ ଫରାସୀ ଅଫିସର ସେଥିରେ ଥିଲେ । ମୁଁ ଗାଡ଼ିଟା ବନ୍ଦ କରିବାକୁ ହାତ ଉଠାଇ କହିଲି—ତମ ଲୋକ ସବୁ କ’ଣ କରିଛନ୍ତି ଜାଣିଛ ? ମାଡୋନା ଆଗରେ ସେମାନେ କ’ଣ କରିଛନ୍ତି ଜାଣିଛ ? ସେମାନେ ବୋକାଭଳି ଅନାଇଲେ । ମୁଁ କହିଲି, ମୋର ଏହି ପରୀଭଳି ଝିଅର ସର୍ବନାଶ କରିଛନ୍ତି । ଅଫିସରଟି କହିଲେ, ଶାନ୍ତି ଶାନ୍ତି ! ମୁଁ ପାଟିକଲି । ସେମାନେ ଭାବିଲେ ମୁଁ ପାଗଳୀ ।

 

ମୁଣ୍ଡର ବାକ୍ସଟି ପକାଇଦେଇ ରୋସେଟା ପାଖକୁ ଧାଇଁଗଲି । ମୁଁ ତା’ର ପରିଚ୍ଛଦଟି ପେଟ ପର୍ଯ୍ୟନ୍ତ ଉଠାଇ ଦେଖାଇଲି । ମୁଁ ଭାବିଥିଲି ଯେ ରକ୍ତ ସ୍ରୋତ ବନ୍ଦ ହୋଇଛି । କିନ୍ତୁ ତା’ ବଦଳରେ ପୁଣି ରକ୍ତ ବାହାରିବା ଆରମ୍ଭ ହୋଇଛି ଏବଂ ଆଣ୍ଠୁ ପର୍ଯ୍ୟନ୍ତ ରକ୍ତ ଗଡ଼ିଯାଇଛି । ମୁଁ ଚିତ୍କାର କଲି, ଦେଖ ଦେଖ ତମର କୀର୍ତ୍ତି—ଏଇନା ଶାନ୍ତି !! ଗାଡ଼ିଟା ଦ୍ରୁତ ଗତିରେ ରାସ୍ତା ବାଙ୍କରେ ଅଦୃଶ୍ୟ ହୋଇଗଲା ।

 

ରୋସେଟା ମର୍ମର ମୂର୍ତ୍ତି ପରି ସ୍ଥିର ଭାବରେ ଠିଆ ହୋଇ ରହିଛି । ମୋର ଭୟ କାଳେ ସେ ପାଗଳୀ ହୋଇଯାଇଛି । ଶୀଘ୍ର ତା’ର ପୋଷାକଟି ଓହ୍ଲାଇ ପଚାରିଲି—କଥା କହୁନୁ କାହିଁକି ? କ’ଣ ହୋଇଛି ? ସେ ବେଶ୍‍ ଶାନ୍ତ ସ୍ୱରରେ କହିଲା—ନା କିଛିନା ମା, ଏବେ ରକ୍ତଟା ବନ୍ଦ ହୋଇଯାଇଛି । ମୁଁ ପଚାରିଲି—କିଛିବାଟ ଯାଇପାରିବୁ ତ ? ସେ ହଁ ଭରିଲା । ବାକ୍ସଟି ପୁଣି ମୁଣ୍ଡରେ ରଖି ଆମେ ପ୍ରଧାନ ସଡ଼କ ଧରି ଆଗେଇ ଚାଲିଲୁ । ଆମେ ଆହୁରି ମାଇଲିଏ ଆଗେଇଗଲୁ । ମୁଣ୍ଡଟି ମୋର ଖୁବ୍ ଯନ୍ତ୍ରଣା ଦେଲା । ମୁଁ ଅଜ୍ଞାନ ହୋଇଉଠିଲି । ମୁଁ ରୋସେଟାକୁ କହିଲି—ନା ଆଉ ପାରିବି ନାହିଁ । ଚାଲ ସେ କୁଟୀରକୁ ଯିବା । ସେଠାରେ ବିଶ୍ରାମ ନେବା ।

 

ଆମେ ସେଇ କୁଟୀର ପାଖରେ ପହଞ୍ଚିଗଲୁ । ଗୋଟିଏ ମେଷ ପାଳକର କୁଟୀର । କବାଟଟି ତାଲା ବନ୍ଦ ଥାଏ । ମୁଁ କବାଟରେ ଆଘାତ କରିବାରେ ଭିତରେ ଥିବା ଛେଳି ମେଣ୍ଢାଗୁଡ଼ିକ ଚିତ୍କାର କରି ଉଠିଲେ । ଏଗୁଡ଼ିକୁ ବନ୍ଦକରି ଘରମାଲିକ ଚାଲି ଯାଇଛି । ଏଗୁଡ଼ିକୁ ଯେକୌଣସି ପ୍ରକାରେ ବାହାର କରିବାକୁ ପଡ଼ିବ । ମୁଁ କୁଡ଼ିଆର ନଡ଼ାଗୁଡ଼ିକ ଓଲାରି ପକାଇ ଫାଙ୍କ କରି ପକେଇଲି । ଛେଳିଗୁଡ଼ାଙ୍କୁ ବାହାର କରିବାକୁ ଚେଷ୍ଟା କଲି । ଏହିପରି ଚାରୋଟି ଛେଳି ବାହାର କଲୁ । କୁଡ଼ିଆ ଭିତରୁ ଏକ ଛେଳିର କ୍ଷୀଣକଣ୍ଠ ଶୁଭିଲା । ଗାତଟି ବଡ଼ କରି ମୁଁ ଭିତରକୁ ଡେଇଁ ପଡ଼ିଲି । ଗୋଟିଏ ବଡ଼ ଛେଳି ଶୋଇଥିବାର ଦେଖିଲି । ତିନୋଟି ଛାଗଳ ଶିଶୁ ଆଣ୍ଠୁ ମାଡ଼ି ତା’ ଥନରୁ କ୍ଷୀର ଟାଣୁଛନ୍ତି—ସେମାନଙ୍କର ମା’ କିନ୍ତୁ ମରି ଯାଇଛି ।

 

ମଲା ଛେଳିଟିକୁ କଷ୍ଟରେ ବାହାର କରି ବାହାରକୁ ଫିଙ୍ଗି ଦେଲି । ନଡ଼ାଗୁଡ଼ିକ ଗୋଟିଏ କଣରେ ରଖି ରୋସେଟାକୁ କହିଲି—ମୁଁ ଶୋଉଛି, ତମେ ଶୋଇବ । ସେ କହିଲା ଯେ, ସେ ବାହାର ସୂର୍ଯ୍ୟାଲୋକରେ ବସି ରହିବ । ମୁଁ ଶୋଇ ପଡ଼ିଲି ।

 

ପ୍ରାୟେ ଅଧଘଣ୍ଟାକ ପରେ ଉଠି ରୋସେଟାକୁ ଡାକିଲି । ତା’ପରେ କୁଟୀରରୁ ବାହାରି ତାକୁ ଖୋଜିଲି । ଶେଷରେ ରୋସେଟାକୁ ଝରଣା କୂଳରେ ଦେଖିଲି । ସେ ପାଣି ପିଇ ଚାରିଆଡ଼େ ଅନାଇ ସ୍କାର୍ଟଟି ଉଠାଇ ପାଣିରେ ବସି ନିଜକୁ ଭଲ ଭାବରେ ପରିଷ୍କାର କଲା । ରୋସେଟାକୁ ବେଶ୍‍ ସହଜ ଭାବରେ ଧୋଇବାର ଦେଖି ମୁଁ ପ୍ରଥମେ ଭୟ କଲି—ସେ ନିଜକୁ ହତ୍ୟା କରିଛି । ମୋର ମନେହେଲା ସେହି ବର୍ବର ପାଷାଣ୍ଡଗୁଡ଼ିକ ଚର୍ଚ୍ଚରେ ଯେ ତା’ର କୁମାରୀତ୍ଵ ହରଣ କରିବାର ଭାଗ୍ୟଲିପି ଲେଖା ହୋଇଥିଲା ତାକୁ ସେ ମାନି ନେଇଛି । ମୁହୂର୍ତ୍ତକ ମଧ୍ୟରେ ହତଭାଗୀ ରୋସେଟା ଦେହ ଓ ମନରେ ସ୍ତ୍ରୀଲୋକ ପାଲଟି ଯାଇଛି—କଳ୍ପନା ଓ ଆଶା ବିମୁକ୍ତି ଅବିଦ୍ଧି, କଠିନ ଓ ଋତୁ ସ୍ତ୍ରୀଲୋକରେ ପରିଣତ ହୋଇ ଉଠିଛି ।

 

ପଥର ଉପରେ ବସି ଅନେକ ସମୟ ଲକ୍ଷ୍ୟ କଲି । ସେ ଧୀରେ ଧୀରେ ଉଠି ଆସିଲା-। ଆମେ ଟିଣଗୁଡ଼ିକ କାଟି ଖାଦ୍ୟ ବାହାର କରି ଖାଇବାକୁ ବସିଲୁ । ମୁଁ ଭାବିଥିଲି ରୋସେଟା ହୁଏତ ଖାଇବ ନାହିଁ । କିନ୍ତୁ ତା’ର ଖାଇବା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଉଠିଲି ।

 

ଆମେ ସେଠାରେ ଚାରିଦିନ କଟାଇଲୁ । ଛେଳିମାନ ସଞ୍ଜରେ ଫେରି ଆସୁଥିଲେ । ଆମ ସାଙ୍ଗରେ ବେଶ୍‍ ଆରାମରେ ଶୋଉଥିଲେ । ଏହି ଚାରୋଟି ଦିନରେ ରୋସେଟା ଚରିତ୍ରର ପରିବର୍ତ୍ତନଟି ବୁଝିପାରିଥିଲି । ଏତେ ଦିନ ଧରି ତା’ ଭିତରେ କରୁଣା, ସହୃଦୟତା, ସତ୍ୟତା ଓ ନମ୍ରତା ଦେଖି ଆସିଛି; କିନ୍ତୁ ଆଜି ତା’ର ପରିବର୍ତ୍ତନ ଘଟିଛି—ଅନଭିପ୍ରେତ ପାଶବିକ ଅତ୍ୟାଚାର ତା’ର ସବୁ ସୁଗୁଣ ଭିତରେ ଦେଇ ଯାଇଛି ଏକ ନିଷ୍ଠୁରତା ।

 

ଦଶ

 

ଏହା ଭିତରେ ଇଂରେଜ ମେଜରଟି ଯେତେକ ଖାଦ୍ୟ ଦେଇଥିଲେ, ସେଗୁଡ଼ିକ କ୍ରମେ ଶେଷ ହୋଇ ଆସିଲା । ଛୋଟ ପାହାଡ଼ଟି ଛାଡ଼ି ଶୀଘ୍ର ଚାଲିଯିବାକୁ ପଡ଼ିବ । ମୁଁ ରୋସେଟାକୁ କହିଲି—ଫଣ୍ଡିକୁ ଯିବା । ସେଠାରୁ ରୋମକୁ ପଳାଇବା । ଏହି ମରକୋ ସୈନ୍ୟ ଅପେକ୍ଷା ବିମାନ ଆକ୍ରମଣ ବରଂ ଭଲ । ରୋସେଟା କିନ୍ତୁ କହିଲା—ନା ମରକୋନ୍‍ମାନେ ଭଲ । ସେମାନେ ଯାହା କରିଛନ୍ତି ତାହା ଅପେକ୍ଷା ଆଉ ଖରାପ କିଛି କରିପାରିବେ ନାହିଁ । ମୁଁ ମରିବାକୁ ଚାହେଁନା ।

 

ଆମ ଫଣ୍ଡିକୁ ଯିବାକୁ ରାସ୍ତାରେ ଅପେକ୍ଷା କଲୁ । ସାମରିକ ଟ୍ରକରେ ଅସାମରିକ ଲୋକ ନିଆଯାଏନା । ହଠାତ୍ ଗୋଟିଏ ଖୋଲା ଟ୍ରକ ଦେଖି ହାତ ଉଠାଇଲି । ଏଇଟି ଠିଆ ହେଲା-। ଟ୍ରକଟିର ଚାଳକ ଲାଲ କେଶ, ନୀଳ ଆଖିର ଯୁବକ । ମୁଁ କହିଲି—ଆମେ ବାସ୍ତୁତ୍ୟାଗୀ, ଆମେ ଫଣ୍ଡିକୁ ଯିବାକୁ ଚାହୁଁ । ସେ କହିଲା—ମୁଁ ଫଣ୍ଡିଆଡ଼କୁ ଯାଉଛି । ରୋସେଟାର ମୁଖ ଆଡ଼କୁ ସେ ଅନାଇ ନଥିଲା । ତା’ର ପାତଳ ପୋଷାକ ଭିତରେ ସ୍ପଷ୍ଟ ଦେଖାଯାଉଥିବା ସ୍ତନଗୁଡ଼ିକୁ ସେ ଚାହିଁଦେଲା । କହିଲା—ତମେ ଯେ ଏତେ ସୁନ୍ଦରୀ ! ସେ ଟ୍ରକରୁ ଓହ୍ଲାଇ ପଡ଼ି ରୋସେଟାକୁ ନିଜର ସିଟ୍ ପାଖରେ ବସାଇଲା ଏବଂ ମୋତେ ରୋସେଟା ପାଖରେ ବସାଇ ଗାଡ଼ି ଷ୍ଟାର୍ଟ କଲା-

 

ତା’ପରେ କଥାବାର୍ତ୍ତା ଆରମ୍ଭ କଲା । ସେ ତା’ କଥା ବକିଗଲା । ସେ କହିଲା, ଜଣେ ଜର୍ମାନ କାପ୍ତାନ ତାକୁ ମେସ୍ କାମରେ ରଖିଦେଇଥିଲା । ସବୁପ୍ରକାର ଖାଦ୍ୟ ତା’ ପାଖରେ ଥିବାରୁ ଏବଂ ଖାଦ୍ୟର ଅଭାବ ହେତୁ ସେ ଝିଅମାନଙ୍କ ପାଖରୁ ଯାହା ଆଶା କରୁଥିଲା ପାଇ ପାରୁଥିଲା । ସୁନ୍ଦରୀ ଝିଅମାନେ ଆସି ଖାଦ୍ୟ ମାଗୁଥିଲେ । ସେ ସେଠାରେ ଗୋଟାଏ ସର୍ତ୍ତରେ ସେମାନଙ୍କୁ ଖାଦ୍ୟ ଦେଉଥିଲା ଏବଂ ସମସ୍ତେ ଏ ସର୍ତ୍ତ ପାଳନ କରୁଥିଲେ । କ୍ଷୁଧା ଏକ ଅଦ୍ଭୁତ ଜିନିଷ । ଗର୍ବିତ ନାରୀକୁ ମଧ୍ୟ ଯୁକ୍ତିସଂଗତ କରିପକାଏ ।

 

ସେ କହିଲା, କେଇଜଣ ମିଶି ଏଇ ଟ୍ରକଟି କିଣିଛନ୍ତି । ସେମାନଙ୍କର କାମହେଲା, ବାସ୍ତୁତ୍ୟାଗୀମାନଙ୍କୁ ବୋହିବା; ଅବଶ୍ୟ ଏଥିରେ ଟଙ୍କା ପ୍ରଚୁର ଆଦାୟ ହୁଏ । ସେ ରୋସେଟା ଆଡ଼କୁ ଆଡ଼ ଆଖିରେ ଅନାଇ କହିଲା—ଅବଶ୍ୟ ତମ ଦି’ଜଣଙ୍କଠାରୁ ମୁଁ କିଛି ନେବି ନାହିଁ । ସେ କହିଲା, ତା’ର ନାମ କ୍ଲୋରିନଡ଼ୋ । ରୋସେଟାର ନାମ ପଚାରିଲା । ତା’ପରେ କହିଲା—ଖାଦ୍ୟର ଅଭାବ ନାହିଁ । ଗୋଟାଏ ବନ୍ଦୋବସ୍ତ କରିନେବା । ଆଚ୍ଛା ତମର ନାଇଲନ ମୋଜା ପସନ୍ଦ ହୁଏ ? ଗରମ ପୋଷାକ ? ଜୋତା ? ଆମେ କିଛିଟା ଅବଶ୍ୟ ବନ୍ଦୋବସ୍ତ କରିନେବା । ରୋସେଟା କହିଲା—କାହାର ଇଚ୍ଛା ହୁଏନା । ମୁଁ ଆତଙ୍କ ଗ୍ରସ୍ତ ହୋଇ କହିଲି—ତମେ କି କଥାସବୁ କହୁଚ ? ସେ ମୋ ଆଡ଼କୁ ଅନାଇ କହିଲା—ଖରାପ ଭାବୁଛ କାହିଁକି ?

 

ସେ ଜୋରରେ ଟ୍ରକଟି ଚଳାଇଲା, ଗୋଟାଏ ଗୀତର ସୁର ଧରିଲା । ମୁଁ ହଠାତ୍ ଦେଖିଲି, ସେ ଗୋଟିଏ ହାତରେ ଷ୍ଟିଅରିଂ ଧରିଛି ଓ ଅନ୍ୟ ହାତରେ ରୋସେଟାର ହାତଟି ଧରିଛି । ଆମେ ସେହି ପୁରୁଣା କମଳାଲେମ୍ବୁ ବଗିଚାରେ ପହୁଞ୍ଚିଲୁ । ଏ ଅଞ୍ଚଳଟି ଏବେ ନିର୍ଜନ ହୋଇ ପଡ଼ିଛି । ଆମେ ତା’ପରେ ଫଣ୍ଡିରେ ପହଞ୍ଚିଗଲୁ । ସ୍ଥାନଟି ନିର୍ଜନ—କ୍ଷୁଧାତୁର ହୋଇ ଅନେକ ବୁଲୁଥିବାର ଦେଖିଲୁ ।

 

ମୁଁ ତାକୁ ପଚାରିଲି—ଆମେ ତା’ହେଲେ ଏବେ କ’ଣ କରିବା ? ଏଠାରେ ଯେ କିଛି ନାହିଁ । ଆମ ପାଖରେ ବି କିଛି ନାହିଁ । ଆମକୁ ରୋମକୁ ଫେରିଯିବାକୁ ପଡ଼ିବ ।

 

ସେ କହିଲା, ମୁଁ ତମର ଭାର ନେବି ।

 

ଟ୍ରକଟି କମଳାଲେମ୍ବୁ ବଗିଚା ଭିତରକୁ ନେଇ ଗୋଟିଏ ଛୋଟ ରାସ୍ତାରେ ଆଗେଇ ଗଲା । କ୍ଲୋରିନଡ଼ୋ ବେଶ୍‍ ହାଲୁକା ଭାବରେ କହିଲା—ମୋ ଚିହ୍ନା ଗୋଟିଏ ପରିବାର ଏଠାରେ ଅଛନ୍ତି । ରୋମ ମୁକ୍ତ ହେବା ପର୍ଯ୍ୟନ୍ତ ଏଠାରେ ରହନ୍ତୁ । ଶୀଘ୍ର ରୋମରେ ଆପଣଙ୍କୁ ପହୁଞ୍ଚାଇ ଦେବି ।

 

ସ୍ଥାନଟି ଆମ ପକ୍ଷରେ ନୂଆ ନୁହେଁ । ସେ ଗାଡ଼ିଟି ଠିଆକରିବା ପରେ କିଛିବାଟ ଚାଲିଗଲା ଉତ୍ତାରୁ କନସେଟାର ଘରଟି ଦେଖିଲୁ । ମୁଁ କହିଲି—ନା, ନା, ଏଠାରେ ରହିବା ଅସମ୍ଭବ-

 

—କାହିଁକି ?

 

—କନସେଟା ବଡ଼ କଦର୍ଯ୍ୟ ପ୍ରକୃତିର ସ୍ତ୍ରୀଲୋକ ।

 

—ସେସବୁ ପୁରୁଣା କଥା । ଫାସିଷ୍ଟମାନେ ଆଉ ଏବେ ନାହାନ୍ତି । କନସେଟାର ପୁଅମାନେ ମୋ ବ୍ୟବସାୟର ଅଂଶୀଦାର । ସେମାନେ ସମ୍ମାନଜନକ ବ୍ୟବହାର କରିବେ ।

 

କନସେଟା ଦଉଡ଼ି ଆସିଲା ଓ କହିଲା, ତମମାନଙ୍କୁ ଦେଖି ଖୁବ୍ ଖୁସି ହେଲି । ସ୍ଵାସ୍ଥ୍ୟ ଥିଲେ ମନୁଷ୍ୟର ସବୁ କିଛି ଥାଏ । ଭିନସେଜୋ ଓ ମୋର ପୁଅମାନେ ତମକୁ ଦେଖିଲେ ଖୁବ୍ ଖୁସି ହେବେ । ତା’ଛଡ଼ା କ୍ଲୋରିନଡ଼ୋ ଆମର ପରିବାରଭୁକ୍ତ ।

କିଛିକଥା ନ କହି ସେହି ଘୃଣ୍ୟା ସ୍ତ୍ରୀଲୋକଟିକୁ ମୋତେ ଆଲିଙ୍ଗନ ଓ ଚୁମ୍ବନ କରିବାକୁ ଦେଲି । ରୋସେଟା ମଧ୍ୟ ମୂର୍ତ୍ତିଭଳି ସେଭଳି କରିବାକୁ ଦେଲା ।

ମୁଁ ଭିନସେନଜୋକୁ ମାଇକେଲ କଥା ପଚାରିଲି । କନସେଟା କହିଉଠିଲା—କ’ଣ ତମେ ସେ ଖବର ଶୁଣିନ ? ଜର୍ମାନମାନେ ତାକୁ ମାରିଦେଇଛନ୍ତି । ମୁଁ ଭାବିଲି ଅଜ୍ଞାନ ହୋଇପଡ଼ିଛି । କବାଟପାଖ ଚେଆରରେ ବସିପଡ଼ି ଦି’ ହାତରେ ମୁହଁଟି ଢାଙ୍କିପକାଇ କାନ୍ଦିଲି । ମାଇକେଲକୁ ମୁଁ ପ୍ରାଣଦେଇ ଭଲପାଏ । ରୋସେଟା ଆଡ଼କୁ ଅନାଇଲି—ଆବେଗହୀନ, ନିର୍ଲିପ୍ତ ମୁହଁଟି ।

ତା’ପରେ ଆମେ ଗୋଟାଏ ଘରକୁ ଗଲୁ—ତିନୋଟି ଖଟରେ ଗଦି ଏବଂ କମ୍ବଳ ପଡ଼ିଛି-। କ୍ଲୋରିନଡ଼ୋ କନସେଟାକୁ କହିଲା—ଦେଖ ଏହି ଦୁଇଜଣ ମହିଳାଙ୍କଠାରୁ କିଛି ଆଦାୟ କରିବ ନାହିଁ । ଏମାନଙ୍କ ଖାଇବା ପିଇବା ବନ୍ଦୋବସ୍ତ କର । ରହିବେ ଏମାନେ । ପରେ ହିସାବ ହେବ-

ସେମାନେ ଚାଲିଗଲେ । ମୁଁ ରୋସେଟାକୁ ଚିତ୍କାର କରି କହିଲି—ତୋର କ’ଣ ହୋଇଛି-? ମାଇକେଲର ମୃତ୍ୟୁରେ ତୋର ଦୁଃଖ ହୋଇନି ? କହ ଦୁଃଖ ହୋଇନି ? ସେଇ ଅନ୍ଧକାରରେ ତା’ର ମୁଖଟା ଦେଖିପାରିଲି ନାହିଁ । ପଚାରିଲି—ହତଭାଗ୍ୟ ମାଇକେଲ ପାଇଁ ଟୋପାଏ ଲୁହ ଗଡ଼ାଇଲୁ ନାହିଁ ? ଅଥଚ ଆମକୁ ରକ୍ଷା କରିବାକୁ ଯାଇ ସେ ତା’ର ଜୀବନ ଦେଲା-?

ସେ ଉଠିଯାଇ ବିଛଣାରେ ଶୋଇପଡ଼ିଲା । ମୁଁ ମଧ୍ୟ ଶୋଇପଡ଼ିଲି ନିଦରେ ।

ନିଦ ଭାଙ୍ଗିଲା । ବେଶ୍ ରାତି ହୋଇଛି । ରୋସେଟା କିନ୍ତୁ ତା’ ଶେଯରେ ନାହିଁ । ବାହାର ପାଖରେ କନସେଟାର ଶବ୍ଦ ଶୁଣିଲି । ତା’ ପାଖକୁ ଗଲି । ନା, ଏଠାରେ ବି ରୋସେଟା ନାହିଁ । ପଚାରିଲି । ସେ କହିଲା—ମୁଁ ଭାବିଲି ତମେ ଜାଣିଛ । ସେ କ୍ଲୋରିନଡ଼ୋ ସାଙ୍ଗରେ ବାହାରି ଯାଇଛି, କାଲି ସଞ୍ଜ ଆଡ଼କୁ ବୋଧହୁଏ ଆସିବ ।

ପଚାରିଲି—ରୋସେଟା କ’ଣ କହିଯାଇଛି ?

—ତମକୁ କହିବାକୁ କହିଯାଇଛି । ସେ ତମର ନିଦ ଭାଙ୍ଗିନି ! ତା’ ତମେତ ଜାଣିଛ, ଯୌବନ ବ୍ୟାପାରଟି ଅଲଗା । କ୍ଲୋରିନଡ଼ୋକୁ ସେ ପସନ୍ଦ କରେ । ସେଥିପାଇଁ ତା’ ସଙ୍ଗରେ ଏକୁଟିଆ ଚାଲିଯାଇଛି । କ୍ଲୋରିନଡ଼ୋ ବେଶ୍‍ ସୁନ୍ଦର, ରୋସେଟା ସାଙ୍ଗରେ ବେଶ୍‍ ମାନିବ । ଯୁଦ୍ଧଟା କେବଳ ଯୁଦ୍ଧ—ଯୁବକମାନେ ଯୁବକ । ମରୋକାନମାନେ ତ ପୁଣି ଯୁବକ । କ୍ଲୋରିନଡ଼ୋ କଳାବଜାର କାରବାର କରେ; ତେଣୁ ତା’ ନିକଟରେ ସବୁପ୍ରକାରର ଖାଦ୍ୟ, ପୋଷାକ ଓ ଜୋତା ରହିଛି—କିଛି ଭାବନା ।

ମୁଁ ଭାବିପାରିଲି ନାହିଁ, ରୋସେଟାର ଏ ପରିବର୍ତ୍ତନ ଆସିଲା କିପରି ? ଗୋଟାଏ ବେଶ୍ୟାପରି ତା’ ଉପରେ ଯେଉଁ ପୁରୁଷ ହାତଦେଲା ତା’ ସାଙ୍ଗରେ ବାହାରିଗଲା । ସେ ମୋତେ କହି ବି ଗଲା ନାହିଁ । ମୁଁ ବିଛଣାରେ ଶୋଇ ପଡ଼ିଲି ଏବଂ ଭୀଷଣ କ୍ରୋଧରେ ଶରୀରଟି ଶକ୍ତ ହୋଇଉଠିଲା ।

ତା’ ଆରଦିନ ବିତିଲା । ମୁଁ ଖାଇସାରି ଶୋଇଛି । ରୋସେଟା ପାଦ ଟିପି ଟିପି ପଶି ଆସିଲା । ଟେବୁଲ ଉପରେ ଗୋଟାଏ ବତି ଜଳାଇଲା । ବତିର ଆଲୋକରେ ଦେଖିଲି ଯେ, ସେ ଗୋଟାଏ ନୂଆ ପୋଷାକ ପିନ୍ଧିଛି । ପାଦରେ ମୋଜା ଓ ଚକ୍ ଚକ୍ ଜୋତା । ସେ ଜାକେଟ ଓ ସ୍କାର୍ଟଟି ଖୋଲିଲା । ଦିହରେ କଳାରଙ୍ଗର ଫାଙ୍କ ଫାଙ୍କ ଅର୍ନ୍ତବାସ । ତା’ପରେ ହାତ ଉପରେ ଅର୍ନ୍ତବାସଟି ଖୋଲି ପକାଏ—ଦେଖେ ଯେ, ପିନ୍ଧିଛି କଳାରଙ୍ଗର ଗର୍ଟର ବେଲ୍‍ଟରୁ—ଅଜ୍ଞ ଝିଅଟି ଏବେ ଅଭିଜ୍ଞ । ପେଟଟି ଖୁବ୍ ବେଶୀ ଝୁଲିପଡ଼ିଛି । ଏ ଦେହ ମୋ ଝିଅ ରୋସେଟାର ନୁହଁ—କ୍ଲୋରିନଡ଼ୋ ସହିତ ଯେଉଁ ରୋସେଟା ସମ୍ଭୋଗ କରିଛି ଏହା ତାରି ଦେହ । ତା’ ମୁହଁ ଆଡ଼କୁ ଅନାଇଲି । ଦେଖିଲି ଲୋଭୀ, ଆତ୍ମସୁଖୀ ଓ କ୍ଳାନ୍ତ । ଅସଦାଚାରୀ, ରୋସେଟା ଅନେକ ସମୟ ରାସ୍ତା ଏବଂ ଖରାପ ହୋଟେଲରେ କଟାଇ ଅନେକ ରାତିରେ ଘରକୁ ଫେରି ଲାଭ ହିସାବ କରୁଛି ।

 

ମୁଁ ଚିତ୍କାର କରି ଉଠିଲି—ରୋସେଟା, ତିନିଦିନ ଧରି ରହିଥିଲୁ କେଉଁଠି ? ମୋତେ ଜଣାଇ ଗଲୁନି କାହିଁକି ?

 

ସେ ମୋ ଆଡ଼କୁ ଅନାଇ କହିଲା—କ୍ଲୋରିନଡ଼ୋ ସାଙ୍ଗରେ ଯାଇଥିଲି ।

 

ମୁଁ ଉଠିପଡ଼ି ତା’ର କାନ୍ଧ ଦିଓଟି ହଲାଇ ଚିତ୍କାର କଲି–ଗୋଟାଏ ବାଜେ ଝିଅ ପରି କ୍ଲୋରିନଡ଼ୋ ସହିତ ଯିବାର ପ୍ରୟୋଜନ କଅଣ ? ତା’ ସହିତ ତୋର ସମ୍ପର୍କ କଅଣ ? ତା’ ସମ୍ବନ୍ଧରେ କ’ଣ କିଛି ଜାଣିଛୁ ?

 

ସେ କିଛି କହିଲା ନାହିଁ । ମୁଁ ତା’ ଉପରେ ଝାମ୍ପିପଡ଼ି ମାଡ଼ ଲଗାଇଲି । ସେ କିନ୍ତୁ ନିରୁତ୍ତର । କିଛି ସମୟ ଚୁପ୍‍ରହି ପୁଣି ଉଠି ମୋଜା ଖୋଲି ମୋତେ କହିଲା—ତମେ ଖାଇନ କାହିଁକି ମା’ ?

 

ମୁଁ ମୁହଁ ଫେରାଇ ଶୋଇଲି । ଭାବିଲି ତାକୁ ସବୁକଥା ବୁଝାଇବି । ତାକୁ ଉପଦେଶ ଦେବି । ଭାବିଲି ତାକୁ ବୁକୁରେ ଲଗାଇବି—ନା ପାରିଲି ନାହିଁ ।

 

ଅନ୍ୟ ଦିନଗୁଡ଼ିକ ଇମିତି ଚାଲିଲା । କ୍ଲୋରିନଡ଼ୋ ସାଙ୍ଗରେ ଅବାଧ ମିଳାମିଶା । କ୍ଲୋରିନଡ଼ୋ ତା’ ଦେହକୁ ଆଲିଙ୍ଗନ କରେ, ଚୁମ୍ବନ କରେ, ଏପରିକି ଆସ୍ତେ ଆସ୍ତେ ମୁହଁରେ ଥାପୁଡ଼ାଏ । ରୋସେଟା କିଛି କହେନା । ସେ ଯେପରି କୃତଜ୍ଞ । ସେ ଘରେ ବେଶୀ ସମୟ ରହୁନଥିଲା ।

 

କ୍ଲୋରିନଡ଼ୋ ତାକୁ ଟ୍ରକରେ ଚଢ଼ାଇ ବୁଲାଏ । ସେମାନେ ଖୁବ୍ ଘନିଷ୍ଟ ଭାବରେ ବୁଲିବାକୁ ଲାଗିଲେ । କ୍ଲୋରିନଡ଼ୋ ଆମକୁ ବୁଝାଇ ଦିଏ ଯେ, ମିତ୍ରପକ୍ଷମାନେ ରୋମ ଅଧିକାର କରିବା ପରେ ମଧ୍ୟ ରୋମକୁ ଯିବା ସମ୍ଭବ ନୁହେଁ ।

 

ବଡ଼ ଅସ୍ଵସ୍ତିରେ ଦିନଟା କଟିବାକୁ ଲାଗିଲା । ମୁଁ ନିଜ ଆଖିରେ ଦେଖିଲି, ରୋସେଟା କ୍ଲୋରିନଡ଼ୋର ଅଙ୍କଶାୟିନୀ ହୋଇଛି । ସେ ମୋ ପାଖରେ ରାତିରେ ଶୁଏ ଏବଂ କ୍ଲୋରିନଡ଼ୋର ସଂକେତ ପାଇଲେ ବାହାରିଯାଏ । ଦିନେ ରାତିରେ ମୋର ନିଦ ଭାଙ୍ଗି ଯାଇଛି । ମୁଁ ରୋସେଟା ବିଛଣାରୁ ଶବ୍ଦ ପାଇଲି । ମୋ ଶବ୍ଦରେ ଦି’ଜଣ ବିଛଣାରେ ଘାଲେଇ ପଡ଼ିଥାନ୍ତି । ମୁଁ ଶୋଇ ପଡ଼ିଲି-। କ୍ଲୋରିନଡ଼ୋ ଭୋରରେ ଘର ଛାଡ଼ି ପଳାଏ । ମୁଁ ଜାଣି ଜାଣି ଆଲୋକ ଜାଳେ ନାହିଁ । କାରଣ ମୁଁ ଦି’ଜଣଙ୍କୁ ଗୋଟିଏ ଶଯ୍ୟାରେ ଶୋଇବା ଦେଖି ପାରିବି ନାହିଁ—ସେମାନଙ୍କର ପ୍ରେମଥିଲା ସମ୍ପୂର୍ଣ୍ଣ ଦେହର, ଯାହା କେବେ ତୃପ୍ତି ହୁଏନା ।

 

ମୁଁ ରୋସେଟାକୁ କହିଲି—ତୁମେ କ୍ଲୋରିନଡ଼ୋ ସାଙ୍ଗରେ ବାହା ହୋଇ ଯାଉନ କାହିଁକି-?

—କ୍ଲୋରିନଡ଼ୋ ବିବାହିତ । ତା’ର ସ୍ତ୍ରୀ ଓ ଦିଓଟି ପିଲା ଫ୍ରୋସିନନ୍‍ ଘରେ ଥାନ୍ତି ।

—ମୁଁ କ୍ଲୋରିନଡ଼ୋ ସାଙ୍ଗରେ ଦେଖା କରିବାକୁ ଚାହିଁଲି ।

—ତୁମେ ଆଉ ତାକୁ ଦେଖିପାରିବ ନାହିଁ । ସେ ଫ୍ରୋସିନନ୍‍କୁ ଫେରିଯାଇଛି ।

—ଆମକୁ ରୋମ ନେଇଯିବ କିଏ ?

—କନସେଟରଙ୍କ ପୁଅ । ସେ ତ ଏବେ ଟ୍ରକର ମାଲିକ । ଏ ଖବରରେ ମୁଁ ଖୁସି ହୁଏନା । କାରଣ କ୍ଲୋରିନଡ଼ୋ ଅପେକ୍ଷା କନସେଟାର ପିଲାଗୁଡ଼ାକ ଭଲ ନଥିଲେ । ତେଣୁ ରୋମକୁ ଯିବାକୁ ମୋର ମୋଟେ ଇଚ୍ଛା ନଥିଲା । ମୁଁ କଠିନ ମନ୍ତବ୍ୟ କଲି । ସେ କହିଲା—ମା ମୋର ପରିବର୍ତ୍ତନ ହୋଇଛି; କିନ୍ତୁ ତମ ନିକଟରେ ସେଇଭଳି ଅଛି । ମୁଁ ନୀରବ ରହିଲି ।

ତା’ ଆରଦିନ ଟ୍ରକଟି ନେଇ ଫେରି ଆସିଲା କନସେଟାର ପୁଅ ରୋଜାରିଓ । ଏଇଟିକୁ ମୁଁ ବେଶୀ ଘୃଣା କରୁଥିଲି; କାରଣ ଏଇଟି ସତ୍ ଓ ବୁଦ୍ଧିମାନ ନଥିଲା । ଖାଇବା ଟେବୁଲରେ ବସି ସେ ରୋସେଟାକୁ କହିଲା, କ୍ଲୋରିନେଡ଼ୋ ତମକୁ ଶୁଭେଚ୍ଛା ଜଣାଇଛି ଏବଂ ରୋମରେ ତମ ସାଙ୍ଗରେ ଦେଖାହେବ ବୋଲି କହିଛି ।

ରୋସେଟା ତାକୁ ରୁକ୍ଷ କଣ୍ଠରେ କହିଲା—ତାକୁ ରୋମକୁ ଯାଇ ମୋତେ ଦେଖା କରିବାକୁ ମନାକର । ମୁଁ ତାକୁ ଦେଖା କରିବାକୁ ଚାହେଁନା ।

ରୋଜାରିଓ କହିଲା, ତାକୁ ଆଉ ପସନ୍ଦ କରୁନ କାହିଁକି ?

ରୋସେଟା କହିଲା, କ୍ଲୋରିନଡ଼ୋ ମୋ ସହିତ ଯେପରି ବ୍ୟବହାର କରିଛି, ତାହା ତା’ ପକ୍ଷରେ ଉଚିତ ହୋଇ ନାହିଁ । ସେ ଯେ ବିବାହିତ ମୋତେ କହିନଥିଲା—ସେ ଲୁଚାଇଥିଲା ।

ମୁଁ ଏହା ଶୁଣି ଆଶ୍ଚର୍ଯ୍ୟ ହେଲି; ମାତ୍ର ଶେଷ ପର୍ଯ୍ୟନ୍ତ ରୋସେଟା ତାହା ଜାଣିପାରିନଥିଲା । ସେ କଥାଗୁଡ଼ିକ ଏତେ ସାଧାରଣ ଭାବରେ କହୁଥିଲା, ଯେପରି ଏହା ଏକ ଅଦରକାରୀ ସ୍ଵାଭାବିକ ଘଟଣା । ଯେପରି ଗୋଟିଏ ବାରାଙ୍ଗନା ଭଲ ଭାବରେ ଜାଣେ ଯେ, ସେ ଯାହାକୁ ଭଲ ପାଇବ, ତା’ ନିକଟରୁ କେବେହେଲେ କୌଣସି ସମ୍ମାନ ପାଇ ପାରିବ ନାହିଁ । ରୋଜାରିଓ ବା କହନ୍ତା କାହିଁକି, ସେ ତ ବାହା ହେବାର ପ୍ରଶ୍ନ ରଖିନି ।

ଯୁଦ୍ଧ ସଙ୍ଗେ ସଙ୍ଗେ ସବୁର ପରିବର୍ତ୍ତନ ଘଟିଛି । ଯୁବକମାନେ ଝିଅମାନଙ୍କୁ ନିଜର ପ୍ରେମ ଜଣାନ୍ତି; କିନ୍ତୁ ଜଣାନ୍ତି ନାହିଁ ଯେ ସେମାନେ ବିବାହିତ । ଝିଅମାନେ ମଧ୍ୟ ପୁଅଙ୍କ ଶେଯରେ ଶୋଇ ରହନ୍ତି ବିବାହର କଥାବାର୍ତ୍ତା ନକରି । ସତରେ ଯୁଦ୍ଧ ସବୁ କିଛିର ପରିବର୍ତ୍ତନ ଆଣିଛି । ମୁଁ ଦେଖୁଛି ମୋ ଆଖି ଆଗରେ ମୋ ଝିଅକୁ । ସେ ମଧ୍ୟ ପରିବର୍ତ୍ତିତ ହୋଇଛି ଏକ କରୁଣାବିହୀନ ବେଶ୍ୟାରେ ।

ମୁଁ କହିଉଠିଲି—ନା, ନା; ଧନ ନୈତିକତା ଏବଂ ସତ୍ୟତାର ମୂଲ୍ୟ ରହିଛି । ଆଦର୍ଶ ଜୀବନର ଏକ ଧାରା ଅଛି ।

ରୋଜାରିଓ ହସି ଉଠି କହିଲା—ତମେ ହେଉଛ ଯୁଦ୍ଧ ପୂର୍ବରୁ ମଣିଷ; ଆଉ ଆମେ—ମୋ ଭାଇ ମୁଁ, ରୋସେଟା, କ୍ଲୋରିନଡ଼ୋ ସବୁ ଯୁଦ୍ଧ ପରର ମଣିଷ । ପାଞ୍ଚ ବର୍ଷରେ ଯେତିକି ରୋଜଗାର କରିଥିଲୁ, ଏବେ ଦିନକରେ ସେତିକି ରୋଜଗାର କରୁଛୁ । ଆଉ ସେ ଦିନ ନାହିଁ । ତମକୁ ବର୍ତ୍ତମାନ ଅବସ୍ଥା ସହିତ ଖାପ ଖୁଆଇ ଚଳିବାକୁ ପଡ଼ିବ । ତମେ ରୋସେଟା ଉପରେ ଏତେ ରାଗୁଛ କାହିଁକି ? ଯୁଦ୍ଧ ଆଗରୁ ଏକପ୍ରକାର ଚିନ୍ତା କରାଯାଉଥିଲା ଏବଂ ଏବେ ଅନ୍ୟପ୍ରକର ଚିନ୍ତା କରିବାକୁ ପଡ଼ିବ । ତମେ ହୁଏତ ସମ୍ଭୋଗ ଚାହଁନା—ପସନ୍ଦ କରନା; କାରଣ ତୁମକୁ ଶିଖାଇ ଦିଆହୋଇଛି ଯେ ଯେତେ ସମୟ ପୁରୋହିତ ତମକୁ ଆଶୀର୍ବାଦ ନ କରିଛନ୍ତି, ସେ ପର୍ଯ୍ୟନ୍ତ ପ୍ରେମ ପ୍ରେମ ନୁହେଁ । ରୋସେଟା କିନ୍ତୁ ଜାଣେ ଯେ, ଧର୍ମଯାଜକ ଆଶୀର୍ବାଦ କରନ୍ତୁ ବା ନ କରନ୍ତୁ, ପ୍ରେମଟି ସବୁବେଳେ ପ୍ରେମ—କ’ଣ ରୋସେଟା ? ମୁଁ ଟ୍ରକ ନେଇ ବାହାରୁଛି; ରୋସେଟା ତମେ ଯିବକି ? ରୋସେଟା ହଁ ଭରିଲା । ମୁଁ ମନା କଲି । ରୋଜାରିଓ ମୋ ଆଡ଼କୁ ଅନାଇ ହୁକୁମ କଲା-। ଚାଲିଆସ ରୋସେଟା । ରୋସେଟା ମୋ କଥା ନ ମାନି ଚାଲିଗଲା । କମଳାଲେମ୍ବୁ ବଗିଚା ଭିତରେ ଅଦୃଶ୍ୟ ହୋଇଗଲେ ଦି’ଜଣ ହୁଏତ ଦେହର ସମ୍ଭୋଗ ପାଇଁ ।

କନସେଟା କହିଲା—ମା’ମାନେ ଝିଅକୁ ମନା କରିବାର ଅଧିକାର ଅଛି; କିନ୍ତୁ ଝିଅମାନେ ମଧ୍ୟ ସେମାନଙ୍କର ପସନ୍ଦ ଅନୁଯାୟୀ ପୁରୁଷମାନଙ୍କ ସହିତ ଯିବାର ଅଧିକାର ରହିଛି । ମା’ ପସନ୍ଦ ନ କଲେ ମଧ୍ୟ ସେ ଯୁବକମାନଙ୍କୁ କ୍ଷମା କରିବା ଉଚିତ ।

ରୋସେଟା ଅନେକ ରାତିରେ ଫେରିଲା । ମୁଁ ଶୋଇବା ଆଗରୁ ଅନେକ କଥା ଭାବିଛି-। କି ଭୀଷଣ ଏ ଯୁଦ୍ଧ । ମାଇକେଲ କଥା ମନେପଡ଼ିଲା—ତା’ର ନିଷ୍ଠୁର କରୁଣ ମୃତ୍ୟୁ । ମାଇକେଲ ଯଦି ବଞ୍ଚିଥାନ୍ତା, ମୋତେ ହୁଏତ ଭଲ ଉପଦେଶ ଦିଅନ୍ତା ଏବଂ ଆମେ ନିଜ ଗାଁକୁ ଯିବାକୁ ଫଣ୍ଡି ଛାଡ଼ି ନଥାନ୍ତୁ । ଘଟଣାଗୁଡ଼ିକ ମନେପଡ଼ିଯାଏ—ପୁଣି କୁଆଡ଼େ ଗଡ଼ି ଯାଉଛି ଏ ଜୀବନଯାତ୍ରା !

ମୁଁ ହତାଶ ହୋଇପଡ଼େ—ଏ ପୃଥିବୀରେ ବଞ୍ଚି ରହିବାକୁ ଆଉ ଇଚ୍ଛା ହୁଏନା ।

ରୋସେଟା କେତେ ହୀନ ଓ ନୀଚ ହୋଇ ପଡ଼ିଛି—ଏ ଜୀବନରେ ସାର୍ଥକତା ନାହିଁ ଆଉ ବଞ୍ଚିବାର । ହଠାତ୍ ମୋର ଆତ୍ମହତ୍ୟା କରିବାକୁ ଇଚ୍ଛା ହେଲା । ମୁଁ ବିଛଣାରୁ ଉଠି ପଡ଼ିଲି । ବତିଟା ଜଳାଇଲି । ଘର କଣରେ ଝୁଲୁଥିବା ଦଉଡ଼ିଟି ଟାଣି ଆଣିଲି । ଦଉଡ଼ିଟି ଉପରେ ବାନ୍ଧିବାକୁ ଉଠିଲି ।

ହଠାତ୍ କବାଟଟି ଖୋଲିଯିବାର ଦେଖିଲି । ହଁ ହଁ ଏଇତ ମାଇକେଲ । ନାତ୍‍ସୀମାନେ ତାକୁ ତ ଧରି ନେଇ ଯାଇଥିଲେ । ସେ ଚଷମାର ମୋଟା କାଚ ଭିତରୁ କହିଉଠିଲା—ନା, ନା ସେ କାମ କରନା । ନା, ଛି, ଆତ୍ମହତ୍ୟା !!

କାହିଁକି ନୁହେଁ, ଜୋରରେ କହ ।

ନିଦ ଭାଙ୍ଗିଯାଏ । ମୋର ଆତ୍ମହତ୍ୟା ଚେଷ୍ଟା, ମାଇକେଲର ବାଧା ଦେବା ସବୁ ସ୍ଵପ୍ନ । ମୋତେ ବଞ୍ଚିରହିବାକୁ ପଡ଼ିଲା, କିନ୍ତୁ ମୃତ୍ୟୁଠାରୁ ଜୀବନ କାହିଁକି ଶ୍ରେୟ ତାହା ତ ଜାଣିପାରିଲି ନାହିଁ-

 

ଏଗାର

 

ରୋମକୁ ଫେରିଯିବାର ଦିନଟି ଶେଷରେ ଆସିଲା । ନଅ ମାସ ପରେ ପୁଣି ଫେରିଯିବାର ସ୍ଵପ୍ନ ଦେଖେ । ଆକାଶ ଦେହରେ ସେଣ୍ଟପିଟର ଗମ୍ବୁଜଟି ଦେଖି ମନ ଆଶା ଓ ଆନନ୍ଦରେ ଭରି ଉଠେ—ଦୟୋଭାନି ସେଇ ଦରପୋଡ଼ା ସିଗାରେଟଟା ମୁହଁରେ ଧରି ହୁଏତ ଠିଆ ହୋଇଛି ଅଭ୍ୟର୍ଥନା କରିବା ପାଇଁ—ନା ଏ ଯୁଦ୍ଧ ସବୁ ନିଃଶେଷ କରି ଦେଇଛି—ମନରେ ଖାଲି ଦୁଃଖ ଯାତନା ଓ ହତାଶା ।

 

ଜୁନମାସର ସକାଳ । ମୁଁ ଓ ରୋସେଟା ପୋଷାକ ପିନ୍ଧି ନେଇ ରାସ୍ତା ଉପରେ ଅପେକ୍ଷା କରିଥିବା ରୋଜାରିଓର ଟ୍ରକ ପାଖକୁ ଯିବାକୁ ପ୍ରସ୍ତୁତ ହେଲୁ । ଗତ ରାତିରେ ରୋସେଟା ନ ଥିଲା, ତାକୁ ପଚାରିଲି—ଗତ ରାତିରେ ତୁ କୁଆଡ଼େ ଥିଲୁ ?

 

ମୁଁ ଭାବିଥିଲି ଯେ, ସେ ନୀରବ ରହିବ ? କିନ୍ତୁ ସେ ତୃପ୍ତ କଣ୍ଠରେ କହିଲା—ରୋଜାରିଓ ସାଙ୍ଗରେ ଥିଲି ଏବଂ ମନଭରି ସମ୍ଭୋଗ କରିଛି । ମୋତେ ଆଉ ପଚାର ନା ଯେ, ମୁଁ କ’ଣ କରେ, କେଉଁଠାକୁ ଯାଏ; ବା କାହା ସାଙ୍ଗରେ ଥାଏ । କାରଣ ତମେ ସେସବୁ ଏବେ ଭଲ ଭାବରେ ଜାଣିଛ । ଯାହା ସାଙ୍ଗରେ ହେଉ, ଯେଉଁଠାରେ ହେଉ, ମୁଁ ଯୌନ ଉପଭୋଗ କରେ । ଆଉ ଜାଣିରଖ ସମ୍ଭୋଗ କରିବାକୁ ମୋତେ ଭଲଲାଗେ । ମୁଁ ଯୌନ ଉପଭୋଗ ଛଡ଼ା ରହିପାରେନା ଏବଂ ଚାହେଁନା ।

 

ମୁଁ ବୁଝିଲି ଯେ, ଯେତେଦିନ ପର୍ଯ୍ୟନ୍ତ ତା’ର ଏହି ଉନ୍ମତ୍ତତା ନ କଟିଛି ସେତେଦିନ ପର୍ଯ୍ୟନ୍ତ ତା’ କଥା ଅନୁସାରେ ମୋତେ ଚଳିବାକୁ ପଡ଼ିବ ମୁଖ ବନ୍ଦକରି ।

 

ଆମେ ଟ୍ରକରେ ଚଢ଼ିଗଲୁ । ରୋଜାରିଓ ପାଖରେ ରୋସେଟା ବସିଲା ଏବଂ ମୁଁ ରୋସେଟା ପାଖରେ ବସିଲି । ରୋଜାରିଓ ଗାଡ଼ି ଚଳାଇଲା । ଦ୍ରୁତଗତିରେ ଟ୍ରକଟି ଗଡ଼ି ଚାଲିଥାଏ-। ଚାରିପାଖରେ ଯୁଦ୍ଧର ଧ୍ଵଂସସ୍ତୂପ ଦେଖି ମୋ ଆଖିରେ ଲୁହ ଆସିଗଲା । ଯେଉଁ ଗାଁ ଗୋହିରି ଥିଲା ଏତେ ପ୍ରିୟ, ଯାହାରି ଆଶାରେ ଯାହାରି କୋଳରେ ଆଶ୍ରୟ ନେବାକୁ ଧାଇଁ ଆସିଥିଲି, ସେ ଗାଁ ମୋତେ ଦେଇନି ସୁଖ, ଯଦି ବା ତା’ର ପରିବର୍ତ୍ତନ ଘଟିନି ମୋର ପରିବର୍ତ୍ତନ ହୋଇଛି ଆଶାତୀତ । ମୋ ଆଖିରୁ ଲୁହ ଝରିପଡ଼େ । ରୋସେଟା ପଚାରିଲା—କାନ୍ଦୁଛ କାହିଁକି ମା’ ! ମୁଁ ଅନାଇ ଦେଖିଲି ଯେ ରୋସେଟାର ହାତଟି ରୋଜାରିଓର ଜଙ୍ଘ ଉପରେ ପଡ଼ିଛି । ମୁଁ କହିଉଠିଲି–ଲଜ୍ଜାରେ କାନ୍ଦୁଛି । ରୋସେଟା ହାତଟି ଛଡ଼ାଇ ନେବାକୁ ଚେଷ୍ଟାକଲା; କିନ୍ତୁ ରୋଜାରିଓ ତା’ ହାତଟି ଧରିପକାଇ ସେଇଠି ରଖିଲା ।

 

ମୁଁ ଦୃଷ୍ଟି ଫେରାଇ ଆଣି ବାହାରର ଦୃଶ୍ୟାବଳୀ ଦେଖିବାକୁ ଲାଗିଲି । କାରଣ ରାସ୍ତାଘାଟରେ ଦୈହିକ ସମ୍ପର୍କ ଦେଖିବା ମୋତେ ସୁଖ ଲାଗୁ ନ ଥିଲା । ଜର୍ମାନମାନେ ପରାଜିତ ହୋଇ ବନ୍ଧଗୁଡ଼ିକ ଭାଙ୍ଗି ଉଡ଼ାଇ ଦେବାରେ ବନ୍ୟାଜଳରେ ବିସ୍ତୃତ ଚାଷଜମି ଓ ଖମାରଗୁଡ଼ିକୁ ଭସାଇ ଦେଇଛନ୍ତି । କିଛି ରାସ୍ତା ପାରହୋଇ ଦେଖିଲୁ ସେଇ ରାସ୍ତାଟି ସମୁଦ୍ର ଧାରଦେଇ ଆଗେଇ ଯାଇଛି-। ସୂର୍ଯ୍ୟକିରଣରେ ନୀଳ ଢେଉଗୁଡ଼ିକ ଚକ୍ ଚକ୍ ଦିଶୁଛି । ଆମେ ଶୀଘ୍ର ଟେରାସିନାରେ ପହଞ୍ଚିଗଲୁ-। ଟେରାସିନା ପରିତ୍ୟକ୍ତ ହୋଇ ପଡ଼ିଛି । ଜର୍ମାନ ସୈନ୍ୟମାନେ ଆଉ ନାହାନ୍ତି । ମିତ୍ରବାହିନୀ ଖାଦ୍ୟ ଓ ପୋଷାକ ବାଣ୍ଟିଦେବା ପରେ ରୋମଆଡ଼କୁ ଚାଲିଯାଇଛନ୍ତି ? ଜନମାନବ ଶୂନ୍ୟହୋଇ ପଡ଼ିଛି—ଟେରାସିନା ।

 

ରୋଜାରିଓ ଗୋଟିଏ ହାତରେ ଜୋରରେ ଟ୍ରକଟି ଚଳାଇବାକୁ ଲାଗିଲା ଏବଂ ଅନ୍ୟ ହାତରେ ରୋସେଟାର କୋଳ ଉପରେ ରୋସେଟାର ଗୋଟିଏ ହାତଧରି ରହିଥାଏ । ଏପ୍ରକାର ହାବଭାବ ମୁଁ ସହ୍ୟକରି ପାରୁ ନଥାଏ ।

 

କହିଲି ରୋସେଟା ତୁମେ ଗୀତ ଗାଅ ।

 

—କି ଗୀତ ?

 

ରୋସେଟା ସ୍ଥିରହୋଇ ବସି ରୋଜାରିଓର ଗୋଟାଏ ହାତ ନିଜ କୋଳ ଉପରେ ଧରି ଗାଇବାକୁ ଆରମ୍ଭ କରେ । ତା’ପରେ ଆପେ ଆପେ ବନ୍ଦ ହୋଇଯାଏ । ମୁଁ ବୁଝିପାରେ ସେ ତା’ର ଅନୁଭବ ଶକ୍ତି ହରାଇଛି—ତନ୍ମୟତା ଆସିଛି ଅନ୍ୟ ରୂପରେ । ରୋଜାରିଓ ଗୀତ ଗାଏ—ଅଶ୍ରାବ୍ୟ କଣ୍ଠସ୍ଵର ।

 

ଇତିମଧ୍ୟରେ ଆମେ ସିଷ୍ଟାରନାରେ ପହୁଞ୍ଚିଯାଉ । ସିଷ୍ଟାରନା ମଧ୍ୟ ଟେରାସିନା ପରି ପରିତ୍ୟକ୍ତ । ଗୋଟାଏ କୁକୁର ମଧ୍ୟ ଦେଖିବାକୁ ମିଳୁ ନ ଥାଏ । ଏଠାର ବାସିନ୍ଦାମାନେ ହୁଏତ ବା ଧ୍ଵଂସସ୍ତୂପ ଭିତରେ ଲୁଚି ରହିଛନ୍ତି । ସମୁଦ୍ରଆଡ଼ୁ ଏକ ଧୂସର ବର୍ଣ୍ଣର ମେଘ କ୍ରମେ ଆକାଶଟିକୁ ଘେରିପକାଏ । ଚାରିଆଡ଼ ନିସ୍ତବ୍ଧ—କେବଳ ଟ୍ରକର ଇଂଜିନ୍‍ମାତ୍ର ଗର୍ଜିଉଠୁଛି ।

 

ରୋସେଟା ଢୁଳାଇବାକୁ ଲାଗିଲା । ରୋଜାରିଓ ଗୋଟାଏ ସିଗାରେଟ ଟାଣି ଟାଣି ଆଗେଇଗଲା । ହଠାତ୍ ଏକ ଝାଙ୍କରେ ଆମେ ଆଗର କାଚଟି ଉପରେ ପିଟି ହୋଇଗଲୁ । ରାସ୍ତା ବନ୍ଦ, ଗୋଟାଏ ଟେଲିଗ୍ରାଫ ଖୁଣ୍ଟ ରାସ୍ତାରେ ପଡ଼ିଛି । ଠିକ୍ ଏତିକିବେଳେ କର୍କଗଛ ଭିତରୁ ତିନିଟା ଲୋକ ଆଗେଇ ଆସିଲେ । ରୋଜାରିଓ ଗାଡ଼ିରୁ ଓହ୍ଲାଇ ସେମାନଙ୍କ ପାଖକୁ ଆଗେଇଗଲା । ଯିବା ଆଗରୁ ଗୋଟାଏ ପାକେଟ ଟ୍ରକ ଖୋପ ଭିତରେ ରଖିଦେଲା । ଏଇଗୁଡ଼ିକ ଯେ ଟଙ୍କା ମୁଁ ବୁଝିପାରିଛି । ଆମେ କାଚ ଭିତରୁ ଦେଖିଲୁ, ରୋଜାରିଓ ଦୃପ୍ତ ଭଙ୍ଗୀରେ ସେମାନଙ୍କ ଆଡ଼କୁ ଆଗେଇଚାଲିଛି । ଲୋକଗୁଡ଼ିକ ତାକୁ ଆକ୍ରମଣ କରିବା ଭଙ୍ଗୀରେ ଠିଆ ହୋଇଥାନ୍ତି । ଚଢ଼ାଗଳାରେ ସେମାନେ କ’ଣ କଥାବାର୍ତ୍ତା ହେଉଥାନ୍ତି ତା’ ଜାଣି ହେଉ ନଥାଏ । ତା’ପରେ ହାତାହାତି ହେଲେ ଓ ଗୁଳି ଫୁଟିବା ଶବ୍ଦ ଶୁଭିଲା । ଗୋଟାଏ ତା’ପରେ ଦି’ଟା । ମୁଁ ଭାବିଲି ଯେ ରୋଜାରିଓ ଗୁଳି କରୁଛି । ରୋଜାରିଓ ଅସ୍ଥିର ପଦକ୍ଷେପରେ ଟ୍ରକଟି ଆଡ଼କୁ ଆସିବାକୁ ଉଦ୍ୟତ ହେଲା । ତା’ପରେ ସେ ଆଣ୍ଠୁ ମାଡ଼ି ବସିପଡ଼ି ଦୁଇଟି ହାତ ମାଟିରେ ରଖିଲା । ଶେଷରେ ବୁଲିପଡ଼ି ମାଟିରେ ପଡ଼ିଗଲା । ଦୂରରେ ଥିବା ତିନୋଟି ଲୋକ ଟ୍ରକ ଆଡ଼କୁ ଆଗେଇ ଆସିଲେ ।

 

ଜଣେ ଲୋକ ରିଭଲଭର ଉଠାଇ କହେ—ତମେ ଦି’ଜଣ ଗାଡ଼ିରୁ ଶୀଘ୍ର ଓହ୍ଲାଇପଡ଼ । ଅନ୍ୟ ଦି’ଜଣ ଟେଲିଗ୍ରାଫ ଖୁଣ୍ଟଟି ବାହାର କରି ଦେଲେ । ମୁଁ ରୋସେଟାକୁ କହିଲି, ଧୀରେ ଓହ୍ଲାଇ ଯିବା । ଏତିକିବେଳେ ଅନ୍ୟ ଲୋକଟି ସଙ୍କେତ କରିବାରେ ସେ ଟ୍ରକରୁ ଓହ୍ଲାଇ ପଡ଼ିଲା । ତିନିଜଣ ଅଦୃଶ୍ୟ ହୋଇଗଲେ । କେତେକ ମୁହୂର୍ତ୍ତ ଭିତରେ ଟେଲିଗ୍ରାଫ ତା’ର ଖୁଣ୍ଟ ଓ ରାସ୍ତା ମଝିରେ ରୋଜାରିଓର ମଲାଦିହଟା ଛଡ଼ା ଆଉ କିଛି ଦେଖିବାକୁ ମିଳେନା । କ’ଣ କରାଯିବ ଆମେ ଭାବୁଛୁ, ଏତିକିବେଳେ ଗୋଟାଏ ଛୋଟ ଖୋଲା ଗାଡ଼ି ଆସି ପହଞ୍ଚିଲା ।

 

ସେ ଗାଡ଼ିରେ ଦି’ଜଣ ଇଂରେଜ ଅଫିସର ବସିଥାନ୍ତି ଏବଂ ଜଣେ ସୈନିକ ଗାଡ଼ି ଚଳାଉଥାଏ । ସେମାନେ ରୋଜାରିଓର ଦେହ ଏବଂ ଗାଡ଼ିଟିକୁ କିଛି ସମୟ ଦେଖି କହିଲେ—ଚାଲ୍, ଚାଲ୍ । ରୋଜାରିଓର ଶବ ପାଖଦେଇ ଗାଡ଼ିଟି ଆଗେଇଗଲା । ରୋଜାରିଓ ଯେଉଁ ଟଙ୍କାର ପାକେଟଟି ଲୁଚେଇଥିଲା, ମୁଁ ସେଇଟିକୁ ନେଇ ମୋ ଛାତି ଭିତରେ ଲୁଚାଇ ଦେଲି । ରୋସେଟା ଦେଖିଲା । ତା’ପରେ ପଛରେ ହଠାତ୍ ଜୋରରେ ବ୍ରେକ୍ ବସିବାର ଶବ୍ବ ଶୁଣି ଚାହିଁଲା ବେଳକୁ ଆଉ ଗୋଟାଏ ଟ୍ରକ ଆସି ଆମ ପାଖରେ ହାଜର ।

 

ଟ୍ରକଟିର ଚାଳକ ଏକ ବାଙ୍ଗରା ଇଟାଲୀୟାନ । ସେ ପଚାରିଲା—କ’ଣ ହୋଇଛି ? ମୁଁ କହିଲି ଆମକୁ ଠିଆକରି ଏ ଯୁବକକୁ ଖୁନ୍ କରିଛନ୍ତି । ଆମେ ବାସ୍ତୁତ୍ୟାଗୀ । ସେ ପଚାରିଲେ, ସେମାନେ ଗଲେ କୁଆଡ଼େ ? ମୁଁ କର୍କଗଛ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କଲି ।

 

ସେ କହିଲେ—ରୋମକୁ ଯଦି ଯିବାକୁ ଇଚ୍ଛା କରୁଛ, ତେବେ ଶୀଘ୍ର ଏ ଗାଡ଼ିକୁ ଆସ । ମୁଁ ରୋସେଟା ହାତଧରି ଟ୍ରକରୁ ଓହ୍ଲାଇ ଆସିଲି । ସେ ଚିତ୍କାର କଲା—ମୃତ ଦେହଟି ଘୁଞ୍ଚାଇ ଦିଅ ନ ହେଲେ ଗାଡ଼ିଟା ଯିବ କିପରି ?

 

ମୁଁ ରୋସେଟାକୁ ସାହାଯ୍ୟ କରିବାକୁ କହିଲି । ରୋଜାରିଓର ମୃତ ଦେହ ନିକଟକୁ ଆଗେଇଯାଇ ଦି’ଜଣ ଦି’ଟା ଗୋଡ଼ଧରି ରାସ୍ତାର ଗୋଟିଏ ପାଖରେ ପକାଇ ଦେଲୁ । ଝୁଙ୍କି ପଡ଼ି ଦେଖିଲି, କାଳେ ବଞ୍ଚିଥିବ; କାରଣ ମୁଁ ତା’ର ଟଙ୍କା ଥଳିଟା ମୋ ଛାତିରେ ଲୁଚାଇ ରଖିଛି । ସେ ସତରେ ମରିଯାଇଛି । ଟ୍ରକ ଚାଳକ କହିଲା, ସେ ମରିଯାଇଛି । ତା’ପାଇଁ ଆଉ କିଛି ଭାବିବାର ନାହିଁ ।

 

ମୁଁ ତା’ର ବୁକୁ ଉପରେ ଦି’ଟା ଅଙ୍ଗୁଳିରେ ଗୋଟାଏ କ୍ରୂଶଚିହ୍ନ ଆଙ୍କିଦେଲି । ତା’ପରେ ରୋସେଟା ସାଙ୍ଗରେ ଟ୍ରକ ଆଡ଼କୁ ଯାଉ ଯାଉ ଆଡ଼ ଆଖିରେ ଦେଖିଲି ଯେ, ଅଙ୍ଗୁଳିରେ ରକ୍ତ । ରକ୍ତଦେଖି ମୋର ବି ଭୟ ହେଲା । ନିଜ ସ୍କାର୍ଟରେ ଯେତେବେଳେ ଆଙ୍ଗୁଳିଟି ପୋଛିଲି, ରୋସେଟା ଏପରି ଭାବରେ ଅନାଇଲା ଯେ ସେ ଯେମିତି ସବୁ ଦେଖି ପାରିଛି ।

 

ଟ୍ରକ ଚାଲିବାକୁ ଆରମ୍ଭ କଲା । ଡ୍ରାଇଭର ମୁହଁଟି ବିବର୍ଣ୍ଣ ଓ ଭୀତ ଦେଖାଯାଉ ଥାଏ । ରୋସେଟା ନିର୍ଲିପ୍ତ ହୋଇ ରହେ, ଯେପରି କିଛି ଘଟିନି । ରାସ୍ତା ଧାରରେ ରୋଜାରିଓର ମଲା ଦିହଟି ପଡ଼ି ରହିଲା; ଅଥଚ ତା’ କଥା ଅନ୍ୟ କେହି ଜାଣେନା । ଭୟରେ ଡ୍ରାଇଭରଟା ଓହ୍ଲାଇଲା ନାହିଁ । ରୋସେଟା ରୋଜାରିଓର ଗୋଡ଼ଟା ଇମିତି ଟାଣି ଫୋପାଡ଼ିଦେଲା ଯେପରି ଦୁର୍ଗନ୍ଧମୟ ଓ ଘୃଣ୍ୟ ପଦାର୍ଥ । ଗୋଟାଏ ମଣିଷ ମରିପଡ଼ିଛି; ଅଥଚ ଅପର ମଣିଷର ତା’ ପ୍ରତି ଦୁଃଖ, ମାୟା ସହାନୁଭୂତି ବୋଲି କିଛି ଟିକିଏ ନାହିଁ । ସେ ସମ୍ପୂର୍ଣ୍ଣ ଉଦାସୀନ—କାରଣ ଏଇଟା ଯୁଦ୍ଧ ସମୟ । ଅଧଘଣ୍ଟା ଆଗରୁ ଯେଉଁ ରୋସେଟା ଏହି ଯୁବକଠାରେ ପ୍ରେମ, ପ୍ରଣୟ, ପ୍ରୀତି ଜଣାଉ ଥିଲା—କାମନା ଉତ୍ତେଜନା ବୃଦ୍ଧି କରୁଥିଲା, ସେ ଏକବାରେ ନିର୍ଲିପ୍ତ । ମୁହଁରେ ବେଦନାର ଚିହ୍ନ ବି ନାହିଁ । ଏସବୁ ଚିନ୍ତାକରି ଦେଖିଲି ଯେପରି ସବୁ ଓଲଟି ଯାଇଛି । ଯାହା କିଛିସମୟ ପୂର୍ବରୁ ପ୍ରୟୋଜନୀୟ ଥିଲା, ତାହା ବର୍ତ୍ତମାନ ଅପ୍ରୟୋଜନୀୟ । ହଠାତ୍ ସେ ଗୀତଗାଇ ଉଠିଲା । ମୋତେ ବଡ଼ ଅଦ୍ଭୁତ ଲାଗିଲା । ସେ ଯେପରି ମୋତେ ଜଣାଇ ଦେବାକୁ ଚାହେଁ ଯେ ସେ ବଦଳି ଯାଇନି—ପୂର୍ବର ରୋସେଟା ଏବେ ବି ବଞ୍ଚିଛି ।

 

ତା’ ଆଡ଼କୁ ଅନାଇ ଦେଖିଲି, ଲୁହରେ ତା’ର ଗାଲ ଦିଓଟି ଭିଜି ଯାଇଛି । ମୁଁ ଭାବିଲି ଯେ ଟଙ୍କାଟା କନସେଟାରକୁ ଫେରାଇ ଦେବା ଉଚିତ ହେବ ।

 

ଟ୍ରକଟି ଭାଲେଟ୍ରି ଆଡ଼କୁ ଆଗେଇ ଯାଏ ରୋସେଟା ଗୀତଟି ଥରକୁ ଥର ଗାଇଯାଏ—ଅଟକେ ନାହିଁ । ଡ୍ରାଇଭରଟି ପଚାରିଲା—ସେ ଯୁବକଟି ତମର କିଏ ? ମୁଁ କହିଲି—ନା, ଖାଲି ଜଣାଶୁଣା । କଳାବଜାରି ଲୋକ—ଆମକୁ ରୋମକୁ ନେଇ ଯାଉଥିଲା । ଡ୍ରାଇଭରଟି ପୁଣି ଡରରେ କହିଲା—ନା, ନା, ମୋତେ କିଛି କୁହନା । ମୁଁ କିଛି ଶୁଣିବାକୁ ଚାହେଁନା । କିଛି ଦେଖି ନାହିଁ-। ରୋମକୁ ଗଲେ ଆମେ ଅଲଗା ଅଲଗା ହୋଇଯିବା । ମୁଁ ଦେଖାଇବି ଯେପରି ମୁଁ ତମକୁ ଚିହ୍ନେନା କି ଜାଣେନା ।

 

—ତମେ ତ ପହୁଞ୍ଚାଇବାକୁ ଇଚ୍ଛା କରିଥିଲ ।

 

—ଦୟାକରି ସେ କଥା ଭୁଲିଯାଅ ।

 

ସବୁଜ ପ୍ରାନ୍ତର । ଦୂରରେ ଅନିଶ୍ଚିତ ରଙ୍ଗର ରେଖା ଦେଖାଯାଏ । କିଛିଟା ଧଳା ଓ ହଳଦିଆ ରଙ୍ଗର ରୋମର ସେହି ସହରାଞ୍ଚଳ । ଧୂସର ଆକାଶ ଦିହରେ ଦେଖାଯାଏ, ପିଟର ଚର୍ଚ୍ଚର ଗମ୍ବୁଜଟି—ଏହି ଗମ୍ବୁଜଟି ଦେଖିବାକୁ ମୁଁ କେତେଦିନୁ ଆଶା କରିଥିଲି । ଦୂର ଆକାଶ ଦିହରେ ଏ ଗମ୍ବୁଜଟି ଯେପରି ମୋତେ କହେ ଯେ ମୁଁ ନିଶ୍ଚିନ୍ତରେ ଘରକୁ ଫେରି ପାରିବି—ଏତେ ଦୁର୍ଘଟଣା ଘଟିଲେ ବି ମୁଁ ପୁରୁଣା ଜୀବନ ଫେରି ପାଇବି ।

 

ମାଇକେଲ କଥା ମାନେପଡ଼େ । ମନେପଡ଼ିଯାଏ ସାଣ୍ଟଇଉଫୋମିୟାର କୁଟୀରରେ ସେହି ସଂଧ୍ୟା କଥା । ମାଇକେଲ ଆମକୁ ଲୋଜରାସର କାହାଣୀ ପଢ଼ି ଶୁଣାଇ ଥିଲା ଏବଂ କହୁଥିଲା ଆମେ ସମସ୍ତେ ମରିଯାଇଛୁ ଏବଂ ଲୋଜରାସ ପରି ପୁନର୍ଜୀବନ ପାଇଁ ଅପେକ୍ଷା କରିଛୁ-। ମାଇକେଲ କଥାଟି ସତରେ କେତେ ସତ୍ୟ ! ଯୁଦ୍ଧରେ ଯେଉଁ ଉଦାସୀନତା, ନିର୍ଲଜ୍ଜତା ଆମକୁ ଘେରି ରହିଥିଲା, ସେଥିରୁ ମୁକ୍ତହୋଇ ପୁଣି ସେହି ହତଭାଗ୍ୟ ଜୀବନକୁ ଫେରି ଯାଉଛୁ––ଏହାହିଁ ତ ଜୀବନ । ଆଜି ମାଇକେଲ ବଞ୍ଚି ରହିଥିଲେ, ଏହାହିଁ କହିଥାନ୍ତା ।

Image